ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ସିବିଏସ୍‌ଇ, ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ।

ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନ ପରେ ଦିନ ଗଡୁଛି, ହେଲେ କରୋନା ନିୟନ୍ତ୍ରଣକୁ ଆସୁନି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସ୍‌ଇ ଏବଂ ଆଇସିଏସ୍‌ଇର ବାକିଥିବା ପରୀକ୍ଷା ବାତିଲ କରିଦେଇଛନ୍ତି। ଏନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି।

ସିବିଏସ୍‌ଇ, ଆଇସିଏସ୍‌ଇ ପରୀକ୍ଷା ବାତିଲ ହେବା ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର ରହିଛି। ଯୁକ୍ତ ୨ ପରୀକ୍ଷା ବାଦରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଛନ୍ତି।

ଯେଉଁ ସମୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ ସେହି ସମୟରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଥିଲା। ରାଜ୍ୟରୁ ରାଜ୍ୟ, ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିଥିଲା ଏହି ମହାମାରୀ। ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିଲେ। ଯେଉଁ ବିଷୟରେ ପରୀକ୍ଷା ହୋଇପାରି ନଥିଲା ତାହା ପରବର୍ତ୍ତୀ ସମୟରେ କରାଯିବ ବୋଲି ସରକାର ଘୋଷଣା କରିଥିଲେ।

ଜୁଲାଇ ୧ରୁ ୧୫ ତାରିଖ ଭିତରେ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବକେୟା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ। ଏନେଇ ସୂଚୀ ମଧ୍ୟ ପ୍ରକାଶ ପାଇଥିଲା। ହେଲେ କରୋନା କାୟା ମେଲାଇ ଚାଲିଥିବାରୁ ପରୀକ୍ଷା କରିବା ସମ୍ଭବ ହେଉନାହିଁ। ଫଳରେ ସିବିଏସ୍‌ଇ ପରୀକ୍ଷା ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବ ୩ଟି ପରୀକ୍ଷାର ମାର୍କ ଅନୁସାରେ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ ବୋଲି ସିବିଏସ୍‌ଇ ବୋର୍ଡ ପକ୍ଷରୁ କୁହାଯାଇଛି। ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ।

ତେବେ ଯେଉଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଚାହିଁବେ ସେମାନେ କରୋନା ମହାମାରୀ ସ୍ଥିତି ସୁଧୁରିବା ପରେ ବାତିଲ ହୋଇଥିବା ବିଷୟଗୁଡ଼ିକର ପରୀକ୍ଷା ଦେଇପାରିବେ। ହେଲେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବିକଳ୍ପ ବ୍ୟବସ୍ଥା ନାହିଁ। ଆଇସିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରେ ପରୀକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିବାରୁ ସିଏଚ୍‌ଏସ୍‌ଇ ଅଧୀନରେ ଆମ ରାଜ୍ୟରେ ଯେଉଁମାନେ ପରୀକ୍ଷା ଦେଇଥିଲେ ସେମାନେ କ’ଣ କରିବେ ତାକୁନେଇ ଚିନ୍ତା ବଢ଼ିଛି। ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଥିବା ବେଳେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କେବେ ହେବ ତା’ଉପରେ ନଜର ରହିଛି।

‘‘ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ପରୀକ୍ଷା ବାବଦରେ ଯାହା ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କୋଭିଡ୍‌-୧୯ ମହାମାରୀର ଭୟ ଥିବାରୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସେ ସମ୍ପର୍କରେ ଜଣାଇ ଦିଆଯିବ’’, କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ପରୀକ୍ଷା ବାତିଲ ଅର୍ଡର ସୁପ୍ରିମକୋର୍ଟରେ ପାସ୍‌ ହୋଇନି। ନୂଆ ଶିକ୍ଷା ବର୍ଷ ଆରମ୍ଭ ଏବଂ ରେଜଲ୍ଟ ପ୍ରକାଶ ଉପରେ କୌଣସି ସ୍ପଷ୍ଟତା ନଥିବାରୁ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପରୀକ୍ଷା ଏବଂ ଇଣ୍ଟରନାଲ ଆସେସ୍‌ମେଣ୍ଟ ଭିତରେ ବିକଳ୍ପ କ’ଣ ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି।

Comment