ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। କରୋନା କଟକଣା ଥିବାରୁ ଆଜି ସବୁ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ଏବେ ରତ୍ନସିଂହାସନରେ ବିରାଜମାନ କରିଛନ୍ତି।

ନୀଳାଦ୍ରି ବିଜେ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ। ଏଥର କୋଭିଡ୍‌ କଟକଣା ପାଇଁ ବିନାଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ ବିନା ଭକ୍ତରେ ଆୟୋଜନ କରାଯାଇଥିଲା।

ରଥାରୂଢ଼ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ତିନି ରଥରେ ଚାରମାଳ ବନ୍ଧା ଯାଇଥିଲା। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ମହାଜନମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ବିଗ୍ରହକୁ ହାତରେ ଧରି ଦକ୍ଷିଣି ଘରକୁ ବିଜେ କରିଥିଲେ। ପରେ ମହାପ୍ରଭୁଙ୍କ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ମହାପଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବା ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା। ମସ୍ତକରେ ଟାହିଆ ଲଗାଇ ଝୁଲିଝୁଲି ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନବେଦିକୁ ଯାଇଥିଲେ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ। ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥିଲେ। ଜଗନ୍ନାଥ ଏବଂ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ କରିଥିଲେ। ମହାପ୍ରଭୁ ଭାଇ, ଭଉଣୀଙ୍କୁ ନେଇ ଯାତ୍ରା କରିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।

ନୀଳାଦ୍ରି ବିଜେ ନୀତି ଶେଷ ହେବା ପରେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବ।

Comment