ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଚଳିତବର୍ଷ ଭଙ୍ଗାଯିବନି ମହାପ୍ରଭୁଙ୍କ ତିନି ରଥ।
ପୁରୀରେ ଚଳିତବର୍ଷ ତିନି ରଥ ଭଙ୍ଗା ଯିବନି। ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନଭାଙ୍ଗିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ବୈଠକ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।
ଏଥର ତିନି ରଥକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବ। ସିଂହଦ୍ୱାର ସମ୍ମୁଖରୁ ତିନି ରଥ କେମିତି ଜଗନ୍ନାଥ ବଲ୍ଲଭ ପରିସରକୁ ଆସିବ ସେନେଇ ବ୍ୟବସ୍ଥା କରାଯିବ। ରଥକୁ ଖୋଲାଯାଇ ଜଗନ୍ନାଥ ବଲ୍ଲଭ ପରିସରକୁ ଅଣାଯିବ ଏବଂ ପରେ ପୁଣି ଫିଟିଂ କରାଯିବ।
ପ୍ରତିବର୍ଷ ରଥଯାତ୍ରା ଶେଷ ହେବା ପରେ ତିନି ରଥକୁ ଭଙ୍ଗା ଯାଇଥାଏ। ହେଲେ ପ୍ରଥମ ଥର ପାଇଁ ତିନି ରଥ ନଭାଙ୍ଗିବା ଲାଗି ନିଷ୍ପତ୍ତି ହୋଇଛି।
କରୋନା ମହାମାରୀ ପାଇଁ ଚଳିତବର୍ଷ ରଥଯାତ୍ରା ବିନାଭକ୍ତରେ ଶେଷ ହୋଇଛି। କେବଳ ସେବାୟତ ଓ ପୋଲିସ କର୍ମଚାରୀମାନେ ରଥ ଟାଣିଥିଲେ। ପୁରୀ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇ ରଥଯାତ୍ରା ଆୟୋଜନ କରାଯାଇଥିଲା।
କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପ୍ରଥମେ ରାୟ ଦେଇଥିଲେ। ହେଲେ ଏହି ରାୟର ପୁନଃବିଚାର କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହେବା ପରେ ନିଷ୍ପତ୍ତି ବଦଳିଥିଲା। ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ।