ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ ଡ୍ୟୁଟି ବେଳେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ ନିକଟତମ ଆତ୍ମୀୟମାନେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ୍‌ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସେହିପରି କୋଭିଡ-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟକାଳ ଥିବା ପର୍ଯ୍ୟନ୍ତ ଏହି ସହାୟତା ମିଳିବ।

ରାଜ୍ୟରେ ଅଣ-କୋଭିଡ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ ଆସୁଛି। ସେମାନଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟରେ ଆମ୍ବୁଲାନ୍‌ସ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ଆଜି ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ ଓ ନୂଆପଡା ଆଦି ଜିଲ୍ଲାର ପରିସ୍ଥିତି ଓ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଜିଲ୍ଲାଗୁଡିକରେ କୋଭିଡ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କେତେକ ପ୍ରସ୍ତାବ ମଧ୍ୟ ରଖିଥିଲେ। ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment