ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ୍‌)ର ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।  କିସର ପାସ ହାର ୯୮ ପ୍ରତିଶତ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ୧୯୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି। କିସ୍‌ରେ ପଢୁଥିବା ଆଦିମ ଜନଜାତି ଛାତ୍ର ଯୋଗେଶ କାଡରାକା ସର୍ବାଧିକ ୯୦ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଦେବରାଜ ମାଝି ମଧ୍ୟ ଗଣିତରେ ସର୍ବାଧିକ ୯୯ ନମ୍ବର ରଖିବା ସହ ୯୦ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷାରେ ପାସ୍‌ କରିବାରେ କିସ୍‌ ସମଗ୍ର ଦେଶରେ ପ୍ରଥମ ଅନୁଷ୍ଠାନ।

୨୦୦୦ରୁ ୨୦୨୦ ଦୀର୍ଘ ୨୧ ବର୍ଷ ଧରି ଲଗାତର କିସ୍‌ର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି। ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪ଶହ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି।

କିସ୍‌ ଫଳାଫଳ ନେଇ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଖୁସି ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here