ଓଡିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷର ମାଟ୍ରିକ ରେଜଲ୍ଟ ବୁଧବାର ପ୍ରକାଶ ପାଇଛି। ତେବେ ପରୀକ୍ଷା ଫଳକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ତିନିଟି ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କୋଡ଼ପଲା ଗାଁରେ ଜଣେ ଛାତ୍ର ପରୀକ୍ଷା ଫଳ ବାହାରିବା ପୂର୍ବ ରାତିରେ ନିଜ ଘର ଫ୍ୟାନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ସ୍ଥାନୀୟ ନୈନ୍ଦିପୁର ହାଇସ୍କୁଲରେ ସେ ପଢୁଥିଲେ। ସେ ଡି ଗ୍ରେଡ୍‌ରେ ପାସ୍ କରିଥିବା ଜଣାପଡ଼ିଛି। ଛାତ୍ର ଜଣକ ପରୀକ୍ଷାରେ ସର୍ବନିମ୍ନ ବି ଗ୍ରେଡ ପାଇବାକୁ ଆଶା କରିଥିଲେ। ପରୀକ୍ଷା ଫଳ ଖରାପ ହେବ ଆଶଙ୍କା କରି ସେ ମଙ୍ଗଳବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ସେହିପରି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଜଣେ ଛାତ୍ରୀ ମାଟ୍ରିକ ଫଳ ବାହାରିବାର କିଛି ସମୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ସ୍ଥାନୀୟ କଷଣଅଣ୍ଟା ପଞ୍ଚାୟତ ହାଇସ୍କୁଲରେ ପାଠ ପଢୁଥିଲେ। ପରୀକ୍ଷା ଫଳ ବାହାରିବାକୁ ନେଇ ଛାତ୍ରୀ ଜଣକ ଆଶା ଆଶଙ୍କାରେ ଥିଲେ। ତେବେ ସେ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି ବୋଲି କେହି ଜଣେ ତାଙ୍କୁ ମିଛ ଖବର ଦେଇଥିଲେ। ଏହା ଶୁଣିବା ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଘରେ ଏକ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ପରୀକ୍ଷାରେ ପାସ୍ କରିଥିବା ଜଣାପଡ଼ିଛି।

ସେହିପରି କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀ ପରୀକ୍ଷାରେ ଫେଲ ହୋଇଥିବା ଖବର ପାଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Comment