ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସ ବିତିଗଲାଣି। କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ସୁଶାନ୍ତଙ୍କୁ ନେଇ ମୁହଁ ଖୋଲିଛନ୍ତି। ଅଙ୍କିତାଙ୍କ ବୟାନ ଆସିବା ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଅଙ୍କିତା କହିଛନ୍ତି,‘‘ ସୁଶାନ୍ତ ଏମିତି ମଣିଷ ନଥିଲେ ଯିଏ ଡିପ୍ରେସନକୁ ଚାଲିଯିବେ। କାରଣ ନଜାଣି କାହା ପାଇଁ ଏ ଶବ୍ଦ ବ୍ୟବହାର କରିବା ଭୁଲ। କୌଣସି କଥାକୁ ନେଇ ଡିପ୍ରେସନକୁ ଆସି ସୁଶାନ୍ତ ଆତ୍ମହତ୍ୟା କରିବା ଭଳି ମଣିଷ ସୁଶାନ୍ତ ନଥିଲେ’’।sushant-ankita-2

ଏଥିସହ ଯେଉଁମାନେ ବି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କଥା କହୁଛନ୍ତି ଓ ଶବ୍ଦ ବ୍ୟବହାର କରୁଛନ୍ତି ସେମାନଙ୍କୁ ମଧ୍ୟ ନିନ୍ଦା କରିଛନ୍ତି ଅଙ୍କିତା।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ସୁଶାନ୍ତ ଡାଏରି ଲେଖିବାକୁ ବେଶ୍‌ ପସନ୍ଦ କରନ୍ତି। ସେ ତାଙ୍କ ଡାଏରିରେ ତାଙ୍କ ସ୍ୱପ୍ନ ବିଷୟରେ ଲେଖନ୍ତି। ଯେତେବେଳେ ଆମେ ପରସ୍ପରକୁ ଡେଟ କରୁଥିଲୁ ସେତେବେଳେ ସୁଶାନ୍ତ ଆଗାମୀ ବର୍ଷରେ କ’ଣ କରିବେ ସେ କଥା ଲେଖିଥିଲେ। ଠିକ୍‌ ୫ ବର୍ଷ ପରେ ସେ ତାଙ୍କର ସବୁ ସ୍ୱପ୍ନ ବି ପୂରା କରିଥିଲେ। ଛୋଟ ସହରରୁ ଆସି ସୁଶାନ୍ତ ନିଜର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପ୍ରେରଣା ସାଜିଥିଲେ।’’

ଅଙ୍କିତାଙ୍କ କହିବା ଅନୁସାରେ ସୁଶାନ୍ତ ଛୋଟ ଛୋଟ କଥାରେ ଖୁସି ହେଉଥିଲେ। ସେ ହୃଦୟରୁ ଛୋଟ ପିଲା ଭଳି ଥିଲେ।

Comment