ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଶେଷ ହେଉଛି ଜୁଲାଇ ମାସର କରୋନା କଟକଣା। ଆସନ୍ତାକାଲିଠୁ ଅଗଷ୍ଟ ମାସ ଆରମ୍ଭ ହେବ। ରାଜ୍ୟ ସରକାର କ’ଣ ନୂଆ କଟକଣା ଜାରି କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଜୁଲାଇ ମାସରେ ହୁ ହୁ ହୋଇ ବଢ଼ି ଚାଲିଥିଲା କରୋନା ସଂକ୍ରମଣ। ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିଲା। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଏହି ଚାରି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଆଜି ଏହି ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି। ଏବେ ବି କରୋନା ନିୟନ୍ତ୍ରଣକୁ ଆସିନି। ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଅଗଷ୍ଟ ମାସରେ ଲକ୍‌ଡାଉନ୍‌ ପୁଣି ଲାଗୁ ହୋଇପାରେ ବୋଲି କୁହାଯାଉଛି।

କରୋନା ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଜୁନ୍‌ ମାସରେ ୧୧ଟି ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ କରୋନା ସଂକ୍ରମଣରେ ବ୍ରେକ ଲାଗି ନଥିଲା। କରୋନା ଫିକ୍‌ରେ ରହିବାରୁ ଜୁନ୍‌ ମାସରେ ୧୦ଟି ଜିଲ୍ଲାରେ ପୁଣି ସପ୍ତାହନ୍ତ ସଟ୍‌ଡାଉନ୍‌ ଲାଗୁ କରିଥିଲେ ସରକାର। ହେଲେ କରୋନା ତାର କାୟା ମେଲାଇ ଚାଲିବାରୁ ରାଜ୍ୟ ସରକାର ଅଧିକ ସଂକ୍ରମିତ ୪ ଜିଲ୍ଲରେ ଲକ୍‌ଡାଉନ୍‌ ଲାଗୁ କରିଥିଲେ। ଏବେ ଆଗକୁ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

କେନ୍ଦ୍ର ସରକାର ଇତିମଧ୍ୟରେ ଅନ୍‌ଲକ୍‌-୩ ପ୍ରକ୍ରିୟା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏଥିରେ ରାତି କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବା ବେଳେ ଜିମ୍‌ ଏବଂ ଯୋଗ ଇନଷ୍ଟିଚ୍ୟୁଟ ଖୋଲିବାକୁ କୁହାଯାଇଛି। ମୋଟାମୋଟି କଥା ହେଉଛି କେନ୍ଦ୍ର ସରକାର ଲୋକଙ୍କ ଯାତାୟତ ଉପରେ କୌଣସି କଟକଣା ଲାଗୁ କରି ନାହାନ୍ତି। ହେଲେ ରାଜ୍ୟ ସରକାର ଅଗଷ୍ଟ ମାସରେ କଟକଣା କୋହଳ କରିବେ ନା କଠୋର କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୭୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ଆଜି ଓଡ଼ିଶାରୁ ୧୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ସ୍ଥିତିକୁ ଦେଖିଲେ ଜଣାପଡୁଛି ଲକ୍‌ଡାଉନ୍‌ ଆହୁରି ବଢ଼ିପାରେ। ଗତକାଲି ସୁନ୍ଦରଗଡ଼ ପୌରାଞ୍ଚଳ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ ଅଗଷ୍ଟ ୧୫ ଯାଏଁ ଲକ୍‌ଡାଉନ୍‌ ଅବଧି ବଢ଼ା ଯାଇଥିଲା। ଏବେ ବିଭିନ୍ନ ଜିଲ୍ଲାପାଳ ତାଙ୍କ ଅଞ୍ଚଳରେ ସ୍ଥିତିକୁ ଦେଖି ସଟ୍‌ଡାଉନ୍‌ ଲାଗୁ କରୁଛନ୍ତି। ତେବେ ରାଜ୍ୟ ସରକାର ଏନେଇ କ’ଣ ପଦକ୍ଷେପ ନେବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଲକଡାଉନ୍‌ ପାଇଁ ଲୋକଙ୍କ ଯାତାୟତ ଉପରେ କଟକଣା ଲାଗିଛି। ଲୋକେ ଘରୁ ବାହାରିଲେ ପୋଲିସ ଗିରଫ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହୁଛି। ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ଏଣୁ ଅଗଷ୍ଟ ମାସରେ କଟକଣା କୋହଳ ହେବ ନା କଡ଼ାକଡ଼ି ହେବ ତାହା ଆଉ କିଛି ସମୟ ପରେ ଜଣାପଡ଼ିଯିବ।

Comment