ଓଡିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଅଗଷ୍ଟ ୪ ତାରିଖରେ ‘ଓଡ଼ିଆ ସାମ୍ବାଦିକତା ଦିବସ’ ପାଳିତ ହେବ। ଏହି ଅବସରରେ ସଂସ୍ଥାନ ପକ୍ଷରୁ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ସାଢ଼େ ୪ଟାରେ ଅନ୍‍ଲାଇନ୍‌ରେ ଏହି ଆଲୋଚନାଚକ୍ର ହେବ ବୋଲି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସୂଚନା ଦେଇଛନ୍ତି।

ଏହି ଇ-ଆଲୋଚନାଚକ୍ରରେ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସନ୍ଦୀପ ସାହୁ, ଦୈନିକ ‘ସର୍ବସାଧାରଣ’ର କାର୍ଯ୍ୟକାରୀ ସମ୍ପାଦକ ପ୍ରସନ୍ନ ମହାନ୍ତି, ‘ଓଟିଭି’ର ଡେପୁଟି ଏଡିଟର ବବିତା ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସା’, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୁଜିତ ମହାନ୍ତି ଯୋଗ ଦେବେ। ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମ ସଂଞ୍ଚାଳନ କରିବେ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ମିଳିଛି।ଇ-ଆଲୋଚନାଚକ୍ରଟି ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିବ। ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିରେ ଯୋଗଦେବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁhttps://docs.google.com/forms/d/e/1FAIpQLSf2z1ZBAL8mD9HrkY3zJGRc8C9QaJcDbKwSC7RRdbZ2cGvN6Q/viewform ରେ ଆଗୁଆ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ମିଳିଛି।

ଆଲୋଚନାଚକ୍ରଟି ସାମ୍ବାଦିକତା ଛାତ୍ରଛାତ୍ରୀ, କାର୍ଯ୍ୟରତ ସାମ୍ବାଦିକ, ଶିକ୍ଷାବିତ୍‍ ତଥା ବୁଦ୍ଧିଜୀବୀଙ୍କ ପାଇଁ ଉପାଦେୟ ହେବ ବୋଲି ଡକ୍ଟର ଚାଟାର୍ଜୀ କହିଛନ୍ତି। ୧୮୬୬ ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ଏଣୁ ଏହି ଦିନଟିକୁ ପ୍ରତିବର୍ଷ ସଂସ୍ଥାନ ପକ୍ଷରୁ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଭାବେ ପାଳନ କରାଯାଉଛି।

Comment