ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାକ୍ଷୀ ତିଆରି କରିଥାନ୍ତି ପାଟରା ବିଶୋଇ ସେବକ। ସିଂହାରୀ ସେବକ ଦେବୀ ସୁଭଦ୍ରାଙ୍କ ତରଫରୁ ରାକ୍ଷୀ ବାନ୍ଧିଥାନ୍ତି।

ପୁରୀ ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଆଜି ପାଳିତ ହୋଇଛି। ବଡ଼ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ଦେବୀ ସୁଭଦ୍ରା ରାକ୍ଷୀ ବାନ୍ଧିଛନ୍ତି। ଏହି ପରମ୍ପରା ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ। ହେଲେ ଚଳିତବର୍ଷ କରୋନା ସଙ୍କଟ ପାଇଁ ବିନା ଭକ୍ତରେ ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି।

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ତିଆରି କରିଥାନ୍ତି ପାଟରା ବିଶୋଇ ସେବକ। ଗୋପାଳ ବଲ୍ଲଭ ଧୂପ ପରେ ପାଟରା ବିଶୋଇ ଶ୍ରୀମନ୍ଦିରକୁ ଯାଇ ମେକାପ ସେବାୟତଙ୍କୁ ରାକ୍ଷୀ ପ୍ରଦାନ କରିଥାନ୍ତି। ସିଂହାରୀ ସେବକ ଏହାକୁ ମହାପ୍ରଭୁଙ୍କୁ ଲାଗି କରାନ୍ତି।

ଏହି ରାକ୍ଷୀ ପାଟରେ ତିଆରି ହୋଇଥାଏ। ଏହି ରାକ୍ଷୀ ଫିତା ବେଣୀରେ ଛନ୍ଦା ହୋଇ ରଥ ଦଉଡ଼ି ଭଳି ତିଆରି କରାଯାଇଥାଏ।

ସବୁଠୁ ବଡ଼ କଥା ହେଉଛି ଆଜି ହେଉଛି ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମଦିନ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଆୟୋଜନ କରାଯାଉଛି। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ଲାଗି କରାଯାଇଥିଲା।

ସୁଦର୍ଶନ ମହାପ୍ରଭୁ ଆଜି ଚାରି ଆଶ୍ରମ ବିଜେ କରିବେ। ପ୍ରଥମେ ମାର୍କେଣ୍ଡୟ ଆଶ୍ରମ ଯିବେ। ସେଠାରେ ବେଦୀ ଉପରେ ଜନ୍ମ ନୀତି ହେବ। କୁମ୍ଭାର ବିଶୋଇ ସଂଗ୍ରହ କରିଥିବା ମାଟିରେ ବଡ଼ ଠାକୁରଙ୍କର ଶିଶୁ ମୂର୍ତ୍ତି ତିଆରି କରାଯାଇ ଜୀବନ୍ୟାସ ଦିଆଯିବ। ଏହାପରେ ବଡ଼ ଠାକୁରଙ୍କୁ ଭୋଗ ଲାଗି କରାଯିବ। ଏହାପରେ ସୁଦର୍ଶନ ଅତ୍ୟ ତିନି ଆଶ୍ରମ ଭୃଗୁ, ଅଙ୍ଗୀରା, ପଣ୍ଡୁ ଆଶ୍ରମ ଯିବେ। ଏହାପରେ ସ୍ୱତନ୍ତ୍ର ରଥରେ ବିରାଜମାନ କରିବେ।

Comment