ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନବେ ଦଶକର ଓଡ଼ିଆ ସିନେମାରେ ଏକଦା ଶିଶୁ କଳାକାର ଭାବେ ବେଶ୍ ନାଁ କରିଥିଲେ। ଏବେ ମୁମ୍ବାଇରେ ହିନ୍ଦୀ ୱେବ୍ ସିରିଜ୍‌ର ପ୍ରଯୋଜନା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ପ୍ରଯୋଜକ ସନ୍ଦୀପ ରାଉତ। ହିନ୍ଦୀ ୱେବ୍ ସିରିଜର ପ୍ରଯୋଜକ ହେବାରେ ସେ ସମ୍ଭବତଃ ପ୍ରଥମ ଓଡ଼ିଆ। ଅଗଷ୍ଟ ୧୪ରେ ତାଙ୍କ ପ୍ରଯୋଜିତ ହିନ୍ଦୀ ୱେବ୍ ସିରିଜ୍ ‘ଉଡ୍‌ପେକର’ ‘ଉଲୁ ଓରିଜିନାଲ’ରେ ରିଲିଜ୍ ହେବାକୁ ଯାଉଛି। ଗତ ୯ ତାରିଖ ରବିବାର ଏହାର ଟ୍ରେଲର ଆସିବା ପରେ ଇଣ୍ଟରନେଟ୍‌ରେ ଏହା ବିପୁଳ ଭିଉ ପାଇବା ସହ ଚର୍ଚ୍ଚାରେ ରହିଲାଣି। ରାଜେଶ ପଟେଲ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ‘ପବିତ୍ର ରିସ୍ତା’ ଫେମ୍ ପ୍ରୟାଗ ତ୍ୟାଗି ଓ ମୁମ୍ବାଇ ଟିଭି ଜଗତର ପରିଚିତ ଚେହେରା ଲିରା ସୋନି ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି।

ଚର୍ଚ୍ଚାରେ ଥିଲେ ଏହି ଶିଶୁ କଳାକାର

ନବେ ଦଶକର ଅନେକ ସୁପରହିଟ୍ ସିନେମାରେ ଶିଶୁ କଳାକାର ଭାବେ ସନ୍ଦୀପ ରାଉତଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ୯ ବର୍ଷ ବୟସରେ ସେ ‘ଭୀଷ୍ମ ପ୍ରତିଜ୍ଞା’ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ଭାଗ୍ୟ ହାତେ ଡୋରି, ରାମ ଲକ୍ଷ୍ମଣ, ଲକ୍ଷ୍ମଣରେଖା, ଜୀବନସାଥୀ, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ସନ୍ତାନ, ନାରୀ ଆଖିରେ ନିଆଁ ଭଳି ଅନେକ ହିଟ୍ ସିନେମାରେ ସନ୍ଦୀପ ନିଜ ଅଭିନୟ ଛାପ ଛାଡ଼ିଛନ୍ତି। ହିରୋ ହେବା ଅପେକ୍ଷା ସେ ପ୍ରଯୋଜକ ଭାବେ ନିଜକୁ ଦେଖିବା ପାଇଁ ବେଶୀ ପସନ୍ଦ କରିଥିଲେ।

୧୯୯୮ରେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ବିଧାତାର ଖେଳ’ରେ ସେ ଉଭୟ ଅଭିନୟ ଓ ପ୍ରଯୋଜନା ଭୂମିକାରେ ରହିଥିଲେ। ଅନେକ ସଫଳ ଧାରାବାହିକର ସେ ପ୍ରଯୋଜକ ରହିଛନ୍ତି। ତାଙ୍କ ବାପା ମଧ୍ୟ ଓଡ଼ିଆ ସିନେମା ଓ ଧାରାବାହିକ ଜଗତର ଜଣେ ସଫଳ ପ୍ରଯୋଜକ। ୨୦୦୩ରେ ନାରୀ ଆଖିରେ ନିଆଁ ଥିଲା ତାଙ୍କ ଅଭିନୀତ ଶେଷ ସିନେମା। ଏହାପରେ ସେ ପ୍ରଯୋଜନାରେ ମନୋନିବେଶ କରିଥିଲେ। ଏବେ ତାଙ୍କୁ ମୁମ୍ବାଇ ସିନେ ପ୍ଲାଟଫର୍ମରେ ଦେଖିବାକୁ ମିଳିବା ପରେ ଓଡ଼ିଶାରୁ ତାଙ୍କୁ ବିପୁଳ ଶୁଭେଚ୍ଛା ମିଳିବାରେ ଲାଗିଛି।

Comment