ଓଡିଶାଲାଇଭ୍ ବ୍ୟୁରୋ

ମୋଦୀ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ। କମଳା ହ୍ୟାରିସଙ୍କୁ ପ୍ରାର୍ଥୀ କରି ବିଡେନ ଇଣ୍ଡିଆନ୍ କାର୍ଡ ଖେଳିସାରିଥିବା ବେଳେ, ଏବେ ଟ୍ରମ୍ପଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭରସା। ତାଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରୁଛି, ଟ୍ରମ୍ପଙ୍କ କ୍ୟାମ୍ପେନିଂ ଟିମ୍।

  • ଟ୍ରମ୍ପଙ୍କ କ୍ୟାମ୍ପେନରେ ମୋଦୀ
  • ଭିଡିଓ ରିଲିଜ୍ କଲା କ୍ୟାମ୍ପେନିଂ ଟିମ୍
  • ଭାରତୀୟ ଭୋଟରଙ୍କୁ ମନାଇବାକୁ ଚେଷ୍ଟା
  • ମୋଦୀଙ୍କ ଲୋକପ୍ରିୟତା ଉପରେ ଟ୍ରମ୍ପଙ୍କ ନଜର

ଭାରତୀୟ ଭୋଟରଙ୍କୁ ମନାଇବା ପାଇଁ ଜୋବିଡେନ ଇଣ୍ଡିଆନ କାର୍ଡ ଖେଳିଥିବା ବେଳେ, ଏବେ ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ତାଙ୍କ କ୍ୟାମ୍ପେନିଂରେ ବ୍ୟବହାର କରିଛନ୍ତି। ଭାରତୀୟ ବଂଶୋଦ୍ଭବ କମଳା ଦେବୀ ହ୍ୟାରିସ ଡେମୋକ୍ରାଟ ଉପ ରାଷ୍ଟ୍ରପତି ପ୍ରାର୍ଥୀ। ଏଥିରେ ଭାରତୀୟ ଭୋଟରଙ୍କ ସମର୍ଥନ ପାଇବା ପାଇଁ ବିଡେନ ବେଶ ଆଶାବାଦୀ। ସେପଟେ ପ୍ରାୟ ୨୦ ଲକ୍ଷ ଭାରତୀୟ ଆମେରିକୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରମ୍ପ ତାଙ୍କ କ୍ୟାମ୍ପେନିଂ ଭିଡିଓରେ ମୋଦୀଙ୍କ ଭାଷଣକୁ ସାମିଲ କରିଛନ୍ତି। ମୋଦୀଙ୍କ ସହ ତାଙ୍କର ବିଭିନ୍ନ ଭିଡିଓ, ଭାଷଣ, ଫଟୋକୁ ବ୍ୟବହାର କରିଛନ୍ତି।

ମୋଦୀଙ୍କର ଦ୍ୱିତୀୟ ପାଳିର ଆଉ ୪ ବର୍ଷ ଥିବା ବେଳେ, ସେ ତାଙ୍କ ୧୦୭ ସେକେଣ୍ଡର କ୍ୟାମ୍ପେନିଂ ଭିଡିଓର ଟାଇଟଲ ମଧ୍ୟ ରଖିଛନ୍ତି “ଆହୁରି ୪ ବର୍ଷ”- ଫୋର ମୋର ଇୟର୍ସ। ଏହି ଭିଡିଓ ରିଲିଜ କରିବା ସହ ଆମେରିକା କିପରି ଭାରତୀୟଙ୍କ ସହ ଏକ ସୁନ୍ଦର ସମ୍ପର୍କ ରଖି ଆସିଛି ସେ ସମ୍ପର୍କରେ ଉଲ୍ଲେଖ ହୋଇଛି।ଏହା ସହ ଭିଡିଓରେ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯିବା ବେଳେ ପ୍ରବାସୀ ଭାରତୀୟଙ୍କୁ କ’ଣ କହିଥିଲେ। ଟ୍ରମ୍ପଙ୍କ ଭାରତ ଗସ୍ତ ଓ ଭାଷଣ ମଧ୍ୟ ଏ ଭିଡିଓରେ ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର କ୍ୟାମ୍ପେନିଂର ନେତୃତ୍ୱ ନେଉଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଏଥର ଭାରତୀୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହା ସହ ମୋଦୀଙ୍କ ଲୋକପ୍ରିୟତା ଯଥେଷ୍ଟ ରହିଥିବାରୁ, ଏହାକୁ ତାଙ୍କ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛନ୍ତି ଟ୍ରମ୍ପ। ବିଶେଷ କରି ମିଚିକାନ୍, ସିଲଭାନିଆ, ଓହିଓ ଷ୍ଟେଟରେ ଏହି ଭିଡିଓ ବେଶ ପ୍ରଭାବଶାଳୀ ହେବ ବୋଲି ଟ୍ରମ୍ପଙ୍କ କ୍ୟାମ୍ପେନିଂ ଟିମ୍ ଆଶାବାଦୀ ଅଛନ୍ତି। ପ୍ରଥମ ଥର ପାଇଁ ହିନ୍ଦୁମାନେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସମସ୍ତଙ୍କ ନଜରକୁ ଆସିଛନ୍ତି।BGUଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ପତ୍ନୀ ଓ ଝିଅଙ୍କ ସମେତ ଅନ୍ୟ ବରିଷ୍ଠ ସହଯୋଗୀମାନଙ୍କୁ ନେଇ ଆସିଥିଲେ। ସେଠାରେ ମୋଦୀଙ୍କ ଲୋକପ୍ରିୟତା ଦେଖିଥିଲେ। ଏହା ପୂର୍ବରୁ ହାଓଡି ମୋଦି କାର୍ଯ୍ୟକ୍ରମରେ ଆମେରିକାର ପ୍ରାୟ ୫୦ ହଜାର ଭାରତୀୟ ଏକାଠି ହୋଇଥିଲେ। ଏ ଭିଡ଼ ଓ ଲୋକପ୍ରିୟତାକୁ ଦେଖି ନିଜ ସମର୍ଥନରେ ଭାରତୀୟଙ୍କୁ ଆଣିବା ପାଇଁ ଟ୍ରମ୍ପଙ୍କ ଟିମ୍ ଦିନ ରାତି ଏକାଠି କରିଦେଇଛନ୍ତି।

Comment