ଓଡ଼ିଶାଲାଇଭ୍‌ ବ୍ୟୁରୋ

flood in balasore area pic

ଲଗାଣ ବର୍ଷା ଯୋଗୁ ବାଲେଶ୍ୱରରେ ବନ୍ୟା ପରିସ୍ଥିତି। ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, କିଛି ତଳିଆ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଛନ୍ତି। ମଥାନୀ ନିକଟରେ ଜଳକାର ବିପଦ ସଂକେତ ୫.୫୧ ମିଟର ଥିବା ବେଳେ ଏବେ ଜଳକା ୬.୫୧ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖାରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ଜଳପତ୍ତନ ୮.୧୬ ମିଟର ରହିଛି। ଏନଏଚ ୫ ନିକଟରେ ବୁଢ଼ାବଳଙ୍ଗର  ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ୫.୫୦ ଉପରେ ପ୍ରବାହିତ ହେଉଛି।

BGU

ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି। ଗତକାଲି ରାତିରୁ ଲଗାତର ବର୍ଷା ହେଉଛି। ଭୋଗରାଇରେ ୧୦୩ ମିଲିମିଟର ବର୍ଷା ହୋଇଛି। ବସ୍ତାରେ ୭୫ ଏମଏ, ଜଳେଶ୍ୱରରେ ୫୪ ଏମଏମ, ବାଲିଆପାଳରେ ୭୪ଏମଏମ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱରରେ ୭୦ଏମଏମ, ରେମୁଣାରେ ୬୫ଏମଏମ, ନୀଳଗିରିରେ ୧୧୦ ଏମଏମ, ସୋରରେ ୮୫ ଏମଏମ, ସମିୁଲିଆରେ ୧୨୨ ଏମଏମ, ବାହାନଗାରେ ୮୫ ଏମଏମ, ଔପଦାରେ ୮୫ ଏମଏମ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ମୋଟ ବର୍ଷାର ପରିମାଣ ୨୦୧୧ ଏମଏମ ବର୍ଷା ହୋଇଥିବା ଜିଲ୍ଲା ଜରୁୀକାଳୀନ ଅଫିସ ସୂତ୍ରରୁ ଜଣାପଡ଼ିଛି।

flood in balasore area

ଜଳକା ବିପଦ ସଂକେତ ଉପରେ  ପ୍ରବାହିତ ହେଉଛି। ନଦୀ କୂଳିଆ ଅଞ୍ଚଳର ଆତଙ୍କିତ ଅବସ୍ଥାରେ ଅଛନ୍ତି। କିଛି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଲୋକ ଚିନ୍ତାରେ ପଡ଼ିଯାଇଛନ୍ତି। ମଥାନୀ ପଞ୍ଚାୟତ ସମେତ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। ବନ୍ୟାପ୍ରଭାବିତ ଗାଁଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ  କରାଯାଇଛି। ସାନଖୁଡ଼ି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୩ ଦିନ ଧରି ଜଳକାର ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ଜଳକା ସ୍ଥିତି ଚିନ୍ତାଜନକ ରହିଛି। ଶହଶହ ହେକ୍ଟର ବନ୍ୟାଜଳରେ ବୁଡ଼ି ରହିଛି। ଆଉ ତିନି ଚାରିଦିନ ଏ ସ୍ଥିତି ଲାଗି ରହିଲେ, ଖରିଫ ଫସଲ ବ୍ୟାପକ ଭାବେ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ମଥାନୀ, ବାହାର୍ଦ୍ଦା, କୁଡ଼ିଆ, ଦରଡ଼ା ଆଦି ପଞ୍ଚାୟତ ବେଶୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ତେବେ ସୁବର୍ଣ୍ଣରେଖାରେ ଏବେ ଜଳସ୍ତର ବିପଦ ସଂକେତଠାରୁ ଯଥେଷ୍ଟ ନିମ୍ନରେ ପ୍ରବାହିତ ହେଉଥିଲେ ମଧ୍ୟ, ଉପର ଅବବାହିକା ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାର ରେକର୍ଡ କରାଯାଇଛି। ବିଶେଷ କରି ଜାମସେଦପୁର, ଜାମଶୋଳା, ଘାଟଶୀଳା, ଫେକିଘାଟ ଓ ରାଜଘାଟ ଅବବାହିକାରେ ପ୍ରବଳ ବର୍ଷାର ରେକର୍ଡ ହୋଇଛି। ଯଦି ଲଗାଣ ବର୍ଷା ୨୪ଘଣ୍ଟାରୁ ଅଧିକ ସମୟ ଜାରି ରହିବ ତେବେ ନିମ୍ନ ଅବବାହିକା, ବିଶେଷ କରି ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟିହେବାର ଆଶଙ୍କା ରହିଛି। ତେବେ ପଶ୍ଚିମବଙ୍ଗ ସୀମାନ୍ତ ଜମିଗୁଡ଼ିକ ଏବେ ବି ପାଣିରେ ବୁଡ଼ି ରହିଛି। ପଶ୍ଚିମବଙ୍ଗର ଉଦବୃତ୍ତ ଜଳ ଜଳେଶ୍ୱର ରାଇବଣିଆ ଅଞ୍ଚଳରେ  ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ଏବେ ବି ଶହଶହ ହେକ୍ଟର ଜମି ବୁଡ଼ି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Comment