ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ବର୍ଷା କାରଣରୁ ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି।

  • ବୈତରଣୀ ନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା
  • ବିପଦ ସଙ୍କେତ ଉପରେ ବୋହୁଛି ଜଳକା ନଦୀ
  • କେନ୍ଦୁଝରରେ ନାଳରେ ଭାସିଗଲା ଟ୍ରକ ଏବଂ କାର୍
  • ବଡ଼ଧରଣର ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ ଘନ ଲଘୁଚାପ ବର୍ଷା ସାଙ୍ଗକୁ ଫୁଲୁଛି ନଦୀ। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ମହାନଦୀରେ ମଧ୍ୟ ବନ୍ୟା ଆସିପାରେ ବୋଲି କୁହାଯାଉଛି। ତେଣୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବନ୍ୟା ନେଇ ସତର୍କ କରାଇଦେଇଛନ୍ତି।flood in balasoreଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଯାହାର ପ୍ରଭାବରେ ବାଲେଶ୍ୱରର ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀରେ ବି ମଧ୍ୟମ ଧରଣର ବନ୍ୟା ହେବା ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବୈତରଣୀରେ ମଧ୍ୟମ ଧରଣର ବନ୍ୟା                                             

ଲଘୁଚାପ ବର୍ଷାର ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଯାହାକି ଆଜି ସନ୍ଧ୍ୟାପରେ ଆହୁରି ବୃଦ୍ଧି ପାଇ ଏକ ମଧ୍ୟମ ଧରଣ ବନ୍ୟାର ରୂପ ନେବ ବୋଲି କୁହାଯାଇଛି। ବୈତରଣୀ ନଦୀରେ ଜଳସ୍ତର ବଢ଼ିଲେ ଯାଜପୁର ଜିଲ୍ଲା  ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଜିଲ୍ଲାର କୋରେଇ, ବଞ୍ଝାରପୁର ଓ ବରି ଆଦି ଅଞ୍ଚଳ ଜଳମଗ୍ନ ହେବା ନେଇ ଆଶଙ୍କା କରାଯାଉଛି। ଏଥିସହିତ ଉପକୂଳ ଓ ତଳିଆ ଅଞ୍ଚଳର ଲୋକମାନେ ମଧ୍ୟ ବନ୍ୟାଦ୍ୱାରା ପ୍ରଭାବିତ ହେବେ।ସେହିପରି ଭଦ୍ରକର ଆଖୁଆ ପଦାଠାରେ ମଧ୍ୟ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ଏବେଠୁ ଜଳମଗ୍ନ ହୋଇସାରିଲାଣି। ତେଣୁ ଆଗକୁ ବୈତରଣୀ ବଢ଼ିଲେ ଜିଲ୍ଲାର ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହିତ ସେ ଅଞ୍ଚଳରେ ଥିବା ହେକ୍ଟର ହେକ୍ଟର ଚାଷ ଜମି ମଧ୍ୟ ପ୍ରବାହିତ ହେବ। ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଏବେଠାରୁ ଭଦ୍ରକରେ ଏନଡିଆରଏଫ୍ ଟିମ୍ ଓ ଓଡ୍ରାଫ୍ ଟିମ୍ ମୂତୟନ ହୋଇଛନ୍ତି।

ବାଲେଶ୍ୱର ପାଇଁ ବିପଦ ଜଳକା ନଦୀ

ବାଲେଶ୍ୱର ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ। ଯାହାର ପ୍ରଭାବରେ ତଳିଆ ଅଞ୍ଚଳର କିଛି ଲୋକ ଏବେଠୁ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳୁଛି। ମଥାନୀ ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଥିବାବେଳେ ଆସନ୍ନ ବନ୍ୟାର ସ୍ଥିତି ଦେଖାଦେଇଛି।ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଲୋକମାନଙ୍କୁ ଆତଙ୍କିତ କରିଛି। କିଛି ସ୍ଥାନରେ ନଦୀବନ୍ଦ ଦୁର୍ବଳ ଥିବାରୁ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ମଥାନୀ ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସୁବର୍ଣ୍ଣରେଖାର ମଧ୍ୟ ଜଳପତ୍ତନ ବିପଦ ସଙ୍କେତ ତଳେ ଥିଲେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଉପର ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ଏପରି ଅନୁମାନ କରାଯାଉଛି। ଯଦି ଲଗାଣ ବର୍ଷା ଜାରି ରହିବ ତେବେ ନିମ୍ନ ଅବବାହିକାରେ ଥିବା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟିହେବାର ଆଶଙ୍କା ରହିଛି।

ମହାନଦୀର ଶାଖା ନଦୀ ଫୁଲୁଛି

ମହାନଦୀରେ ଏପର୍ଯ୍ୟନ୍ତ ସେପରି କୌଣସି ବନ୍ୟା ଆସିନଥିଲେ ମଧ୍ୟ ଏହାର ଶାଖାନଦୀ କିନ୍ତୁ ଫୁଲିବା ଆରମ୍ଭ କରିଦେଇଛି। ବାଙ୍କୀ ଅଞ୍ଚଳରେ ପ୍ରବାହିତ ରଣ ନଦୀରେ ବନ୍ୟା ଆସି ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିଯାଇଛି। ବିଲିପଡ଼ା ଅଞ୍ଚଳକୁ ବନ୍ୟା ପାଣି ମାଡିଆସିବା ସହ ରାସ୍ତା ଉପରେ ୫ରୁ ୬ ଫୁଟର ପାଣି ବୋହୁଥିବା ଦେଖିବାକୁ ମିଳିଛି।କେନ୍ଦୁଝରରେ ଭାସିଗଲା ଟକ୍ର, କାର

ଗତ କିଛିଦିନ ଧରି କେନ୍ଦୁଝରରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେଣୁ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ବର୍ଷାଜଳ ପ୍ରବାହିତ ହେଉଛି। ଏସବୁ ମଧ୍ୟରେ ଆଜି କେନ୍ଦୁଝରର ଆନନ୍ଦପୁର ଅଞ୍ଚଳରେ ଥିବା ଜଞ୍ଜାଳି ନାଳରେ ଏକ କାର୍ ଭାସିଯାଇ ଜଣେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସେହିପରି କେନ୍ଦୁଝରର ସ୍ୱାମପାଟଣା ଅଞ୍ଚଳରେ ଥିବା ଏକ ନାଳରେ ଆଜି ଏକ ଟ୍ରକ ଭାସିଯାଇଥିବା ଦେଖିବାକୁ ମିଳିଛି। ନାଳରେ ପ୍ରବଳ ଜୋରରେ ବର୍ଷା ପାଣି ଯାଉଥିଲେ ମଧ୍ୟ ଜଣେ ଟ୍ରକଚାଳକ ଅମାନିଆ ହୋଇ ଗାଡ଼ି ନେବାବେଳେ ଗାଡ଼ିଟି ଭାସିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।BGUବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ

ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହେଉଥିଲେ ମଧ୍ୟ ବଡ଼ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଛି, ହେଲେ ମହାନଦୀର ଜଳସ୍ତର ବୃଦ୍ଧି ପାଇଲେ ବି ବନ୍ୟା ପରିସ୍ଥିତି ହେବନି ବୋଲି ସେ କହିଛନ୍ତି।

Comment