ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବସ୍ତା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି। ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ମଥାନୀ ନିକଟରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବା ବେଳେ ଏହା ୭.୦୨ ମିଟର ଉପରେ ପ୍ରବାହିତ ହେଉଛି। କିଛି ସ୍ଥାନରେ କଚ୍ଚାଘର ଭୁଶୁଡ଼ିଥିବାର ଖବର ଆସିଛି।

ସେହିପରି ବୁଢ଼ାବଳଙ୍ଗ ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରେମୁଣା ଓ ବାଲେଶ୍ୱର ସଦର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ଓ ଉତ୍ତର ବାଲେଶ୍ୱରକୁ ସଂଯୋଗ କରୁଥିବା ଫୁଲାଡ଼ି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ରାସ୍ତା ଦେଇ ଉଭୟ ବ୍ଲକ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଏନଏଚ ୫ ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ବିପଦ ସଂକେତ ୮.୧୩ ମିଟର ଟପି ୮.୧୮ ମିଟର ଉପରେ ପ୍ରବାହିତ ହେଉଛି।

JALAKA FLOOD

ସୁବର୍ଣ୍ଣରେଖା ସତର୍କ ସଂକେତ ଟପି ୯.୩୭ ମିଟର ଉପରେ ପ୍ରବାହିତ ହେଉଛି। ବାଲିକବାଡ ଗାଁ ନିକଟରେ ସୁବର୍ଣ୍ଣରେଖାରେ ଅତଡ଼ା ଖସୁଥିବାରୁ ନଦୀକୂଳିଆ  ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହାର ନିକଟବର୍ତ୍ତୀ କ୍ଷୁଦ୍ର ନାଳ ଖାଳଯୋଡ଼ିଖାଳ ଓ ଅଣ୍ଡିଆ ଖାଳ ଏବେ ବିପଦ ପାଲଟିଛି। ସେହିପରି ବାଲିଆପାଳ ବ୍ଲକର ୪ଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି।

ସିମୁଳିଆ ବ୍ଲକ ଦେଇ ପ୍ରବାହିତ କାଂଶବାଂଶ ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୭.୫ ମିଟର ଥିବା ବେଳେ ବନ୍ୟାଜଳ ୭.୬୫ ମିଟର ଉପରେ ପ୍ରବାହିତ ହେଉଛି। ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ସୋରରେ ମଧ୍ୟ ବର୍ଷା ଜଳ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

BGU

ବାଲେଶ୍ୱର ସମେତ ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭୋଗରାଇ, ବସ୍ତା, ବାଲିଆପାଳ ବ୍ଲକର ବିଭିନ୍ନ ତଳିଆ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି। ଉପରମୁଣ୍ଡରେ ଯଦି ଅଧିକ ବର୍ଷା ହୁଏ ତେବେ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି। ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ବନ୍ଧ ଦୁର୍ବଳ ଅବସ୍ଥାରେ ଥିବାରୁ ଲୋକଙ୍କର ନିଦ ହଜିଯାଇଛି।

JALAKA FLOOD

ଶହ ଶହ ହେକ୍ଟର ଜମି ବନ୍ୟାଜଳରେ ବୁଡ଼ିଥିବାରୁ ଚାଷ ନଷ୍ଟହେବ। ଧାନଗଛ ସବୁ ୪ଦିନ ହେଲା ପାଣିରେ  ବୁଡ଼ି ରହିଥିବାରୁ ପଚିଯିବାର ଯଥେଷ୍ଟ ଆଶଙ୍କା ରହିଛି। ଗତ ଅମ୍ଫାନ ଯୋଗୁ ରବି ଫସଲ ନଷ୍ଟ ହୋଇଥିବା ବେଳେ ଏଥର ଖରିଫ ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପ୍ରଶାସନ ଓ ସବୁ  ପଞ୍ଚାୟତର ସରପଞ୍ଚମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ଅଛନ୍ତି।

Comment