ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ର ମଣିପୁର ଗାଁ ଏବେ ବନ୍ୟାଜଳ ଘେରରେ ରହିଛି। ଫଳରେ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁ ଲୋକେ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ସମ୍ଭବ ହୋଇ ପାରୁନାହିଁ। ମହାନଦୀର ଶାଖା ନଦୀ କାଳିଗିରୀର ଉଜାଣି ପାଣିରେ ଏପରି ସ୍ଥିତି ଉପୁଜିଛି।
ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି କାର୍ଯ୍ୟ ପାଇଁ ଲୋକମାନେ ସରକାରୀ ବୋଟ୍ ଉପରେ ନିର୍ଭର କରୁଛନ୍ତି। ଗତକାଲି ଗାଁର ୪ ଜଣ ଗର୍ଭବତୀ ମହିଳାଙ୍କୁ ବୋଟ୍ ଯୋଗେ ନିରାପଦ ସ୍ଥାନକୁ ସ୍ତାନାନ୍ତର କରାଯାଇଥିବା ସୂଚନା ମିଳିଛି।ଭାପୁର ବ୍ଲକର ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁ ବନ୍ୟାଜଳ କାରଣରୁ ପ୍ରଭାବିତ ହୋଇଛି। ସହିପରି ଜିଲ୍ଲାର ଗଣିଆଁ ବ୍ଲକର ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗଣିଆ-ରାସଙ୍ଗ ରାସ୍ତା ଉପରେ ୩ ରୁ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ରାସଙ୍ଗ, ଛାମୁଣ୍ଡିଆ, ବେଣ୍ଟପଡ଼ା, ମୁଦୁଲି ଗାଡ଼ିଆ, ବଡ଼ମୁଳ, କୁମ୍ଭୀରଖଣି ଓ ବଡ଼ସିଲିଙ୍ଗା ଆଦି ୨୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ତହସିଲଦାର ତୃପ୍ତି ମହାନ୍ତି ପାଣିଘେରରେ ଥିବା ଏହି ଗାଁ ପରିଦର୍ଶନ କରିଛନ୍ତି। ବନ୍ୟାଜଳ ପ୍ରଭାବିତ ଅଞ୍ଚଳରେ ଥିବା ଗୃହପାଳିତ ପ୍ରାଣୀ ଓ ଗରିବ ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ଏବଂ ଜରୁରୀ ଔଷଧ ପତ୍ର ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।