ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମସି ପକ୍ଷରୁ ପ୍ରଫେସର କେ ଏମ୍ଶ୍ରୀବାସ୍ତବ ସ୍ମାରକୀ ବକ୍ତୃତା ପାଳିତ।

“ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି। କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ନିଶ୍ଚୟ ବୃଦ୍ଧି ହୋଇପାରିବ”, କହିଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର।

ଶୁକ୍ରବାର ପୂର୍ବାହ୍ଣରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ପକ୍ଷରୁ ପଞ୍ଚମ ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବ ସ୍ମାରକୀ ଇ-ବକ୍ତୃତା ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେଇ ପ୍ରଫେସର ମହାପାତ୍ର ‘ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନ: ଏହା କ’ଣ ଏକ ନୂଆ ଆଦର୍ଶାନୁଗତ’ ଉପରେ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାରଣ, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷାର୍ଥୀମାନେ ଡିଜିଟାଲ ଯୁଗର। ଅର୍ଥାତ୍‍, ସେମାନେ ପିଲାଦିନୁ ଡିଜିଟାଲ୍‍ ଟେକ୍ନୋଲୋଜିକୁ ଆପଣାଇ ନେଉଛନ୍ତି। ଏଣୁ ଏବେ ତଥା ଆଗାମୀ ଦିନରେ ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନର ଆଦର ରହିଛି। ତେବେ ୟା’ ମାନେ ନୁହେଁ ଯେ ଶିକ୍ଷକମାନଙ୍କ ଗୁରୁତ୍ୱ କମିଯିବ। ଏହା କେବେ ନୁହେଁ। କାରଣ ଟେକ୍ନୋଲୋଜି କେବଳ ଏକ ମାଧ୍ୟମ, ଏକ ବାହନ। ବରଂ ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ବଢ଼ିପାରିବ। ଯେହେତୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷାରେ କେବଳ ଶିକ୍ଷାର୍ଥୀ ନୁହେଁ, ତାଙ୍କ ପରିବାର ସଦସ୍ୟ, ବନ୍ଧୁ ମଧ୍ୟ ସାମିଲ ହୋଇପାରିବେ, ସେଥିପାଇଁ ଶିକ୍ଷକମାନେ ଅଧିକ ସଚେତନ ରହି ଶିକ୍ଷାଦାନ କରିବେ। ବିଷୟବସ୍ତୁ ପ୍ରସ୍ତୁତବେଳେ ପୂର୍ବାପେକ୍ଷା ଅଧିକ ଧ୍ୟାନ ଦେବେ। ଶିକ୍ଷକମାନେ ଅଧିକରୁ ଅଧିକ ପ୍ରସ୍ତୁତ ହୋଇ ଶିକ୍ଷାଦାନ କରିବେ। ଶିକ୍ଷାର୍ଥୀଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ହେବ। ସେମାନେ ସିଧାସଳଖ ଶିକ୍ଷାଦାନ ପଦ୍ଧତିରେ ଅଂଶଗ୍ରହଣ କରିପାରିବେ ବୋଲି ପ୍ରଫେସର ମହାପାତ୍ର ମତବ୍ୟକ୍ତ କରିଛନ୍ତି।ସେ ଆହୁରି କହିଛନ୍ତି, ନିକଟରେ ଆସିଥିବା ଶିକ୍ଷା ନୀତିରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି। ଆଗାମୀ ୨୦ ବର୍ଷ ମଧ୍ୟରେ ଶିକ୍ଷାର ପ୍ରତିଟି କ୍ଷେତ୍ରରେ ଏହା ନିଶ୍ଚୟ ପ୍ରବେଶ କରିବ। କାରଣ, ବର୍ତ୍ତମାନ ଶିକ୍ଷାର ଶୈଳୀ, ଶିକ୍ଷାର୍ଥୀଙ୍କ ଚରିତ, ଶିକ୍ଷାଦାନର ପରିବେଶ ସବୁକିଛି ବଦଳିବାରେ ଲାଗିଛି। ଶିକ୍ଷାର୍ଥୀମାନେ ୟୁଟ୍ୟୁବ୍‍ ଭିଡିଓ, ବିଭିନ୍ନ ଅଡିଓ ଫାଇଲ୍‍ ଆଦି ମାଧ୍ୟମରେ ଶିକ୍ଷାଗ୍ରହଣକୁ ପସନ୍ଦ କରୁଛନ୍ତି। ସେମାନେ ନିଜେ ବ୍ଲଗ୍‍ ଲେଖୁଛନ୍ତି, ଚାଟ୍‍ ରୁମ୍‍କୁ ଯାଉଛନ୍ତି ଓ ସିଧାସଳଖ ଅଂଶଗ୍ରହଣ କରୁଛନ୍ତି। ସେହିପରି ଆଜିକାଲି ଅନେକ ଶିକ୍ଷାର୍ଥୀ ସରକାରୀ କ୍ଷେତ୍ରରେ ସ୍ଥାୟୀ କ୍ୟାରିଅର୍‍ ଅପେକ୍ଷା ସେମାନଙ୍କ କ୍ୟାରିଅର୍‍ର ପ୍ରଗତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅର୍ଥାତ୍‍, ବିଭିନ୍ନ ଆନୁଷଙ୍ଗିକ ଶିକ୍ଷା ମାଧ୍ୟମରେ ନିଜର ଦକ୍ଷତା ବୃଦ୍ଧି କରିବା, ନିଜକୁ  ଯୁଗୋପଯୋଗୀ ଭାବେ ଗଢିବା ଏବଂ ନିଜ ଦକ୍ଷତା ଅନୁସାରେ ଚାକିରି କରିବାକୁ ପସନ୍ଦ କରୁଛନ୍ତି। ଏହାଛଡ଼ା ଶିକ୍ଷାଗ୍ରହଣ ସମୟରୁ ସେମାନେ କିଛି ନା କିଛି ରୋଜଗାର କରିବାକୁ ମଧ୍ୟ ଚାହୁଁଛନ୍ତି। ଏସବୁ ଦୃଷ୍ଟିରୁ ବର୍ତ୍ତମାନର ଶିକ୍ଷା ଆଉ ଶିକ୍ଷକକୈନ୍ଦ୍ରିକ ହୋଇ ରହିନାହିଁ। ଶିକ୍ଷା ଏବେ ଶିକ୍ଷାର୍ଥୀକୈନ୍ଦ୍ରିକ। ତେବେ ଦିନକୁ ଦିନ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ, ଭର୍ଚୁଆଲ୍‍ ରିଅଲଟି, ମେସିନ୍‍ ଲର୍ଣ୍ଣିଂ, ରୋବୋଟିକ୍‍ ସିଷ୍ଟମ୍‍ ପରି ଟେକ୍ନୋଲୋଜିର ନୂଆ ଉଦ୍ଭାବନ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ହୋଇ ଠିଆହୋଇଛି। କମ୍ପାନୀଗୁଡ଼ିକ ବିଚାରସମ୍ପନ୍ନ ତଥା ସ୍ୱତନ୍ତ୍ର ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଅଧିକ ସୁଯୋଗ ଦେଉଛନ୍ତି। ଏସବୁ ଦୃଷ୍ଟିରୁ ଡିଜିଟାଲ୍‍ ଶିକ୍ଷା ଧୀରେଧୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ନୂଆ ଆଦର୍ଶାନୁଗତ ହେବ ବୋଲି ସେ ପ୍ରଫେସର ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।BGUପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଧୀରେଧୀରେ ଡିଜିଟାଲ୍‍ ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଯୋଡ଼ି ହୋଇଯାଉଛି। ତେବେ ବର୍ତ୍ତମାନର କୋଭିଡ୍‍-୧୯ ସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଏହା ହଠାତ୍‍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଏବେ ସ୍କୁଲ୍‍, କଲେଜ ସବୁ ବନ୍ଦ, କ୍ଲାସ୍‍ ହେଉନି। ଏମିତି ଏକ ପରିସ୍ଥିତିରେ ଆମ ପାଖରେ ଦୁଇଟି ବିଳଳ୍ପ ରହିଛି। ଆଦୌ ଶିକ୍ଷା ନହେବା କିମ୍ବା ଟେକ୍ନୋଲୋଜିଭିତ୍ତିକ ଶିକ୍ଷା। ଏ ଦୁଇଟିରୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷା ବହୁତ ଭଲ। ସେହିଭଳି ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବଙ୍କ ଉପରେ ସେ କହିଛନ୍ତି, ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ତାଙ୍କର ବେଶ୍‍ ଅବଦାନ ରହିଛି। ଗଣମାଧ୍ୟମ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଉପରେ ସେ ବେଶ୍‍ କେତୋଟି ଉପାଦେୟ ବହି ଲେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ଇ-ବକ୍ତୃତା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର।

Comment