ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ମହାନଦୀ ଆଣିଲା ବନ୍ୟା
  • ବାଙ୍କୀର ଗୟଳବାଙ୍କରେ ୫୦ ଫୁଟର ଘାଇ
  • ନରାଜରେ ବିପଦ ସଙ୍କେତ ପାର୍ କଲା ମହାନଦୀର ଜଳସ୍ତର
  • ଯାଜପୁରରେ ୫୫୦ ଗାଁ ଜଳମଗ୍ନ, ଲୋକେ ହନ୍ତସନ୍ତ
  • ୬ ବରିଷ୍ଠ ଆଇଏଏସଙ୍କୁ ବନ୍ୟା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ମହାନଦୀରେ ଆଣିଛି ଜଳ ପ୍ରଳୟ। ଲଗାତାର ଭାବେ ନଦୀର ଜଳସ୍ତର ବଢୁଥିବାବେଳେ ଉପକୂଳିଆ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ। ଲୋକମାନଙ୍କ ଫସଲରେ ବନ୍ୟାପାଣି ମାଡ଼ିବା ସହିତ କେତେକଙ୍କ ଘର ଭାଙ୍ଗି ମହାନଦୀ ସେମାନଙ୍କୁ ବେସାହାରା କରିଦେଇଛି।

ହୀରାକୁଦରୁ ଏବେ ମୋଟ ୪୬ଟି ଗେଟ୍ ଦେଇ ବନ୍ୟାଜଳ ଛଡାଯାଉଛି। ସେକେଣ୍ଡକୁ ୮,୮୨,୭୯୩ କ୍ୟୁସେକ ଜଳ ହୀରାକୁଦକୁ ପଶୁଥିବାବେଳେ ୭,୬୪,୦୩୪ କ୍ୟୁସେକ ଜଳ ହୀରାକୁଦରୁ ଛଡ଼ାଯାଉଛି। ଯାହାର ପ୍ରଭାବରେ ମହାନଦୀର ଜଳସ୍ତର ବେଳକୁ ବେଳ ବଢ଼ିବା ସହିତ ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି।

ବାଙ୍କୀ ଗୟଳବାଙ୍କରେ ଘାଇ

ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ଏବେ ଫୁଲିବାକୁ ଲାଗିଛି ମହାନଦୀ। ଯାହାର ପ୍ରଭାବରେ ଆଜି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଗୟଳବାଙ୍କ ନିକଟରେ ଏକ ୫୦ ଫୁଟ୍ ଓସାରର ଘାଇ ସୃଷ୍ଟି ହୋଇଛି।

ନଦୀବନ୍ଧରେ ଏତେ ବଡ଼ ଘାଇ ସୃଷ୍ଟି ହେବା ପରେ ଅନେକ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଏଥିସହିତ କଇଁମୁଣ୍ଡି, ଶୁଖୁଆଖେଳା ଓ ବିଲିପଡ଼ା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଚି। ସେହିପରି ବାଙ୍କୀରୁ ବୈଦ୍ୟେଶ୍ୱର ଯିବା ଆସିବା ମଧ୍ୟ ପ୍ରଭାବିତ ହୋଇଛି।JALAKA FLOOD

ନରାଜରେ ବିପଦ ସଙ୍କେତ ପାର୍ କଲା ମହାନଦୀ

କଟକ ନରାଜଠାରେ ବିପଦ ସଙ୍କେତ ଡେଇଁଛି ମହାନଦୀର ଜଳସ୍ତର। ନରାଜଠାରେ ବିପଦ ସଙ୍କେତ ୨୬.୪୧ ଥିବାବେଳେ ଏବେର ଜଳସ୍ତର ୨୬.୭୫ ମିଟର ରହିଥିବା ଜଣାପଡ଼ିଛି। ଗତକାଲି ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ନରାଜରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ହୀରାକୁଦର ୬ ଲକ୍ଷ କ୍ୟୁସେକ ଜଳ ସହ ତଳମୁଣ୍ଡର ଆଉ ପାଣି ମିଶି ନରାଜରେ ଜଳସ୍ତର ବୃଦ୍ଧି ପାଇଛି।BGUଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ସ୍ଥିତି ସଙ୍ଗୀନ

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ୪ଟି ଜିଲ୍ଲା। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବନ୍ୟା ଆଣିଛି ବିକଳ ଚିତ୍ର। ଗାଁ ଭିତରେ ମୁଣ୍ଡେ ଉଚ୍ଚର ପାଣି ବୋହିବା ସହିତ ଲୋକମାନେ ଏବେ ଛାତ ଉପରେ ରହିଥିବା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ଗାଁ, ରାଜକନିକାର ୩୦ଟି ଗାଁ ଓ ରାଜନଗରର ୪ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଯାଜପୁରରେ ବନ୍ୟାର ତାଣ୍ଡବ ୫୫୦ ଗାଁ ଜଳମଗ୍ନ

ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଫଳରେ ଜିଲ୍ଲାର ୬ଟି ବ୍ଲକ ଯଥା ବରି, ବିଞ୍ଝାରପୁର, ରସୁଲପୁର, ଯାଜପୁର, ସୁକିନ୍ଦା ଓ କୋରେଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ଟି ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଜିଲ୍ଲାର୧୨୫ଟି ଗ୍ରାମ ପଞ୍ଚାୟତର ୫୫୦ ଗାଁ ପାଣିଘରରେ ରହିବା ସହି ୪ ଲକ୍ଷ ୫୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।୬ ଆଇଏଏସଙ୍କୁ ବନ୍ୟା ଦାୟିତ୍ୱ

ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କେନ୍ଦ୍ରପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, କଟକ ଜିଲ୍ଲା ପାଇଁ ଡି କେ ସିଂ, ବାଲେଶ୍ୱର ପାଇଁ ବିଶାଳ ଦେବ, ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ଯାଜପୁର ପାଇଁ ଭି ଭି ଯାଦବ, ଜଗତସିଂପୁର ପାଇଁ ସତ୍ୟବ୍ରତ ସାହୁ ଓ କେନ୍ଦ୍ରାଞ୍ଚଳ ଆର୍‌ଡିସ ଅନିଲ ସାମଲଙ୍କୁ  ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

 

Comment