ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଶାଖା ଆଶା ସାଥୀ ସଂଘ ପକ୍ଷରୁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ଜରିଆରେ ୮ ଦଫା ନେଇ ଦାବିପତ୍ର ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଆଶା ସାଥୀ ସଂଘର ନିଷ୍ପତ୍ତି କ୍ରମେ ସୋମବାର ରାୟଗଡ଼ା ଜିଲ୍ଲା ଶାଖା ଆଶା ସାଥୀ ସଂଘ ଏହି ଦାବିପତ୍ର ପ୍ରଦାନ କରିଛି।

ଗତକାଲି ଆଶା ସାଥୀ ସଂଘର ଜିଲ୍ଲା ସଭାନେତ୍ରୀ ମନୋରମା ବେନିଆ ଓ ସଂପାଦିକ ପଦ୍ମିନୀ ପଡ଼ିଆରୀଙ୍କ ନେତୃତ୍ୱରେ ଜେମାଦେଇପେଣ୍ଠସ୍ଥିତ ହନୁମାନ ମନ୍ଦିର ନିକଟରୁ କୋଭିଡ-୧୯ ଗାଇଡଲାଇନକୁ ଅନୁସରଣ କରି ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ୮ ଦଫା ଦାବି ପୂରଣ ନେଇ ସଂଘୀୟ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।ସଂଘ ତରଫରୁ ପ୍ରଦାନ କରାଯାଇଥିବା ୮ ଦଫା ଦାବି ମଧ୍ୟରେ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମାସିକ ୬ ହଜାର ଟଙ୍କା ଦରମା ଦେବା, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ବୀମା ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରିବା ଓ ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ପ୍ରଦାନ ଯୋଗାଇ ଦେବା ଭଳି ଦାବି ଉଲ୍ଳେଖ ରହିଛି।BGUଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା  ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ଖଗେଶ୍ୱର ସିଂ, ଉପସଭାପତି ମୋହନରାଓ ମାଝି, କାର୍ଯ୍ୟକର୍ତ୍ତା ରବି ଗୈାଡ଼, ରମେଶ କିଲାକା, ଉପେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ।

Comment