ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ, କାହାକୁ ମିଳିବ ଉପ-ନିର୍ବାଚନ ଟିକେଟ୍?

ଓଡ଼ିଶାରେ ଖାଲିପଡ଼ିଥିବା ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ନଭେମ୍ବର ୨୯ ତାରିଖ ପୂର୍ବରୁ ଉପ-ନିର୍ବାଚନ ହେବ। ନିର୍ବାଚନ କମିସନ ପକ୍ଷରୁ ଏଭଳି ସୂଚନା ମିଳିବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ନିର୍ବାଚନ ଜିତିବା ପାଇଁ ପ୍ରଥମେ ତିନି ଦଳ ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି। ତେବେ ଏହି ଦୁଇ ଆସନ ପାଇଁ ଅନେକ ନେତା ରେସରେ ଥିବା ଦେଖିବାକୁ ମିଳୁଛି।

ବାଲେଶ୍ୱର ବିଧାନସଭା ଆସନ

ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ଦଳ ତାଙ୍କ ସ୍ଥାନରେ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏହାଦ୍ୱାରା ବିଜେପି ଫାଇଦାରେ ରହିବ ବୋଲି ଆଶା କରୁଛି। ଅନ୍ୟପଟେ କିନ୍ତୁ ବାଲେଶ୍ୱରର ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ମଧ୍ୟ ଏହି ଟିକେଟ୍ ପାଇଁ ଆଶାୟୀ ଥିବା ଜଣାପଡ଼ିଛି।

ସେହିପରି ବାଲେଶ୍ୱର ଆସନରେ ବିଜେଡି ଟିକେଟ୍ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁଭାଷିନୀ ଜେନା ଲବିରେ ଅଛନ୍ତି। ଏଥିସହ ଗତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ମଧ୍ୟ ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି।  କଂଗ୍ରେସ ଦଳରୁ ବାଲେଶ୍ୱର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ରେସରେ ଥିବା ଖବର ମିଳିଛି। ଏହାବାଦ କଂଗ୍ରେସ ନେତା ମାନସ ଦାସ ଓ ବିକ୍ରମ ପଣ୍ଡା ମଧ୍ୟ ଉପ- ନିର୍ବାଚନ ଟିକେଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।BGUତିର୍ତ୍ତୋଲ ବିଧାନସଭା ଆସନ

ବାଲେଶ୍ୱର ପରି ତିର୍ତ୍ତୋଲ ବିଧାନସଭା ଆସନରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ତେଣୁ ତାଙ୍କ ବଦଳରେ ବିଜେଡି ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହାବାଦ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା ମଧ୍ୟ ଏହି ଟିକେଟ୍ ପାଇଁ ଆଶାବାଦୀ ଥିବା ଜଣାପଡ଼ିଛି।

ଅନ୍ୟପଟେ ତିର୍ତ୍ତୋଲ ଆସନରେ ବିଜେଡିକୁ ମାତ୍ ଦେବା ପାଇଁ ବିଜେପି ବିଭୁ ପ୍ରସାଦ ତରାଇ କିମ୍ବା ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ କରିପାରେ। ରମାକାନ୍ତ ଭୋଇ ଗତ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ତେଣୁ ତାଙ୍କୁ ପୁଣିଥରେ ଦଳ ଟିକେଟ୍ ଦେଇପାରେ ବୋଲି କୁହାଯାଉଛି। କଂଗ୍ରେସ ଦଳରେ ମଧ୍ୟ ଏହି ଆସନ ପାଇଁ ଦେବୀ ପ୍ରସନ୍ନ ମଲ୍ଲିକ, ପ୍ରତିମା ମଲ୍ଲିକ ଓ ହିଂମାଶୁ ଭୂଷଣ ମଲ୍ଲିକ ରେସରେ ଅଛନ୍ତି।

ତେବେ ଏହି ଦୁଇ ଆସନରେ ଉପ-ନିର୍ବାଚନ ପାଇଁ ତିନୋଟି ଯାକ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Comment