ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ ଫ୍ରାଞ୍ଚାଇଜଗୁଡ଼ିକ ଚଳିତ ସିଜନ୍‌ ପାଇଁ କେତେଜଣ ଉଦୀୟମାନ ଖେଳାଳିଙ୍କୁ ଏଥର ସୁଯୋଗ ଦେବେ, ଯେଉଁମାନଙ୍କ ପ୍ରତିଭା କ୍ରିକେଟ୍ ପଡ଼ିଆରେ ଚମକିବ ବୋଲି ଆଶା କରାଯାଉଛି। ସେହିଭଳି ୬ ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଭାରତର ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକୱାଡ, ରବି ବିଷ୍ନୋଇ, ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରି, ୱେଷ୍ଟଇଣ୍ଡିଜର ଶେଲଡନ୍ କଟ୍ରେଲ, ଆମେରିକାର ଅଲ୍ଲି ଖାନ।

ଯଶସ୍ୱୀ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଥିବାବେଳେ ଋତୁରାଜ ଗାଏକୱାଡ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିବେ। ସେହିପରି କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ରବି ବିଷ୍ନୋଇ ଓ ଶେଲଡନ୍ କଟ୍ରେଲ, ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଲେକ୍ସ କ୍ୟାରି, କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଲ୍ଲି ଖାନ୍ ଖେଳିବେ।

ଟିନ୍‌ ଏଜ୍‌ର ସେନ୍‌ସେଶନ ଯଶସ୍ୱୀ ଜୈସୱାଲ

ଗତବର୍ଷ ଆଇପିଏଲ୍ ନିଲାମିରେ ୨.୪ କୋଟିରେ ଆସିଥିବା ଟିନ୍‌ଏଜ୍‌ ସେନ୍‌ସେଶନ ଯଶସ୍ୱୀ ଜୈସୱାଲ ରାଜସ୍ଥାନ ରୟାଲ୍‌ସ ପାଇଁ ପଡ଼ିଆକୁ ଓହ୍ଲାଇବା ପରେ ଆଇପିଏଲ୍ ପ୍ରେମୀ ତାଙ୍କ ପ୍ରତିଭା ଦେଖିବେ। ଗତ ଜାନୁୟାରୀ-ଫେବୃୟାରୀରେ ଦକ୍ଷିଣଆଫ୍ରିକାରେ ଖେଳାଯାଇଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ରେ ସେ ମ୍ୟାନ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଆଖ୍ୟା ପାଇଥିଲେ। ସେଥିରେ ସେ ୬ଟି ମ୍ୟାଚ୍‌ରୁ ୧୩୩ ଆଭରେଜ୍‌ ରେଟ୍‌ରେ ୪୦୦ ରନ୍‌ ସଂଗ୍ରହ କରିବା ପରେ ତାଙ୍କୁ ନେଇ କ୍ରିକେଟ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

୧୮ ବର୍ଷୀୟ ଯଶସ୍ୱୀ ଗୋଟିଏ ମାତ୍ର ପ୍ରଥମଶ୍ରେଣୀ ଓ ୧୩ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ ମଧ୍ୟ ଟପ୍‌ ଅର୍ଡରରେ ତାଙ୍କ ବ୍ୟାଟିଂ ଓ ପଡ଼ିଆରେ ତାଙ୍କ ଫିଲ୍ଡିଂ ଦଳ ପାଇଁ ପ୍ଲସ୍‌ ପଏଣ୍ଟ ହେବ। ବିଜୟ ହଜାରେ ଟ୍ରଫିର ଲିଷ୍ଟ-ଏ ମ୍ୟାଚ୍‌ରେ ଦ୍ୱିଶତକ ଅର୍ଜନ କରିବାରେ ସେ ହେଉଛନ୍ତି ବି୍ଶ୍ୱର କନିଷ୍ଠ କ୍ରିକେଟର।

ରାଇନାଙ୍କ ଅଭାବ ପୂରଣ କରିବେ ଋତୁରାଜ ଗାଏକୱାଡ

କୋଭିଡ୍ ପଜିଟିଭ୍‌ ହୋଇଥିବାରୁ ଆଇପିଏଲ୍‌ର ପ୍ରାରମ୍ଭିକ ମ୍ୟାଚ୍‌ରେ ୨୩ ବର୍ଷୀୟ ଋତୁରାଜ ଗାଏକୱାଡ ଖେଳି ନ ପାରନ୍ତି। କିନ୍ତୁ ସେ ଦଳକୁ ଫେରିବା ପରେ ସୁରେଶ ରାଇନାଙ୍କ ଅଭାବ ପୂରଣ କରିପାରିବାର କ୍ଷମତା ରଖିଛନ୍ତି। ଧୋନି ତାଙ୍କୁ ଟପ୍‌ ଅର୍ଡର ବ୍ୟାଟିଂକ୍ରମରେ ଉପଯୁକ୍ତ ଭାବି ସୁଯୋଗ ଦେଇପାରନ୍ତି।

ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଋତୁରାଜ ୫୪ଟି ଲିଷ୍ଟ-ଏ ମ୍ୟାଚ୍‌ରୁ ୪୯ ପ୍ରତିଶତ ଆଭରେଜ୍‌ରେ ୨,୪୯୯ ରନ୍ ସଂଗ୍ରହ କରିଛନ୍ତି। ଅପରାଜିତ ୧୮୭ ରନ୍‌ ହେଉଛି ତାଙ୍କର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ। ଟି-୨୦ରେ ତାଙ୍କର ବ୍ୟାଟିଂ ଆଭ୍‌ରେଜ୍‌ ୩୪ ପ୍ରତିଶତ ରହିଛି। ୨୦୧୯ ଆଇପିଏଲ୍‌ ନିଲାମିରେ ଚେନ୍ନାଇ ସୁପରକିଙ୍ଗ୍‌ସ ତାଙ୍କୁ ୨୦ ଲକ୍ଷରେ କିଣିଥିଲା।

ଲେଗ୍‌ ସ୍ପିନ୍‌ ଓ ଗୁଗ୍‌ଲିରେ ମାଷ୍ଟର ରବି ବିଷ୍ନୋଇ

ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଉଦୀୟମାନ ଖେଳାଳି ରବି ବିଷ୍ନୋଇ ଚଳିତ ବର୍ଷ ଆଇପିଏଲ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦୨୦ ପ୍ରାରମ୍ଭରେ ଖେଳାଯାଇଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ର ବୋଲିଂ କ୍ଷେତ୍ରରେ ନିଜର ଲେଗ୍‌-ସ୍ପିନ୍‌ ଓ ଗୁଗ୍‌ଲିର ଚମତ୍କାର ଖେଳ ଦେଖାଇଥିଲେ ରବି। ଏଥିରେ ସେ ୬ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍ ନେଇଥିଲେ। ଗତ ନିଲାମ ପ୍ରକ୍ରିୟାରେ ପଞ୍ଜାବ ତାଙ୍କୁ ୨ କୋଟିରେ କିଣିଥିଲା। ଦଳରେ ମୁଜିବୁର ରେହମାନ, କ୍ରିଷ୍ଣାପ୍ପା ଗୌଥମ ଓ ମୁରୁଗନ୍‌ ଅଶ୍ୱିନଙ୍କ ଭଳି ସ୍ପିନ୍‌ ବୋଲର ଥିଲେ ମଧ୍ୟ ରବିଙ୍କ ଦକ୍ଷତାକୁ ଅଣଦେଖା କରିପାରିବେ ନାହିଁ ମନୋନୟକାରୀ।

ଆଲେକ୍ସ କ୍ୟାରି ହେଉଛନ୍ତି ଭବିଷ୍ୟତର ଆଡାମ ଗିଲଖ୍ରୀଷ୍ଟ

ଅଷ୍ଟ୍ରେଲୀୟ ୱିକେଟ୍‌କିପର ଓ ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ କ୍ୟାରି ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ସେଠାରୁ ଆସି ଚଳିତ ଆଇପିଏଲ୍‌ରେ ଡେବ୍ୟୁ କରିବେ। ଗତ ବିଶ୍ୱକପ୍‌ରେ ସେ ୧୦ଟି ମ୍ୟାଚ୍‌ରୁ ୩୭୫ ରନ୍ ସଂଗ୍ରହ କରିଥିବା ବେଳେ ଏଯାବତ୍ ୩୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୭୬ ରନ୍ ସଂଗ୍ରହ କରିଛନ୍ତି। ଏହି ଧୂଆଁଧାର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦିଲ୍ଲୀ କ୍ୟାପିଟାଲ୍ସର ମିଡିଲ୍ ଅର୍ଡର ବ୍ୟାଟିଂକୁ ସଶକ୍ତ କରିବେ। ତାଙ୍କୁ ୨.୪ କୋଟି ନିଲାମିରେ ଦଳକୁ ଅଣାଯାଇଛି। ସେ ଆଗାମୀ ସମୟର ଆଡାମ ଗିଲଖ୍ରୀଷ୍ଟ ହୋଇପାରନ୍ତି ବୋଲି କୁହାଯାଉଛି।

ନିଲାମିରେ ଭାରୀ ପଡ଼ିଲେ ଶେଲଡନ୍କଟ୍ରେଲ

ଜଣେ ବାମହାତୀ ପେସର ଭାବେ କାରବିୟାନ ଦ୍ୱୀପରୁ କିଙ୍ଗ୍‌ସ ଇଲେଭେନ ପଞ୍ଜାବର ଟୋପି ଓ ଜର୍ସି ପିନ୍ଧି ଆଇପିଏଲ୍ ପଡ଼ିଆକୁ ଓହ୍ଲାଇବେ ଶେଲଡନ୍‌ କଟ୍ରେଲ। କାରବିୟାନ ପ୍ରିମିୟର ଲିଗ୍‌ରେ ଭଲ ପ୍ରଦର୍ଶନ କରିଥିବା ଜାମାଇକାର ଏହି ଦ୍ରୁତ ବୋଲର ଆଇପିଏଲ୍‌ରେ ମଧ୍ୟ ନିଜ ବୋଲିଂ ଗତିରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବେ ବୋଲି କ୍ରିକେଟ ପଣ୍ଡିତ ଆଲୋଚନା କରୁଛନ୍ତି। କିଙ୍ଗ୍‌ସ ଇଲେଭେନ ପଞ୍ଜାବ ତାଙ୍କୁ ୮.୫ କୋଟି ନିଲାମିରେ ଦଳକୁ ଆଣିଛି।

ଆମେରିକାର ପ୍ରଥମ ଖେଳାଳି ଭାବେ ଆଇପିଏଲ୍ଖେଳିବେ ଅଲ୍ଲୀ ଖାନ୍

ଆମେରିକାର ପ୍ରଥମ ଖେଳାଳି ଭାବେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ମ୍ୟାଚ୍ ଖେଳିବେ ଅଲ୍ଲୀ ଖାନ୍‌। ଆହତଜନିତ ସମସ୍ୟା କାରଣରୁ ବ୍ରିଟିଶ ଦ୍ରୁତ ବୋଲର ହ୍ୟାରୀ ଗର୍ନି ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ଅଲ୍ଲୀ ଖାନ୍‌ଙ୍କୁ ସୁଯୋଗ ମିଳିଛି। ୨୦୧୮ରେ କାନାଡ଼ାରେ ଅନୁଷ୍ଠିତ ଗ୍ଲୋବାଲ ଟି-୨୦ରେ ତାଙ୍କ ପ୍ରଦର୍ଶନ ଦେଖି ଅଲରାଉଣ୍ଡର ଡାଏନ ବ୍ରାଭୋ ତାଙ୍କୁ ସିପିଏଲ୍‌କୁ ଆଣିଥିଲେ। ୧୪୦ କିମି ପ୍ରତି ଘଣ୍ଟା ଗତିରେ ବୋଲିଂ କରୁଥିବା ଏହି ଡାହାଣହାତୀ ଦ୍ରୁତବୋଲର ଆଇପିଏଲ୍‌ରେ ଦଳ ପାଇଁ ଅନେକ ସମ୍ଭାବନା ରଖିଛନ୍ତି।

Comment