ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲକୁ ଅନ୍ୟ ଜିଲ୍ଲାରୁ ରୋଗୀ ଆଉ ଆସି ପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନମାନଙ୍କୁ କୁହାଯାଇଛି। ଯେହେତୁ କଟକ ଓ ଭୁବନେଶ୍ୱରରେ ସବୁ ଆଇସିୟୁରେ ରୋଗୀ  ଭର୍ତ୍ତି ହୋଇ ସାରିଛନ୍ତି ଓ ବେଡ଼ ଖାଲି ହେବାର ସମ୍ଭାବନା ନାହିଁ, ତେଣୁ ଆଉ ଅଧିକ ରୋଗୀଙ୍କୁ ଏହି ଦୁଇ ସହରରେ ଚିକିତ୍ସା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯେଉଁ ଆଇସିୟୁ ସୁବିଧା ରହିଛି ବା ଯେଉଁଠି  ହାଇ ଡ଼ିପେଣ୍ଡେନ୍ସି ୟୁନିଟ ରହିଛି ସେଥିରେ କାମ ଚଳାଇବା ପାଇଁ ଜିଲ୍ଲା ମାନଙ୍କୁ କୁହାଯାଇଛି। ଯେଉଁ ରୋଗୀ ମାନେ କରୋନା ଚିକିତ୍ସା ପାଇଁ  କଟକ କିମ୍ଵା ଭୁବନେଶ୍ୱର ଆସିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ବୁଝାଇ ସୁଝାଇ ଜିଲ୍ଲା ଭିତରେ ହିଁ ରଖିବା ପାଇଁ କୁହାଯାଇଛି।ଦୂର ଦୂରାନ୍ତରୁ ରୋଗୀ ବୁହା ହେଲେ ଜୀବନ ହାନିର ଆଶଙ୍କା ଥିବାରୁ ସେମାନଙ୍କୁ ଆଖିବୁଜା କଟକ ଓ ଭୁବନେଶ୍ୱରକୁ ରେଫର ନକରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

Comment