ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ବିବାଦ, ପରିବାରବାଦକୁ ନେଇ ଦୁଇ ଭାଗରେ ବାଣ୍ଟି ହେଲାଣି ବଲିଉଡ। ଜାଣନ୍ତୁ କାହା ସମର୍ଥନରେ କିଏ?

ବଲିଉଡ ଗୋଟିଏ ପରିବାର। ଏଠି କଳାକାରମାନେ ପରସ୍ପରକୁ ଗୋଟିଏ ପରିବାରର ସଦସ୍ୟ ବୋଲି ମାନନ୍ତି। ଅନେକ ସମୟରେ କଳକାରମାନେ ବିଭିନ୍ନ ମଞ୍ଚରେ ଏହି ମନ୍ତବ୍ୟ ବି ଦେଇଥାନ୍ତି। କିନ୍ତୁ ଏବେ ଏହି ପରିବାର ୨ ଭାଗରେ ବାଣ୍ଟି ହୋଇଗଲାଣି କହିଲେ ମଧ୍ୟ ଭୁଲ ହେବ ନାହିଁ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ନେପୋଟିଜିମ‌, ଡ୍ରଗ୍ସ ଲିଙ୍କ୍‌, କଙ୍ଗନାଙ୍କ ବୟାନ ଆଦି ବଲିଉଡକୁ ୨ ଭାଗ କରି ଦେଇଛି ବୋଲି କୁହା ଯାଇପାରେ।

ନେପୋଟିଜିମ ବା ପରିବାରବାଦ

ବଲିଉଡରେ ନେପୋଟିଜିମ ବା ପରିବାରବାଦ ଚାଲିଛି। ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ ଏକଥା ସର୍ବ ପ୍ରଥମେ ଉଠାଇଥିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ସୁଶାନ୍ତ ଛୋଟ ସହରରୁ ଆସିଥିବାରୁ ବଲିଉଡରେ ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିନଥିଲା ବୋଲି କହିଥିଲେ କଙ୍ଗନା। ବଲିଉଡର ଅନେକ କଳାକାର କଙ୍ଗନାଙ୍କ କଥାକୁ ସମର୍ଥନ କରିଥିଲେ। ସେ ସମୟରେ କପୁର, ଖାନ, ଭଟ୍ଟ ପରିବାର ଉପରେ ପ୍ରବଳ ବର୍ଷିଥିଲେ କଙ୍ଗନା। ଏହିଠାରୁ ହିଁ ବଲିଉଡରେ ଫାଟ ସୃଷ୍ଟି ହୋଇଥିଲା।

ବଲିଉଡ ସହ ଡ୍ରଗ୍ସ ଲିଙ୍କ୍‌

ଏହାପରେ ସୁଶାନ୍ତ ମୃତ୍ୟୁର ତଦନ୍ତ ଯାଇ ଡ୍ରଗ୍ସ ଲିଙ୍କରେ ପହଞ୍ଚିଲା। ବଲିଉଡର ଅନେକ କଳାକାର ଡ୍ରଗ୍ସ କାରବାର କରୁଥିବା ସାମ୍ନାକୁ ଆସିଲା। କଙ୍ଗନା, ଅଭିନେତା ତଥା ସାଂଦଦ ରବି କିସନ ବି ଏହାକୁ ସ୍ୱୀକାର କରିଥିଲେ। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ କରିଛି। ଏମିତିକି ରିୟା ଏନ୍‌ସିବିକୁ ଏଥିରେ ଆହୁରି ୨୫ ଜଣ ସେଲିବ୍ରିଟି ସାମିଲ ଥିବା କହିଛନ୍ତି। ଏହି ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରଠାରୁ ବଲିଉଡରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି।

ସଂସଦରେ ରବି କିସନଙ୍କ ବୟାନ

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଭୋଜପୁରୀ ତଥା ବଲିଉଡ ଅଭିନେତା ଓ ଗୋରଖପୁର ବିଜେପି ସାଂସଦ ରବି କିସନ ବଲିଉଡରେ ଡ୍ରଗ୍ସ ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ବଲିଉଡରେ ଡ୍ରଗ୍ସ ସ୍ୱଚ୍ଛତା ଅଭିଯାନ ବହୁତ ଜରୁରୀ। ନହେଲେ ଡ୍ରଗ୍ସ ବଲିଉଡର ଯୁବପିଢ଼ିଙ୍କୁ କବଳିତ କରିବ ବୋଲି କହିଥିଲେ ରବି।

ଜୟା ବଚ୍ଚନଙ୍କ ବୟାନ

ଏହାର ଗୋଟିଏ ଦିନ ପରେ ସାଂସଦ ଜୟା ବଚ୍ଚନ ରାଜ୍ୟସଭାରେ ବର୍ଷିଥିଲେ। ଇଣ୍ଡଷ୍ଟ୍ରିରେ କାମ କରି କିଛି ଲୋକ ଏହାକୁ ବଦନାମ କରିବା ଲଜ୍ଜାଜନକ କଥା ବୋଲି ଜୟା କହିଥିଲେ। ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପକାଉଛନ୍ତି ବୋଲି କହିଥିଲେ ଜୟା।

ଜୟାଙ୍କୁ କଙ୍ଗନାଙ୍କ ଟାର୍ଗେଟ

ରାଜ୍ୟସଭାରେ ଜୟାଙ୍କ ବିବୃତ୍ତି ପରେ କଙ୍ଗନା କଡ଼ା ପ୍ରତିକ୍ରିୟା ଦେଇଥିଲେ।

”ଯଦି ଅଭିଷେକ ନିର୍ଯାତନା ଅଭିଯୋଗ କରି ଗୋଟିଏ ଦିନ ଫାଶିରେ ଝୁଲି ଯାଇଥାଆନ୍ତେ, ଯଦି ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଇଥାଆନ୍ତା, ମାଡ଼ ମରାଯାଇଥାଆନ୍ତା, ଶୋଷଣ କରାଯାଇଥାଆନ୍ତା, ତେବେ ବି କ’ଣ ଆପଣ ଏଭଳି କହିଥାନ୍ତେ? ଆମମାନଙ୍କ ପ୍ରତି ବି ଟିକେ ଦୟାବାନ ହୁଅନ୍ତୁ’’, ଟୁଇଟ କରି ଜୟାଙ୍କୁ ଏଭଳି କହିଥିଲେ କଙ୍ଗନା।

ରବି କିସନଙ୍କ ଜବାବ

ଜୟାଙ୍କ ବୟାନରେ ଦୁଃଖ ପ୍ରକାଶ କରିଥିଲେ ରବି କିସନ। ‘‘ଡ୍ରଗ୍ସ ବିରୋଧରେ ମୁଁ କେବଳ ସ୍ୱର ଉଠାଇଛି। ଆପଣ ଆମ ଗୁରୁଜୁନ, ଏ ପ୍ରସଙ୍ଗରେ ଆପଣ ସମର୍ଥନ କରିବେ ବୋଲି ଆଶା ଥିଲା’’ କହିଥିଲେ ରବି କିସନ।

ଜୟାଙ୍କ ସମର୍ଥନରେ କିଏ?

ଏପଟେ ଜୟା ବଚ୍ଚନଙ୍କ ସମସାମୟିକ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଜୟାଙ୍କ ସମର୍ଥନରେ ବାହାରି ଆସିଛନ୍ତି। ସେହିପରି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବି ଜୟାଙ୍କୁ ସମର୍ଥନ କରିଛନ୍ତି। ଅଭିନେତ୍ରୀ ସୋନମ କପୁର, ଦିଆ ମିର୍ଜା, ତାପସୀ ପନ୍ନୁଙ୍କ ଭଳି ଅଭିନେତ୍ରୀ ଜୟାଙ୍କୁ ସମର୍ଥନ କରିଛନ୍ତି।

ରବି କିସନ, ଅଭିନେତା ରଣବୀର ସୌରୀ, ଜୟପ୍ରଦାଙ୍କ ଭଳି କଳାକାର କଙ୍ଗନାଙ୍କ ସମର୍ଥନରେ ଅଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସବୁ ପ୍ରସଙ୍ଗ ଅଭିନେତ୍ରୀ କଙ୍ଗନା ଉଠାଇଥିଲେ। ଯାହାପରେ ସେ ଏବେ ପୂରା ବିବାଦୀୟ ହୋଇପଡ଼ିଛନ୍ତି। ଏବେ ବଲିଉଡର କିଛି କଳାକାର କଙ୍ଗନାଙ୍କ ସମର୍ଥନରେ ଥିଲା ବେଳେ କେତକ ବିରୋଧରେ ଅଛନ୍ତି। ଫଳରେ ବଲିଉଡ ୨ ଭାଗରେ ବିଭକ୍ତ ହୋଇଯାଇଛି ବୋଲି କୁହାଯାଇପାରେ।

Comment