ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷ ସମ୍ପର୍କିତ ୩ଟି ଅଧ୍ୟାଦେଶ ଉପରେ ବିଲ୍ ଆଗତ କରିଥିବା ମୋଦୀ ସରକାର ଲୋକସଭାରେ ଏହାକୁ ପାରିତ କରାଇଛନ୍ତି। କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦, କୃଷକ ସଶକ୍ତୀକରଣ ଓ ସଂରକ୍ଷଣ, ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ୨୦୨୦ ଶୁକ୍ରବାର ବାଚନିକ ଭୋଟ୍ରେ ପାରିତ ହୋଇଛି। ପୂର୍ବରୁ ମଙ୍ଗଳବାର ଏହା ସମ୍ବନ୍ଧିତ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍ ମଧ୍ୟ ପାରିତ ହୋଇସାରିଛି।
କିନ୍ତୁ ଏହି ବିଲ୍ ଏବେ ମେଣ୍ଟ ଶାସନର ତଣ୍ଟିରେ କଣ୍ଟା ହୋଇ ଉଭା ହୋଇଛି। ଏହି ବିଲ୍ ପାଇଁ କେବଳ ବିରୋଧୀ ଦଳ ନୁହେଁ, ବରଂ ନିଜ ସହଯୋଗୀ ଦଳମାନଙ୍କଠାରୁ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛି ବିଜେପି। ବିଲ୍କୁ କୃଷକ ବିରୋଧୀ କହି ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଲି ଦଳର ସାଂସଦ ହରସିମରତ କୌର ବାଦଲ ମୋଦୀ କ୍ୟାବିନେଟ୍ରୁ ଇସ୍ତଫା ଦେଇସାରିଛନ୍ତି।
କ’ଣ ରହିଛି ଏହି ବିଲ୍ର ବିଶେଷତା
କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦ ଅନୁସାରେ ଏଣିକି ଚାଷୀଙ୍କ ଉତ୍ପାଦିତ ଶସ୍ୟର କିଣାବିକା ଯେକୌଣସି ସ୍ଥାନରେ ହୋଇପାରିବ। ଅନ୍ଲାଇନ୍ ବିକ୍ରି ହେବ। ଲାଭଜନକ ମୂଲ୍ୟ ମିଳିବ। ସେହିପରି କୃଷକ ସଶକ୍ତୀକରଣ ଓ ସଂରକ୍ଷଣ, ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ୨୦୨୦ ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଚିନ୍ତା କମିବ ଓ କ୍ଷତିପୂରଣ ଶୃଙ୍ଖଳା ତିଆରି ହେବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍ ଅନୁସାରେ ଶସ୍ୟ, ଡାଲି, ଖାଇବା ତେଲ, ଆଳୁ ପିଆଜ ଭଳି ସାମଗ୍ରୀ ଆଉ ଅତ୍ୟାବଶ୍ୟକ ହୋଇ ରହିବ ନାହିଁ। ଏହାର ଶୀତଳଭଣ୍ଡାର ସୁବିଧା କରାଯିବ। କୃଷିରେ ଆକର୍ଷଣୀୟ ବିଦେଶୀ ପୁଞ୍ଜି ନିବେଶ ପାଇଁ ବାଟ ପ୍ରଶସ୍ତ ହେବ।
କାହିଁକି ହେଉଛି ବିରୋଧ
ମଣ୍ଡି ବନ୍ଦ ହେଲେ ଚାଷୀଙ୍କୁ ଏମ୍ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ମିଳିପାରିବ ନାହିଁ। ଦେଶରେ ଏକକ ଏମ୍ଏସ୍ପି ଲାଗୁ କରିବା ପାଇଁ ଦାବି କରୁଛନ୍ତି ଚାଷୀ। ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କୌଣସି ପ୍ରଭାବୀ ବ୍ୟବସ୍ଥା ନାହିଁ। ଏଥିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ଘରୋଇ କ୍ରୟକାରୀ କମ୍ପାନି ଓ ଦଲାଲଙ୍କୁ ସୁଯୋଗ ମିଳିବା ଆଶଙ୍କା କରିଛନ୍ତି ଚାଷୀସମାଜ। ଏହାଦ୍ୱାରା ଚାଷୀ ଦାଦନ ଶ୍ରମିକ ପାଲଟିଯିବ। ଦରଦାମ୍ରେ ଅସ୍ଥିରତା ଆସିବା ସହ ଖାଦ୍ୟ ସୁରକ୍ଷା ବିପନ୍ନ ହେବ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ବଢ଼ିବ।
କ’ଣ କହୁଛନ୍ତି ବିରୋଧୀ ଦଳ, ଚାଷୀକୁଳ
କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କହିଛନ୍ତି ଯେ ଏହି ବିଲ୍ ଘରୋଇକରଣକୁ ପ୍ରୋତ୍ସାହନ ଦେବା ସହ କୃଷକଙ୍କୁ ଶୋଷଣ କରିବା ପାଇଁ ବଡ଼ କମ୍ପାନିଗୁଡ଼ିକୁ ସୁଯୋଗ ମିଳିବ। ଚାଷୀନେତାମାନଙ୍କ ମଧ୍ୟ କହିବା କଥା ହେଉଛି ଏହି ବିଲ୍ ସେହି ଅନ୍ନଦାତାମାନଙ୍କ ଚିନ୍ତା ବଢ଼ାଇବ, ଯେଉଁମାନେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିଛନ୍ତି। ନୂଆ ବିଲ୍ରେ ଥିବା କଣ୍ଟ୍ରାକ୍ଟ ଫାର୍ମିଂରେ କୌଣସି ବିବାଦ ହେଲେ ତାହାର ବିଚାର କନସିଲିଏଶନ ବୋର୍ଡରେ ହେବ। ଏହାର ସବୁଠୁ କ୍ଷମତାସମ୍ପନ୍ନ ଅଧିକାରୀ ହେଲେ ଏସ୍ଡିଏମ୍। ଯେକୌଣସି ଅଭିଯୋଗ କେବଳ ଜିଲାପାଳଙ୍କ ପାଖରେ କରାଯାଇପାରିବ। କମ୍ପାନି ଓ ଚାଷୀଙ୍କ ଭିତରେ ବିବାଦ ଉପୁଜିଲେ ସେମାନେ ଦେୱାନି ଅଦାଲତକୁ ଯାଇପାରିବେ ନାହିଁ। ଏହି ମାମଲାରେ ବିଚାରର ସବୁ ଅଧିକାର ଏସ୍ଡିଏମ୍ଙ୍କ ହାତକୁ ଟେକି ଦିଆଯାଇଛି।
किसानों को अपनी उपज देश में कहीं पर भी, किसी को भी बेचने की आजादी देना, बहुत ऐतिहासिक कदम है।
21वीं सदी में भारत का किसान, बंधनों में नहीं, खुलकर खेती करेगा,
जहां मन आएगा अपनी उपज बेचेगा,
किसी बिचौलिए का मोहताज नहीं रहेगा और
अपनी उपज, अपनी आय भी बढ़ाएगा: PM
— PMO India (@PMOIndia) September 18, 2020
ନିଜ ବିଲ୍ ସପକ୍ଷରେ ମୋଦି ସରକାର
କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା ଚାଷ ସମ୍ପର୍କିତ କ୍ଷୟକ୍ଷତି ଆଶଙ୍କା କମିବ। କୃଷକଙ୍କ ଆୟରେ ସୁଧାର ଆସିବ। ଆଧୁନିକ ଜ୍ଞାନକୌଶଳ ଓ ଉତ୍ତମ କୃଷି ବିଦ୍ୟା ପାଇପାରିବେ ଚାଷୀ। ଏହା ଦ୍ୱାରା ବଡ଼ କମ୍ପାନିଗୁଡ଼ିକ କୌଣସି ବିଶେଷ ଉତ୍ପାଦ ପାଇଁ ଚାଷୀଙ୍କ ସହ ଚୁକ୍ତି କରିବାକୁ ଆଗେଇ ଆସିବେ। ତାହାର ମୂଲ୍ୟ ପ୍ରଥମରୁ ନିର୍ଦ୍ଧାରଣ ହେବ। ଏଥିରେ ଭଲ ଦାମ୍ ନ ମିଳିବା ଆଶଙ୍କା ଆଉ ରହିବ ନାହିଁ। ବିଲ୍ ସପକ୍ଷରେ ବିଜେପି ନେତାମାନେ ଏଭଳି ମତ ରଖିଛନ୍ତି।
ନିଜେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ଦେଶର ଯେକୌଣସି ସ୍ଥାନରେ ବିକିବାର ସ୍ୱାଧୀନତା ଦେବା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ଏକବିଂଶ ଶତାବ୍ଦୀରେ ଚାଷୀ ବନ୍ଧନ ଭିତରେ ରହି ନୁହେଁ, ବରଂ ମୁକ୍ତ ଭାବରେ ଚାଷ କରିବେ।