ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଦେଶରେ ଧାନ, ବିରି, ମୁଗ ଆଦି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବଢ଼ାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଫସଲର ଏମଏସପି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟବିନେଟର ଅନୁମୋଦନ ମିଳିଛି। ଏନେଇ ବୁଧବାର ଦିନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଏବେ ଦେଶରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୪୩ ଟଙ୍କା ବଢ଼ିଛି। ଏବେ ଧାନର ଏମଏସପି କ୍ଵିଣ୍ଟାଲ ପିଛା ୨ ହଜାର ୧୮୩ ଟଙ୍କା ହୋଇଛି। ସେହିପରି ଗ୍ରେଡ-ଏ ଧାନର ମୂଲ୍ୟ ବଢ଼ି କ୍ଵିଣ୍ଟାଲ ପିଛା ୨ ହାଜର ୨୦୩ ଟଙ୍କା ହୋଇଛି।

“ଭାରତରେ କୃଷି ଉତ୍ପାଦନ ବହୁତ ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ମୋଟ ଖରିଫ ଫସଲ ୨୮୫ ମିଲିୟନ ଟନ ରହିଥିଲା। ଏବେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ଉତ୍ପାଦନ ୩୩୦ ମିଲିୟନ ଟନ ରହିବାର ଆକଳନ କରାଯାଇଛି। ଏହି ଏମଏସପି ବୃଦ୍ଧି ନିଷ୍ପତ୍ତି ଚାଷୀମାନଙ୍କ ପାଇଁ କଲ୍ୟାଣକାରୀ ହେବ। କେନ୍ଦ୍ର ସରକାର ଦେଶର ଅନ୍ନଦାତାଙ୍କ ଆୟ ବୃଦ୍ଧି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି”, କହିଛନ୍ତି ପିୟୁଷ ଗୋୟଲ।

ସେହିଭଳି ହରଡ଼ ଡାଲିର ଏମଏସପି କ୍ଵିଣ୍ଟାଲ ପିଛା ୭ ହାଜର ଟଙ୍କା ହୋଇଛି। ପୂର୍ବରୁ ଏହାର ମୂଲ୍ୟ ୬ ହଜାର ୬୦୦ ଟଙ୍କା ଥିବାବେଳେ ଏହାକୁ ୪୦୦ ଟଙ୍କା ବଢ଼ାଇଛନ୍ତି ସରକାର। ସେହିପରି ମୁଗଡାଲିର ଏମଏସପି କ୍ଵିଣ୍ଟାଲ ପିଛା ୮ ହଜାର ୫୫୮ ଟଙ୍କା, ବିରି ଡାଲିର ଏମଏସପି ୬ ହାଜର ୯୫୦ ଟଙ୍କା ଯାଏଁ ବଢ଼ିଛି।

ଅନ୍ୟପଟେ ସରକାର ମଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ଏବେ କ୍ଵିଣ୍ଟାଲ ପିଛା ୩ ହାଜର ୮୪୬ ଟଙ୍କା କରିଛନ୍ତି। ସେହିପରି ବାଜରାର ଏମଏସପି ୨ ହଜାର ୫୦୦ ଟଙ୍କା, ବାଦାମର ଏମଏସପି ୬ ହଜାର ୩୭୭ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜିର ଏମଏସପି ୬ ହଜାର ୭୬୦ ଟଙ୍କା, ସୋୟାବିନର ଏମଏସପି ୪ ହଜାର ୬୦୦ ଟଙ୍କା ହୋଇଛି।

ସେହିପରି କପାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୫୪୦ ଟଙ୍କା ବଢ଼ି ଏବେ ୬ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ଏବେ ଲାଗୁ ହୋଇଥିବା ଏହି ବର୍ଦ୍ଧିତ ଏମଏସପି ଦରରେ କୃଷକମାନେ ସେମାନଙ୍କ ଫସଲକୁ ବିକି ପାରିବେ।

Tags: #Agriculture #Crops #Foodgrains #MSPhike #India

 

Comment