ଓଡ଼ିଶାଲାଇଭ୍ ବ୍ୟୁରୋ

‘ଫେଲୁଦା’ ଟେଷ୍ଟ୍ କିଟ୍ ସାହାଯ୍ୟରେ କମ୍ ଟଙ୍କା ଓ କମ୍ ସମୟରେ କରିହେବ କରୋନା ଟେଷ୍ଟ୍।

  • ‘ଫେଲୁଦା’ ଟେଷ୍ଟ୍ କିଟ୍‌କୁ ଡିସିଜିଆଇର ଅନୁମୋଦନ
  • ୫୦୦ରୁ ୬୦୦ ଟଙ୍କାରେ କରିହେବ କୋଭିଡ୍ ଟେଷ୍ଟ୍
  • ମାତ୍ର ଅଧଘଣ୍ଟାରେ ଜଣାପଡ଼ିବ ଟେଷ୍ଟ୍ ରିପୋର୍ଟ

କମ୍ ଦାମ୍‌ରେ ସଠିକ ଫଳ ଦେଉଥିବା ଏକ ନୂଆ କୋଭିଡ୍ ଟେଷ୍ଟ୍ କିଟ୍ ଭାରତ ସରକାରଙ୍କ ପକ୍ଷରୁ ଛଡ଼ାଯାଇଛି। ଏହି ଟେଷ୍ଟ୍‌ କିଟ୍ ସାହାଯ୍ୟରେ ମାତ୍ର ୩୦ ମିନିଟ ଭିତରେ ବ୍ୟକ୍ତି ପଜିଟିଭ୍ କି ନୁହେଁ ତାହା ଜାଣିହେବ। ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ(ଡିସିଜିଆଇ) ଏହାକୁ ଅନୁମୋଦାନ କରିଛନ୍ତି। ଟାଟା ଗ୍ରୁପ ତଥା ସିଏସ୍‌ଆଇଆର୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପରୀକ୍ଷାର ନାମ ଦିଆଯାଇଛି ‘ଫେଲୁଦା’। ଫେଲୁଦା ହେଉଛି ଏକ କାଳ୍ପନିକ ଡିଟେକଟିଭ୍ ଚରିତ୍ର ଯାହାକୁ ବିଶିଷ୍ଟ ଚିତ୍ର ନିର୍ମାତା ସତ୍ୟଜିତ ରାୟ ସୃଷ୍ଟି କରିଥିଲେ।

ଏହି ଟେଷ୍ଟ୍‌କୁ ସ୍ଥାନୀୟ ଭାବେ ପ୍ରସ୍ତୁତ କରାଯାଇଛି ଓ ଏହାର ମେଡିକାଲ ନାମ ହେଉଛି ସିଆର୍‌ଆଇପିଏସ୍‌ଆର୍ ଜିନ୍-ଏଡିଟିଂ ଟେକ୍ନୋଲୋଜି(CRIPSR gene-editing technology)। ଏହା କରୋନା ଭୂତାଣୁର ଆନୁବଂଶୀକି ଉପାଦାନକୁ ଟାର୍ଗେଟ୍ କରିଥାଏ।ଏହି ପରୀକ୍ଷା ଆର୍‌ଟିପିସିଆର୍ ଟେଷ୍ଟ୍ ଭଳି ତ୍ରୁଟିଶୂନ୍ୟ। କିନ୍ତୁ ଆର୍‌ଟିପିସିଆର୍ ଟେଷ୍ଟ୍ ପାଇଁ ପ୍ରାୟ ୫ ଘଣ୍ଟା ଲାଗୁଥିବା ବେଳେ ‘ଫେଲୁଦା’ କିଟ୍ ସାହାଯ୍ୟରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଟେଷ୍ଟ୍ ରିପୋର୍ଟ ମିଳିପାରିବ।

‘ଫେଲୁଦା’ ଟେଷ୍ଟ୍ ଠିକ୍ ପ୍ରେଗନାନ୍ସି ଟେଷ୍ଟ୍ ଭଳି। ଯଦି କାହା ଦେହରେ କରୋନା ଭୂତାଣୁ ଥାଏ ତେବେ ଟେଷ୍ଟ ଷ୍ଟ୍ରିପ୍‌ର ରଙ୍ଗ ବଦଳି ଯାଇଥାଏ।ସବୁଠାରୁ ବଡ଼ କଥା ହେଲା ଆର୍‌ଟିପିସିଆର୍ ଟେଷ୍ଟ ପାଇଁ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଫେଲୁଦା ଟେଷ୍ଟ୍‌ର ଦାମ୍ ମାତ୍ର ୫୦୦ରୁ ୬୦୦ ଟଙ୍କା। ହସ୍ପିଟାଲଗୁଡ଼ିକରେ ଖୁବଶୀଘ୍ର ‘ଫେଲୁଦା’ ଟେଷ୍ଟ୍ ସୁବିଧା ଉପଲବ୍ଧ ହେବ।

Comment