ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରର ନୂଆ କୃଷି ବିଲ୍ ମଣ୍ଡିରେ ଚାଲିଥିବା ଦଲାଲି ବ୍ୟବସ୍ଥାକୁ ଉଚ୍ଛେଦ କରିବ। ଏଣିକି ଇ-ମାର୍କେଟିଂ ଜରିଆରେ ଚାଷୀମାନେ ସବୁଠି ନିଜ ଉତ୍ପାଦିତ ଫସଲ ବିକ୍ରି କରିପାରିବେ। ଫସଲ ବିକ୍ରି କରିବାକୁ ଚାଷୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ, ବରଂ ସେମାନେ ନିଜ ଇଚ୍ଛା ଅନୁସାରେ ଯେଉଁଠି ଚାହିଁବେ ସେଇଠି ଫସଲ ବିକ୍ରି କରିପାରିବେ। ଆଜି ରାଜ୍ୟସଭାରେ କେନ୍ଦ୍ରର ନୂଆ କୃଷି ବିଲ୍ ପାରିତ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

ଏହି କୃଷି ବିଲ୍‌ ଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବେ ଉପକୃତ ହେବେ। ଚାଷୀମାନଙ୍କୁ ସେମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବ ବୋଲି ସୁରେଶ ପୂଜାରୀ କହିଛନ୍ତି। ଏଥିସହ କୃଷି ବିଲ୍‌କୁ ବିଜେଡି ବିରୋଧ କରିବା ତାଙ୍କୁ ଚକିତ କରିଛି ବୋଲି ସୁରେଶ କହିଛନ୍ତି।

ଏଥିପାଇଁ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ‘କହିଁ ପେ ନିଗାହେଁ, କହିଁ ପେ ନିଶାନା’ କହି ସେ ବିଜେଡିକୁ ସମାଲୋଚନା କରିଛନ୍ତି।

ସୁରେଶ କହିଛନ୍ତି, “ସିବିଆଇ ବିଜେଡିର ଅନେକ ବିଧାୟକଙ୍କ ଘରେ ରେଡ୍ କରିଛି ଏବଂ ଆଗକୁ ମଧ୍ୟ କରିପାରେ। ବିଜେଡି ଭାବୁଥିଲା ବିଜେପି ସେମାନଙ୍କୁ ଚିଟ୍‌ଫଣ୍ଡ ଠକେଇ ମାମଲାରୁ ରକ୍ଷା କଲେ ସେମାନେ ବିଜେପିକୁ ସମର୍ଥନ ଦେବେ। କିନ୍ତୁ ବିଜେପି ବେପାର କରେନି। ଆଇନ ତା’ ବାଟରେ ଏବଂ ସିବିଆଇ ତା’ ବାଟରେ ଯିବ। ତୁମେ ସମର୍ଥନ କର ବା ନକର ସେଥିରେ ଆମର କିଛି କରିବାର ନାହିଁ।”

ଆଜି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରର ନୂଆ କୃଷି ବିଲ୍ ପାରିତ ହୋଇଛି। ବାଚନିକ ଭୋଟ ମାଧ୍ୟମରେ ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ୍‌ ଯଥା- କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦ ଏବଂ କୃଷକ ସଶକ୍ତୀକରଣ ଓ ସଂରକ୍ଷଣ ବିଲ୍‌। ଏହି ୨ଟି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି।

LEAVE A REPLY

Please enter your comment!
Please enter your name here