ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାଲେଶ୍ୱର ଭିତରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ 
  • ପ୍ରାର୍ଥିତ୍ୱକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ୩ଟି ପ୍ରମୁଖ ରାଜନୈତିକ ଦଳ 
  • ନିର୍ବାଚନକୁ ଆଦୌ ଗମ୍ଭୀରତାର ସହ ନେଇନାହାନ୍ତି ଭୋଟର

ଯେ କୌଣସି ମୂହୂର୍ତ୍ତରେ ବାଲେଶ୍ୱର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। କିନ୍ତୁ ୩ଟି ପ୍ରମୁଖ ରାଜନୈତିକ ଦଳର ଗତିବିଧିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଯେ ସମସ୍ତେ ପ୍ରାର୍ଥିତ୍ୱକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଆଉ କରୋନା ପାଇଁ ବିଚଳିତ ଥିବା ଲୋକେ ନିର୍ବାଚନକୁ ଆଦୌ ଗମ୍ଭୀରତାର ସହ ନେଇନାହାନ୍ତି। ସାଧାରଣତଃ ନିର୍ବାଚନ ଆସିଲେ ଛକରେ, ବଜାରରେ, ଗଳିକନ୍ଦିରେ ନିର୍ବାଚନକୁ ନେଇ ଚର୍ଚ୍ଚା ହୁଏ। ତେବେ ୩ ଦଳ କେବଳ କରୋନା ସଚେତନତା ଓ ସହାୟତା ବାହାନାରେ ଭୋଟରଙ୍କୁ ଭେଟୁଛନ୍ତି।

ତେବେ ଭୋଟରଙ୍କ ମଧ୍ୟରେ ମଧ୍ୟ ଦ୍ୱନ୍ଦ୍ୱ ଅଛି ପ୍ରାର୍ଥୀ କିଏ ହେବ। ଅଧିକାଂଶ ଦଳ ଦେଖି ଭୋଟ ଦେଉଥିଲେ ମଧ୍ୟ, ସହରାଞ୍ଚଳ ଭୋଟର ଥିବାରୁ ଏଠାରେ ପ୍ରାର୍ଥୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗତ ନିର୍ବାଚନରେ ବାଲେଶ୍ୱର ଆସନ ହରାଇଥିଲା ବିଜେଡି। ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାଶଙ୍କୁ ୧୩୪୦୬ ଖଣ୍ଡ ଭୋଟରେ ହରାଇଥିଲେ। ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪ ହଜାର ୮୧୫ ଭୋଟ ପାଇଥିବା ବେଳେ ଜୀବନପ୍ରଦୀପ ୬୧ ହଜାର ୪୦୯ ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯ ହଜାର ୭୦୪ ଖଣ୍ଡ ଭୋଟ୍ ପାଇଥିଲେ।

ସାଧାରଣତଃ କୌଣସି ସଦସ୍ୟଙ୍କ ବିୟୋଗରେ ଉପନିର୍ବାଚନ ହେଲେ ସମ୍ପୃକ୍ତ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥାଏ। ଅନ୍ୟମାନେ ତାଙ୍କ ପୁରୁଣା ପ୍ରାର୍ଥୀଙ୍କୁ ପ୍ରାୟ ଆଉଥରେ ମଇଦାନକୁ ଛାଡ଼ନ୍ତି। ହେଲେ ବାଲେଶ୍ୱର ସ୍ଥିତିରେ ଏଥର ସବୁ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ପ୍ରଥମେ ବିଜେପି କଥା ବିଚାରକୁ ଆଣିଲେ, ସ୍ୱାଭାବିକ ଭାବେ ଏହା ସହାନୁଭୂତି ଭୋଟ ପାଇଁ ଦିବଂଗତ ସଦସ୍ୟଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିପାରନ୍ତି ବୋଲି ସମସ୍ତେ ଭାବନ୍ତି। ହେଲେ ଏଥର ବିଜେପି ତାକୁ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରିନି। ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ କରୋନା, ବନ୍ୟା ମୁକାବିଲାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛନ୍ତି। କିନ୍ତୁ ସିଏ ପ୍ରାର୍ଥୀ ହେବେ ବୋଲି ବିଜେପି ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନି।

ସେପଟେ ବିଜେଡି ମଧ୍ୟ କିଛି ଫାଇନାଲ କରିପାରିନି। କାରଣ ପୂରୁଣା ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ତାଙ୍କ ପତ୍ନୀଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ପ୍ରାର୍ଥୀ ଚୟନରେ ବିଜେଡି ପାଇଁ ବି ଅଡୁଆ ଅଛି। ସେପଟେ କଂଗ୍ରେସ ମଧ୍ୟ ଦ୍ୱନ୍ଦ୍ୱରେ ଅଛି କାହାକୁ ପ୍ରାର୍ଥୀ କରିବ। ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇବ ନା ନୂଆ ପ୍ରାର୍ଥୀ ଦେବ। ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ବାଲେଶ୍ୱର ସାଂସଦ ପ୍ରାର୍ଥୀ ତଥା ପିସିସି ସଭାପତିଙ୍କ ପୁଅ ନବଜ୍ୟୋତିଙ୍କ ନାଁ ଉଠାଇ ରାଜନୀତି ପାଣିକୁ ଗୋଳିଆ କରିଦେଇଛନ୍ତି।

Comment