ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ବ୍ୟାଣ୍ଡପାର୍ଟି ଗ୍ରୁପ୍‌ଗୁଡ଼ିକ ରୋଜଗାର ହରାଇଛନ୍ତି।

  • କରୋନା ଯୋଗୁଁ ରୋଜଗାର ନାହିଁ
  • ନିରାଡ଼ମ୍ବର ଭସାଣି ପାଇଁ ବରାଦ ଆସୁନି
  • କାମ ନଥିବାରୁ ସମସ୍ୟାରେ ପଡ଼ିଛନ୍ତି କଳାକାର

କଟକ: କରୋନା ମହାମାରୀ ସବୁ ବ୍ୟବସାୟକୁ ପ୍ରଭାବିତ କରିଛି। ବର୍ଷର ୪ ମାସିଆ ପାର୍ବଣକୁ ଚାହିଁ ବସିଥିବା ବ୍ୟାଣ୍ଡପାର୍ଟି ଗ୍ରୁପ୍ ଏଥର ମଧ୍ୟ ହତାଶ ହୋଇଛନ୍ତି। ଏହି ପାର୍ଟିଗୁଡ଼ିକ ଗଣେଶ ପୂଜାରେ ରୋଜଗାର ହରାଇଥିଲେ। ଏବେ ଦଶହରାରେ କରୋନା କଟକଣା ସେଗୁଡ଼ିକ ପାଇଁ ରୋଜଗାରର ବାଟ ଓଗାଳିଛି। ଭସାଣି ଉତ୍ସବ ନିରାଡ଼ମ୍ବର କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଥିବାରୁ ବ୍ୟାଣ୍ଡପାର୍ଟିରେ କାମ କରି ଗୁଜୁରାଣ ମେଣ୍ଟାଉଥିବା କଳାକାରମାନେ ସମସ୍ୟାରେ ପଡ଼ିଛନ୍ତି।

କଟକ ଦଶହରା ଯେମିତି ସ୍ୱତନ୍ତ୍ର, ଭସାଣି ଉତ୍ସବ ବି ସେମିତି ଆକର୍ଷଣୀୟ। ବାଜା, ବାଣ, ରୋଶଣିରେ କମ୍ପିଉଠେ ସାରା ସହର। ପ୍ରତି ଗଳିକନ୍ଦିରୁ ଦେବୀଗଡ଼ା ଅଭିମୁଖେ ବାହାରିଆସେ ଲମ୍ବା ଶୋଭାଯାତ୍ରା। ଆଗରେ ବ୍ୟାଣ୍ଡପାର୍ଟି, ଲାଇଟ୍‌ଗେଟ୍ ସାଙ୍ଗକୁ ହାତବାଜାରେ ଅତି ମନଲୋଭା ଦିଶେ ଦୁର୍ଗାପୂଜା ଭସାଣି।ତେବେ ପ୍ରତିବର୍ଷ ଦୁର୍ଗାପୂଜାର ଢେର ଆଗରୁ ବିଭିନ୍ନ ପୂଜା କମିଟି ତରଫରୁ ବ୍ୟାଣ୍ଡପାର୍ଟି ଗ୍ରୁପ୍‌ଙ୍କୁ ବରାଦ ଦିଆଯାଇଥାଏ।

କିଛି ପୂଜା କମିଟି ପ୍ରତିବର୍ଷ କିଛି ନିର୍ଦ୍ଦିଷ୍ଟ ବ୍ୟାଣ୍ଡପାର୍ଟିକୁ ବୁକିଂ କରିଥାନ୍ତି। ଯେମିତି ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା କମିଟି ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଶିକାକୁଲମ୍ ବ୍ୟାଣ୍ଡଗ୍ରୁପ୍ ଅଣାଯାଇଥାଏ।

ସେମିତି ଖାନ୍‌ନଗର, ମଙ୍ଗଳାବାଗ୍‌, ରାଣୀହାଟ, ଛତ୍ରବଜାର, ଶଙ୍କରପୁର-ବାଦାମ୍‌ବାଡ଼ି, ଅଲିଶାବଜାର, ଚାନ୍ଦିନୀଚୌକ ଭଳି ପୂଜା କମିଟି ଏକାଧିକ ବ୍ୟାଣ୍ଡପାର୍ଟି ଗ୍ରୁପ୍ ବୁକିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ।

ବ୍ରହ୍ମପୁର, କଟକ ସାଲେପୁର, ଅନୁଗୁଳ, ଜଗତସିଂହପୁର ଭଳି ଅଞ୍ଚଳରୁ ବ୍ୟାଣ୍ଡପାର୍ଟି ଗ୍ରୁପ୍ କଟକ ଆସି ଭସାଣିରେ ସାମିଲ୍ ହୁଅନ୍ତି। ଦୁର୍ଗାପୂଜା ଭସାଣିରେ ସାରା ଓଡ଼ିଶାରୁ ପ୍ରାୟ ଶହେରୁ ଅଧିକ ବ୍ୟାଣ୍ଡପାର୍ଟି ଗ୍ରୁପ୍ ଆସିଥାନ୍ତି। ଗୋଟିଏ ଗ୍ରୁପ୍‌ରେ ପ୍ରାୟ ୨୦ଜଣ ସଦସ୍ୟ ଥାଆନ୍ତି।କିନ୍ତୁ ଚଳିତବର୍ଷ କରୋନା ଯୋଗୁଁ ଭସାଣି ଉତ୍ସବ ଆୟୋଜନ ହେବନାହିଁ। ଏହାକୁ ନେଇ ପ୍ରାୟ ୨ ହଜାର କଳାକାର ଏବେ ସମସ୍ୟାରେ ପଡ଼ିଛନ୍ତି। ପାର୍ବଣରେ କାମ ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି।

ଏନେଇ ଲୋକନାଥ ବ୍ୟାଣ୍ଡଗ୍ରୁପ୍‌ର ମାଷ୍ଟର ଅନିଲ୍ ସାବତ କହିଛନ୍ତି, “ଏ ବର୍ଷ ଆଦୌ ବ୍ୟବସାୟ ହୋଇନାହିଁ। ତେଣୁ ଗ୍ରୁପ୍ ସଦସ୍ୟ ମାନେ ବହୁତ ହଇରାଣ ହେଉଛନ୍ତି। ଏମିତିକି କଳାକାରଙ୍କ ଘରେ ଚୁଲି ଜଳିବା ମୁସ୍କିଲ୍ ହୋଇପଡିଛି। କିଛି କଳାକାର ପାନ, ଚା’ ଦୋକାନ କରି ବସିଲେଣି। ଗଣେଶ ପୂଜା ବେଳକୁ ଆମକୁ ପ୍ରାୟ ୫ଟି ବରାଦ ମିଳିଯାଏ। କିନ୍ତୁ ଏଥର କିଛି ହେଲାନାହିଁ। ଭାବିଥିଲୁ ଦଶହରା ବେଳକୁ ସବୁ କିଛି ସ୍ୱାଭାବିକ ହୋଇଯିବ। କିନ୍ତୁ ସେମିତି ସମ୍ଭାବନା ଥିବା ଭଳି ଲାଗୁନି। ତେଣୁ ଭାଗ୍ୟକୁ ଆଦରି ପଡ଼ିରହିବା ଛଡ଼ା ଆଉ କିଛି ଉପାୟ ନାହିଁ।”କେବଳ ଦଶହରା ନୁହେଁ, ଆଗକୁ କାଳୀପୂଜା, ଲକ୍ଷ୍ମୀଭସାଣି ଏବଂ କାର୍ତ୍ତିକେଶ୍ଵର ପୂଜା ଭସାଣି ଉତ୍ସବ ହେବା ନେଇ ଆଶଙ୍କା ଲାଗି ରହିଛି। ତେଣୁ ବ୍ୟାଣ୍ଡପାର୍ଟିର କର୍ମକର୍ତ୍ତାମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

Comment