ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଯିବ। କିପରି ନିଆଁ ଲାଗିଲା, ଆଗକୁ ଯେମିତି ଏପରି ସ୍ଥିତି ନ ହୁଏ ତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅଗ୍ନିକାଣ୍ଡ ପଛର କାରଣ ସଂପର୍କରେ ଜାଣିବା ପାଇଁ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଅନିଲ ସାମଲ କହିଛନ୍ତି।

ଘଟଣାର ତଦନ୍ତ ଦାୟିତ୍ଵ ଉଭୟ ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ମିଶିକରି କରିବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କଟକ ଜଗତପୁରର ସଦ୍‌ଗୁରୁ କୋଭିଡ ହସ୍ପିଟାଲ୍‌ରେ ସୋମବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ଏସିରୁ ସର୍ଟସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ହସ୍ପିଟାଲ୍‌ର ଡାକ୍ତର କହିଛନ୍ତି। ହସ୍ପିଟାଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ର ଆଇସିୟୁରେ ଏହି ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ ହସ୍ପିଟାଲ୍‌ର କିଛି କୋଭିଡ ଆକ୍ରାନ୍ତ ଆହାତ ହୋଇଥିବା ସୂଚନା ମିଳିଛି। ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଅଶ୍ଵିନୀ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।ତେବେ କେମିତି ଏହି ଅଗ୍ନିକାଣ୍ଡ ହେଲା, ତାହାକୁ ନେଇ ତଦନ୍ତ କରାଯିବ ବୋଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ କହିଛନ୍ତି। ଅପରପକ୍ଷେ ଅଗ୍ନିକାଣ୍ଡର କାରଣ ବିଷୟରେ ଯାଞ୍ଚକରି ଆଗକୁ ଯେପରି ଏପରି ଦୁର୍ଘଟଣାକୁ ଅଟକା ଯାଇପାରିବ ସେ ନେଇ ବିଶେଷ ଧ୍ୟାନ ଦେବାକୁ କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଅନିଲ ସାମଲ କହିଛନ୍ତି।

ଗତ ଅଗଷ୍ଟ ମାସରେ ଅହମ୍ମଦାବାଦ୍‌ର ଏକ କୋଭିଡ ହସ୍ପିଟାଲ୍‌ରେ ନିଆଁ ଲାଗି ୮ ଜଣ କୋଭିଡ ରୋଗୀ ପ୍ରାଣ ହରାଇଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ୍‌ରେ ଅଗ୍ନି ନିର୍ବାପନ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ।

Comment