ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସଦଗୁରୁ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହସ୍ପିଟାଲର ନଥିଲା ଫାୟାର ସେଫ୍ଟି ଲାଇସେନ୍ସ। ଏନେଇ ସୋମବାର ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ହସ୍ପିଟାଲକୁ ମିଳିନଥିଲା ଫାୟାର ସେଫ୍ଟି ଲାଇସେନ୍ସ। ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା। ହସ୍ପିଟାଲକୁ ଲାଇସେନ୍ସ ମିଳିବା ନେଇ ଯାଞ୍ଚ କରାଯାଉଥିଲା ବୋଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ କହିଛନ୍ତି।ଲାଇସେନ୍ସ ପ୍ରାପ୍ତ ପାଇଁ ହସ୍ପିଟାଲ ପାଖରେ ଆବଶ୍ୟକୀୟ ବ୍ୟବସ୍ଥା ନଥିଲା। ଏଥିପାଇଁ ଲାଇସେନ୍ସ ମିଳିବା ନେଇ ବ୍ୟବସ୍ଥା ବିଚାରରେ ରହିଥିଲା। ତେବେ ଆଜି ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା କାମ କରିଥିବାରୁ ଅଗ୍ନିକାଣ୍ଡଟି ଅଳ୍ପରେ ଟଳି ଯାଇଥିଲା।

ଆହାତ ରୋଗୀମାନଙ୍କୁ ୧୫ଟି ଆମ୍ଵୁଲାନ୍ସ ଯୋଗେ ଅଶ୍ଵିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବାହିନୀର ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।

ଗତ ଅଗଷ୍ଟ ମାସରେ ଅହମ୍ମଦାବାଦ୍‌ର ଏକ କୋଭିଡ ହସ୍ପିଟାଲ୍‌ରେ ନିଆଁ ଲାଗି ୮ ଜଣ କୋଭିଡ ରୋଗୀ ପ୍ରାଣ ହରାଇଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ୍‌ରେ ଅଗ୍ନି ନିର୍ବାପନ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ। ତେବେ ଏପରି ସ୍ଥଳରେ ସଦଗୁରୁ କୋଭିଡ ହସ୍ପିଟାଲର ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାରଙ୍କ କୋଭିଡ ମୁକାବିଲା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment