ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ପାଇଁ ବଲିଉଡକୁ ସବୁଠୁ ଅଧିକ କ୍ଷତି
  • ମାସ ମାସ ଧରି ସିନେମା ହଲ୍‌ ବନ୍ଦ
  • ଡିଜିଟାଲ ପ୍ଲାଟଫର୍ମ ହିଁ ଭରସା

ବଲିଉଡକୁ ବେରୋଜଗାର ହେବାରୁ ବଞ୍ଚାଇଦେଇଛି ମୋବାଇଲ। କରୋନା ପରଠାରୁ ପ୍ରଡ୍ୟୁସରମାନେ ମୋବାଇଲ ସ୍କ୍ରିନିଂ କରାଉଛନ୍ତି। ଥିଏଟର ବନ୍ଦ ପଡ଼ିଛି, ହେଲେ ଲୋକଙ୍କ ପାଖରେ ମୋବାଇଲରେ ଫିଲ୍ମ ପହଞ୍ଚୁଛି। ଥିଏଟର ରିଲିଜ କରିବା ପର୍ଯ୍ୟନ୍ତ ଅପେକ୍ଷା କଲେ କେତେ କ୍ଷତିହେବ ତାହା ଆକଳନ କରିସାରିଛନ୍ତି ପ୍ରଡ୍ୟୁସରମାନେ। ସେଥିପାଇଁ ହଟଷ୍ଟାର, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭଳି ଷ୍ଟ୍ରିମିଂ ପ୍ଲାଟଫର୍ମକୁ ବାଛିଛନ୍ତି। ଏବେ ନାମୀଦାମୀ କଳାକାରମାନେ ମଧ୍ୟ ଏହି ପ୍ଲାଟଫର୍ମରେ ମୌଳିକ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କଲେଣି।

ବଞ୍ଚିବାକୁ ହେଲେ ସାଲିସ କରିବାକୁ ପଡ଼ିବ ଏକଥା ସେମାନେ ଅଳ୍ପ ବହୁତେ ବୁଝିବାକୁ ଆରମ୍ଭ କଲେଣି। କେବେ ଥିଏଟର ଖୋଲିଲେ ବି, ନିକଟ ଭବିଷ୍ୟତରେ ଦର୍ଶକ ଭର୍ତ୍ତି ହେବାର ସମ୍ଭାବନା ଆଦୌ ନ ଦିଶିବା ପରେ ବାଧ୍ୟ ହୋଇ ବଲିଉଡ ଅନଲାଇନ ଥିଏଟରକୁ ଓହ୍ଲାଇ ଆସିଛି।ott platform

ଅନଲାଇନ ପ୍ଲାଟଫର୍ମରେ ପ୍ରଥମ ଫିଲ୍ମ ଭାବେ ରିଲିଜ ହୋଇଥିଲା ବିଗ୍ ବି ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଗୁଲାବୋ ସିତାବେ’ ଫିଲ୍ମ ରିଲିଜ୍ ହୋଇଥିଲା ଜୁନ୍ ମାସରେ। ଏହାପରେ ପ୍ରସିଦ୍ଧ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ବାୟୋପିକ୍ ରିଲିଜ ହୋଇଥିଲା।

ଭାରତର ପ୍ରଥମ ଫାଇଟର ମହିଳା ପାଇଲଟଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଗୁଞ୍ଜନ ସକ୍ସେନା ମଧ୍ୟ ରିଲିଜ୍ ହୋଇଥିଲା ଡିଜିଟାଲ ପ୍ଲାଟଫର୍ମରେ। ଏହାଛଡ଼ା ୧୯୯୧ ମସିହାର ଫିଲ୍ମ ସଡକର ସିକ୍ୱେଲ ସଡକ-୨ ମଧ୍ୟ ରିଲିଜ ହୋଇଥିଲା ଏହି ପ୍ଲାଟଫର୍ମରେ। କହିବାକୁ ଗଲେ, ଏମିତି ରିଲିଜ୍ କରିବା ଛଡ଼ା ପ୍ରଡ୍ୟୁସରଙ୍କ ପାଖରେ ଆଉ କିଛି ସୁଯୋଗ ହିଁ ନ ଥିଲା। ଆଉ ଏ ପ୍ଲାଟଫର୍ମ ବି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦର୍ଶକଙ୍କ ଭିତରେ ବେଶ ଆଦୃତ ହୋଇସାରିଛି। ଆଉ କରୋନାମୁକ୍ତ ଭବିଷ୍ୟତରେ ଏହା ଥିଏଟର ରିଲିଜ ପାଇଁ ଚ୍ୟାଲେଞ୍ଜ୍ ମଧ୍ୟ ସୃଷ୍ଟି କରିପାରେ।

ଅନଲାଇନ ଷ୍ଟ୍ରିମିଂର ସଫଳତା ଦେଖିବା ପରେ ଅନେକ ନାମୀଦାମୀ ଅଭିନେତା ସେମାନଙ୍କ ଫିଲ୍ମକୁ ଏହି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି। ବଲିଉଡର ହାଇପେଡ ଅଭିନେତା ଅକ୍ଷୟ କୁମାର ତାଙ୍କର ହରର କମେଡି ଫିଲ୍ମ ଲକ୍ଷ୍ମୀବମକୁ ଡିଜନୀ+ହଟଷ୍ଟାରରେ ରିଲିଜ କରାଇବାକୁ ଘୋଷଣା କରିସାରିଛନ୍ତି।

ଏହା ସହ ସେହି ପ୍ଲାଟଫର୍ମର ଏକ ୱେବସିରିଜରେ ଅଭିନୟ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ବହୁତ ଅଭିନେତା ଅନଲାଇନ ପ୍ଲାଟଫର୍ମକୁ ଓହ୍ଲାଇ ସାରିଛନ୍ତି। ଆହୁରି ଅନେକ ଓହ୍ଲାଇବାକୁ ଯୋଜନା କରୁଛନ୍ତି। ଅମିତାଭ ବଚ୍ଚନଙ୍କ ପରି ତାଙ୍କ ପୁଅ ଅଭିଷେକଙ୍କ ସାଡୋ ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ପ୍ରଦର୍ଶିତ ହୋଇସାରିଛି। ଏହା ଛଡ଼ା ଅନିଲ କପୁର, ନଶରୁଦ୍ଦିନ ସାହ, ସବାନା ଆଜମୀ, କାଜୋଲ, କରିସ୍ମାଙ୍କ ଭଳି ଅଭିନେତା ଓ ଅଭିନେତ୍ରୀ ସେମାନଙ୍କ ଅନଲାଇନ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି।

ସାଂଘାତିକ ଚିନ୍ତାରେ ଥିଏଟର ମାଲିକ

ଗୋଟିଏପଟେ ପ୍ରଯୋଜକମାନେ ଅନଲାଇନ ଷ୍ଟ୍ରିମିଂକୁ ଓହ୍ଲାଇ ସାରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଥିଏଟର ମାଲିକ। ତଥାପି ସେମାନେ ଥିଏଟର ଖୋଲିବା ପାଇଁ ଦାବି କରିଛନ୍ତି। କାରଣ ସିନେମା ଶିଳ୍ପ ଏତେମାତ୍ରାରେ କ୍ଷତି କଲାଣି ଯେ, ଆଗକୁ ଏହାକୁ ଟ୍ରାକକୁ ଆଣିବା ପାଇଁ କଣ କରିବାକୁ ପଡ଼ିବ କିଛି ଚିନ୍ତା କରିହେଉନାହିଁ।

ଗୋଟିଏ ପଟେ ଥିଏଟର ଖୋଲିବାକୁ ଦାବି କରୁଛନ୍ତି, ଅନ୍ୟପଟେ ଥିଏଟର ଖୋଲିଲେ କଣ କରିବେ ସେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଏବେ ଥିଏଟର ରିଲିଜ ପାଇଁ ସେତେ ଫିଲ୍ମ ମଧ୍ୟ ନାହିଁ। ଅନେକ ଫିଲ୍ମର ସୁଟିଂ ଅଧା ପଡ଼ିଛି। ଆଉ କିଛି ଫିଲ୍ମ ଅନଲାଇନ ରିଲିଜ ପାଇଁ ଚୁକ୍ତି ହୋଇସାରିଛି। ଥିଏଟର ଭର୍ତ୍ତି ନ ହେଲେ ଲାଭ ହେବନି। ଯଦି କୌଣସି ଥିଏଟରରୁ କରୋନା ରୋଗୀ ବାହାରୁଛନ୍ତି,  ତେବେ କେତେଦିନ ପର୍ଯ୍ୟନ୍ତ ଥିଏଟର ପୁଣି ବନ୍ଦ ହୋଇଯିବ ତାର କିଛି ଠିକଣା ନାହିଁ।

ଅନଲାଇନରେ ରିଲିଜ ଚାଲିଛି। ତଥାପି ବ୍ଲକ ବଷ୍ଟର ହେବାକୁ ଆଶା କରିଥିବା ୨ଟି ଫିଲ୍ମ ଏବେ ବି ବଡ଼ ପରଦା ରିଲିଜକୁ ଅପେକ୍ଷା କରିଛନ୍ତି। ସୂର୍ଯ୍ୟବଂଶୀ ଓ ୱାର୍ଲ୍ଡକପ ବିଜୟ ଉପରେ ଆଧାରିତ ଫିଲ୍ମ ୩’ ରିଲିଜ ଅପେକ୍ଷା ରହିଛି। ଏହାକୁ ନେଇ ଥିଏଟରମାଲିକମାନେ ବେଶ ଆଶାବାଦୀ। କାରଣ ସେମାନଙ୍କ ଭାଷାରେ ଗୋଟିଏ ବ୍ଲକ ବଷ୍ଟର ବି ଯଥେଷ୍ଟ।

Comment