ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନସଂଚାର ସଂସ୍ଥାନ ପକ୍ଷରୁ ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ ପାଢ଼ୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଯେଉଁ ଦିନରୁ ଆରମ୍ଭ ହୋଇଛି, ସେହିଦିନଠାରୁ ଅଭୟ ପାଢ଼ୀ ଏହା ସହ ଜଡ଼ିତ ହୋଇ ରହିଛନ୍ତି। ସଂସ୍ଥାନର ପ୍ରତିଟି କଥାରେ ସହଭାଗୀ ହୋଇଛନ୍ତି। ଦୀର୍ଘ ୨୮ ବର୍ଷ ଧରି ଆଇଆଇଏମସିର ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢ଼ାଇଛନ୍ତି। ତାଙ୍କ ବିୟୋଗରେ ଆଇଆଇଏମସି ଆପଣା ଘରର ମୂରବୀଙ୍କୁ ହରେଇ ଦେଲା ବୋଲି ସଂସ୍ଥାନର କର୍ମଚାରୀମାନେ କହିଛନ୍ତି।

ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ଅଭୟ କୁମାର ପାଢ଼ୀଙ୍କର ବିୟୋଗ ପରେ ଗତକାଲି ସଂଧ୍ୟାରେ ଆଇଆଇଏମସି ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥଲା।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଥିଲେ- ଅଭୟ ପାଢ଼ୀଙ୍କ ବିୟୋଗ ଆଇଆଇଏମସି ପାଇଁ ଅପୂରଣୀୟ କ୍ଷତି। ରେଡ଼ିଓ ସଂପର୍କରେ ତାଙ୍କର ଅଗାଧ ଜ୍ଞାନ ଥିଲା। ଗୁଣାତ୍ମକ ଶିକ୍ଷାଦାନର ବିକାଶ ଓ ପ୍ରୟୋଗରେ ବିଶ୍ୱାସୀ ଅଭୟ ପାଢ଼ୀ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଁ ଅନେକ କିଛି କରିଯାଇଛନ୍ତି। ବିଭିନ୍ନ ଭାରତୀୟ ଭାଷାରେ ଦଖଲ ରଖିଥିବା ଅଭୟ ପାଢ଼ୀ, ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଗହଣରେ ରହିବାକୁ ଭଲ ପାଉଥିଲେ। ଆଇଆଇଏମସିର ଲାଇବ୍ରେରିଆନ ଶୁଭଙ୍କରୀ ଦାସ କହିଥିଲେ- ଅଭୟ ସାରଙ୍କ ସହ ସଂସ୍ଥାନର ଅନେକ ସ୍ମୃତି ଜଡ଼ିତ। ଜଣେ ମୂରବୀ ଓ ଜଣେ ଶୁଭେଚ୍ଛୁ ଚାଲିଗଲେ।

ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ସମ୍ବିତ ପାଲ, ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଜିତେନ୍ଦ୍ର ପତି, ବଦ୍ରିନାଥ ଜେନା, ସୌମ୍ୟ ରଂଜନ ବିହାରା, ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଅଭୟ ପାଢ଼ୀଙ୍କ ସ୍ମୃତିଚାରଣ କରିଥିଲେ।

ଗତକାଲି(ସୋମବାର) ପୂର୍ବାହ୍ଣରେ ଅଭୟ ପାଢ଼ୀଙ୍କ ପରଲୋକ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ୭୧ ବର୍ଷ ହୋଇଥିଲା।ଅଭୟ ପାଢ଼ୀ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଥିଲେ। ଅଧ୍ୟାପନାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପାଢ଼ୀ ସୂଚନା ସେବାରେ ଯୋଗ ଦେଇ ବାରିପଦା, କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ।

ସେ କଲିକତା ଦୂରଦର୍ଶନର ମୁଖ୍ୟ ଥିଲେ। ଭାରତର ସବୁ ପ୍ରାନ୍ତରରେ କାର୍ଯ୍ୟ କରି ଅଭୟ ପାଢ଼ୀ ପ୍ରସାର ଭାରତୀର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ।

Comment