ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମସି ପକ୍ଷରୁ ଆଧୁନିକ ଓଡ଼ିଶା ଗଠନରେ ‘ସମାଜ’ର ଭୂମିକା ବିଷୟରେ ଇ-ଆଲୋଚନା ଚକ୍ର।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ, ସବୁକ୍ଷେତ୍ରରେ ଦୈନିକ ‘ସମାଜ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେହିପରି ସାମାଜିକ ସଂସ୍କାରଠାରୁ ଆରମ୍ଭ କରି ଓଡ଼ିଆ ଭାଷା, ସାହିତ୍ୟର ବିକାଶ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ କ୍ଷେତ୍ରରେ ‘ସମାଜ’ର ବେଶ୍‍ ଅବଦାନ ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଦୈନିକ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଛି “ଆଧୁନିକ ଓଡ଼ିଶା ଗଠନରେ ‘ସମାଜ’ର ଭୂମିକା” ଶୀର୍ଷକ ଇ-ଆଲୋଚନାଚକ୍ର। ଗୁଗୁଲ୍‍ ମିଟ୍‍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଛି।“ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାଭିମାନର ସୁରକ୍ଷା କରିବା ଦିଗରେ ‘ସମାଜ’ର ମୁଖ୍ୟ ଭୂମିକା ଥିଲା। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ସ୍ୱର ହେଉଛି ଏହି ଖବରକାଗଜ। ‘ସମାଜ’କୁ ସମସ୍ତେ ନିଜର ଖବରକାଗଜ ବୋଲି ମନେ କରନ୍ତି। ଓଡ଼ିଶା ଯାହା ଆଜି ଦେଖୁଛି, ‘ସମାଜ’ ତାକୁ ହିଁ ଦେଖେଇଛି। ସ୍ୱତନ୍ତ୍ର ପ୍ରଦେଶ ଗଠନରେ, ଭାରତର ସ୍ୱାଧୀନତା ପାଇବାରେ ‘ସମାଜ’ର ଭୂମିକା ଉଲ୍ଲେଖନୀୟ। ପରବର୍ତ୍ତୀ ସମୟରେ ଓଡ଼ିଶାର ହିତ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ କରିଛି ଏହି ଖବରକାଗଜ। ସେହିପରି ବନ୍ୟା, ବାତ୍ୟା ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ‘ସମାଜ’ ହିଁ ଠିଆ ହୋଇଥାଏ। ଅତୀତରେ ପ୍ରଶାସନ ଠିଆ ହେବା ଆଗରୁ ‘ସମାଜ’ ଲୋକଙ୍କ ପାଖରେ ଠିଆ ହେଉଥିଲା। ନିଃସହାୟ ଲୋକଙ୍କୁ ସହାୟତା ଦେବା, ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଆଦି କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥା ଉତ୍ସର୍ଗୀକୃତ”, କହିଛନ୍ତି‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି।
“‘ସମାଜ’ ସବୁବେଳେ ମୂଲ୍ୟବୋଧଭିତ୍ତିକ ଖବର ପରିବେଷଣକୁ ଗୁରୁତ୍ୱ ଦେଇଥାଏ। ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ଗୋଦାବରୀଶ ମିଶ୍ର, ଲିଙ୍ଗରାଜ ମିଶ୍ର, ଉଦୟନାଥ ଷଡ଼ଙ୍ଗୀ, ରାଧାନାଥ ରଥ ସମସ୍ତେ ନିରପେକ୍ଷ ତଥା ନିର୍ଭିକ ଭାବରେ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ଦେଉଥିଲେ। ଏହି ଶ୍ରେଷ୍ଠ ସମ୍ପାଦକମାନେ ମିଥ୍ୟା ଓ ଅତିରଞ୍ଜିତ ସମ୍ବାଦକୁ କୌଣସି ପରିସ୍ଥିତିରେ ପ୍ରଶୟ ଦେଉନଥିଲେ। ‘ସମାଜ’ କେବଳ ସାମ୍ବାଦିକତା କ୍ଷେତ୍ରରେ ନୁହେଁ, ବରଂ ସମାଜସେବା, ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ମଧ୍ୟ ଅନେକ ଅବଦାନ ରଖିଛି। ଓଡ଼ିଆ ଜାତିର ମୁଖପତ୍ର ଥିଲା ‘ସମାଜ’। ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରି ତା’ର ସମାଧାନ ପାଇଁ ଅନବରତ ଚେଷ୍ଟା କରୁଥିଲା ଏହି ଖବରକାଗଜ। ସେଥିପାଇଁ ‘ସମାଜ’ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଆଜି ବି ଅଟଳ ରହିଛି”, ବୋଲି ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଡକ୍ଟର ସତ୍ୟ ରାୟ କହିଛନ୍ତି।“ଆମେ ‘ସମାଜ’କୁ ଆମର ସମାଜ ବୋଲି ଭାବୁ। ଏହା ସମସ୍ତଙ୍କ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଶିକ୍ଷା ବିଶେଷତଃ ଓଡ଼ିଆ ଭାଷା ଶିକ୍ଷା କ୍ଷେତ୍ରରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୋଲ୍‍କାତାର ଉପାନ୍ତ ଅଞ୍ଚଳରେ ମଧ୍ୟ ‘ସମାଜ’ ପହଞ୍ଚି ଓଡ଼ିଆଙ୍କ ପାଇଁ ଅନେକ ଉଲ୍ଳେଖନୀୟ କାର୍ଯ୍ୟ କରିଛି। କୋଲ୍‍କାତାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗଣମାଧ୍ୟମ ଓ ଅନ୍ୟ ସଂସ୍ଥା ଅପେକ୍ଷା ‘ସମାଜ’ ସହ ଅଧିକ ଜଡ଼ିତ”, ବୋଲି କହିଛନ୍ତି ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପିତାମ୍ବର ବାରିକ।
“ସମାଜ ସଂସ୍କାରକ ଭୂମିକା ନିର୍ବାହ କରିବାରେ ‘ସମାଜ’ ଗୋଟିଏ ଶ୍ରେଷ୍ଠ ଅନୁଷ୍ଠାନ। ଆଗରୁ ଖବରକାଗଜର ଅର୍ଥ କହିଲେ ‘ସମାଜ’ ବୁଝାଯାଉଥିଲା। ‘ସମାଜ’ ଆଉ ଖବରକାଗଜ ଅଲଗା ଆମେ ପିଲାବେଳେ ଅନୁଭବ କରିପାରୁନଥିଲୁ। ଓଡ଼ିଶାରେ ପୌଢ଼ ଶିକ୍ଷା ସଫଳ ହେବାରେ ‘ସମାଜ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କେବଳ ଶିକ୍ଷା ନୁହେଁ, ସାମାଜିକ, ସାଂସ୍କୃତିକ ସବୁ କ୍ଷେତ୍ରରେ ଏହି ଖବରକାଗଜର ଅବଦାନ ଯଥେଷ୍ଟ। ଜାତିପ୍ରଥା ଭାବନା କମ୍‍ କରିବା ଦିଗରେ ମଧ୍ୟ ଏହି ଖବରକାଗଜ ଅନେକ ଆଖିଦୃଶିଆ କାର୍ଯ୍ୟ କରିଛି। ଜାତିପ୍ରଥା ବିରୋଧରେ ନିୟମିତ ଲେଖା ଖବରକାଗଜରେ ପ୍ରକାଶିତ ହେଉଥିଲା ଏବଂ ପ୍ରଭାବ ପକେଇପାରିଥିଲା। ଫଳରେ ଅନେକାଂଶରେ ଜାତିପ୍ରଥା ଭାବନା କମିପାରିଥିଲା। ଏବେ ଗଣମାଧ୍ୟମ ସଂସ୍ଥାର ସଂଖ୍ୟା ବଢୁଥିଲେ ମଧ୍ୟ ଏହିପରି ସଂସ୍କାରମୂଳକ ପ୍ରସଙ୍ଗକୁ କମ୍‍ ଗୁରୁତ୍ୱ ଦିଆଯାଉଛି। ଏଣୁ ସାମ୍ବାଦିକ ତଥା ଯୁବପିଢ଼ି ଏହାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି”, ବୋଲି କହିଛନ୍ତି ‘ଦି ଇଣ୍ଟଲେକ୍ଟ’ ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ରାଉତ।
ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, ଆର୍‍ଏନ୍‍ଆଇ ହିସାବ ଅନୁସାରେ ଭାରତରେ ୧୨ ହଜାରରୁ ଅଧିକ ଦୈନିକ ଖବରକାଗଜ ଅଛି। ତେବେ ସ୍ୱାଧୀନତା ପୂର୍ବରୁ ବାହାରି ଆଜି ଯାଏ ପ୍ରକାଶନ ଜାରି ରଖିଥିବା ଖବରକାଗଜ ସଂଖ୍ୟା ମାତ୍ର ୫୦ରୁ ୬୦। ସେଥିମଧ୍ୟରୁ ଶହେ ବର୍ଷ ପୂରି ଥିବା ଖବରକାଗଜ ପାଖାପାଖି ୨୦ଟି। ଆମର ସୌଭାଗ୍ୟ ଦୈନିକ ‘ସମାଜ’ ଏଥିମଧ୍ୟରୁ ଅନ୍ୟତମ।

ଏଠି ଖବରକାଗଜର ବୟସ କଥା ପଡ଼ିନି। ବରଂ ଗୋଟିଏ ଖବରକାଗଜ କିପରି ସମାଜକୁ ଦିଗ୍‍ଦର୍ଶନ ଦେଇପାରେ, ଗୋଟିଏ ଭାଷାକୁ ପ୍ରତିଷ୍ଠିତ କରିପାରେ, ଭାଷାକୁ ଦିଗ୍‍ଦର୍ଶନ ଦେଇ ତାକୁ ବଳିଷ୍ଠ ଓ ସମୃଦ୍ଧ କରିପାରେ ଆଦି ବିଷୟରେ ଦୃଷ୍ଟି ଦିଆଯାଉ। ନିଶ୍ଚିତ ଭାବେ ଏ ସବୁ କ୍ଷେତ୍ରରେ ‘ସମାଜ’ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ସେହିପରି ଓଡ଼ିଶାକୁ ଓଡ଼ିଶା କରିବାରେ, ଏହାକୁ ଉନ୍ନତ କରିବାରେ ଏ ଖବରକାଗଜର ଅବଦାନ ରହିଛି। ତେବେ ଶତ ବାର୍ଷିକୀ ଅବସରରେ କେଉଁ କେଉଁ କ୍ଷେତ୍ରରେ ‘ସମାଜ’ର ଅବଦାନ ରହିଛି, କେଉଁ କଥାକୁ ଲୋକେ ଆହୁରି ମନେ ରଖିବା ଦରକାର ପଡ଼ୁଛି ତାହା ଜାଣିବା ଏହି ଇ-ଆଲୋଚନାଚକ୍ରର ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମ ସଞ୍ଚାଳନ କରି ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, ଲୋକଙ୍କ ଆବେଗ ସହ ଜଡ଼ିତ ‘ସମାଜ’। ସମାଜ ସଂସ୍କାରକର ଭୂମିକା ନିର୍ବାହ କରିବାରେ ଏହି ଖବରକାଗଜର ବେଶ୍‍ ଭୂମିକା ରହିଛି।ଏହି ଅବସରରେ ମୃଣାଳଙ୍କ ଶ୍ରାବ୍ୟ ଉପନ୍ୟାସ ‘ଚୋରିଚାରି’ ଉନ୍ମୋଚିତ ହୋଇଛି। ନିଜେ ଔପନାସିକ ମୃଣାଳ ଏଥିରେ କଣ୍ଠଦାନ କରିଛନ୍ତି। ବର୍ତ୍ତମାନ ରେଡିଓ ଭୁବନେଶ୍ୱରରେ ଏହାର ପ୍ରସାରଣ ହେଉଛି। ସକାଳ ୮ଟା, ସନ୍ଧ୍ୟା ୭ଟା ଓ ରାତି ୧୨ଟାରେ ଏହାର ପ୍ରସାରଣ ହେଉଛି। ଏହି ରମ୍ୟରଚନାଭିତ୍ତିକ ଉପନ୍ୟାସଟି ଶ୍ରୋତାମାନଙ୍କୁ ରେଡିଓ ମଞ୍ଚରେ ବାନ୍ଧି ରଖୁଛି। କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ସମ୍ବିତ ପାଲ।

Comment