ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପଶୁ ଶିକାର ବେଳେ ଶିକାରୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଣ୍ଡିରାକଞ୍ଚ୍ ପୋଲିସ ଗତକାଲି ଏହି ଘଟଣାରେ ସମ୍ପୃକ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ବୁଧବାର ଦିନ ଅଣ୍ଡିରାକଞ୍ଚ୍ ଥାନା ଅନ୍ତର୍ଗତ କାଳିଆଯୋଡ଼ି ଗାଁ ଶ୍ମଶାନରେ ଶବଦାହ କରୁଥିବା ସମୟରେ ମାଜିଷ୍ଟେଡ ଦାଇତ୍ବରେ କାଶୀପୁର ତହସିଲଦାର ଶରତ ଶବର ଏବଂ ଅଣ୍ଡିରାକଞ୍ଚ୍ ଥାନା ଅଧିକାରି ତପନ କୁମାର ମହାଲିଙ୍କ ସମେତ ପୋଲିସ ଟିମ ଶ୍ମସାନରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶବକୁ ଜବତ କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ଅଣାଯାଇଥିଲା।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆଯୋଡ଼ି ଓ କଞ୍ଚୁଗୁମା ଗ୍ରାମର ଦୁଇ ଶିକାରୀ ଦଳ ପଶୁ ଶିକାର କରିବା ପାଇଁ ଭୁତମାଳି ଜଙ୍ଗଲକୁ ଯାଇଥିଲେ। ଏହି ଦୁଇ ଦଳରେ ପ୍ରାୟ ୧୮ ରୁ ୨୦ ଜଣ ଲୋକ ଥିଲେ। ତେବେ ଶିକାର ସମୟରେ ଏକ ଦଳର ଗୁଳି ଆସି କାଳିଆଯୋଡ଼ି ଗ୍ରାମର ଖଗେଶ୍ଵର ଝୋଡ଼ିଆଙ୍କ ପଛପଟ ମୁଣ୍ଡରେ ବାଜିଥିଲା। ଗୁଳି ବାଜିବା କ୍ଷଣି ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଖଗେଶ୍ଵର। କିଛି ସମୟପରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ବୁଝାମଣା କରି ଉକ୍ତ ଘଟଣାକୁ ଚାପାଇଦେବା ପାଇଁ ଉଦ୍ୟମ ହୋଇଥିଲା। ଏହାପରେ ମୃତ ଖଗେଶ୍ଵରଙ୍କ ମୃତଦେହକୁ କାଳିଆଯୋଡ଼ି ନିକଟରେ ଥିବା ଏକ ଶ୍ମଶାନରେ ଦାହ କରୁଥିବା ସମୟର ଅଣ୍ଡିରାକଞ୍ଚ୍ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା ଏବଂ ଅର୍ଦ୍ଧ ଦଗ୍ଧ ଶବକୁ ଜବତ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମାଜିଷ୍ଟ୍ରେଟ୍ ଦାଇତ୍ଵରେ ଥିବା ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରାଯାଇଥିଲା।ଗତକାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ମୃତ ଖଗେଶ୍ଵରଙ୍କ ବାପା ଅଣ୍ଡିରାକଞ୍ଚ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଅଣ୍ଡିରାକଞ୍ଚ୍ ପୋଲିସ ଏକ ମାମଲ ରୁଜୁ କରିବା ସହ ଘଟଣାରେ ଛାନଭିନ୍ ଆରମ୍ଭ କରିଥିଲା। ମାମଲାରେ ସଂପୃକ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ବୁଧବାର ଅଟକ ରଖି ତନାଘନା ଚଲାଇଥିଲା ପୋଲିସ।

ଗତକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଶିକାରରେ ବ୍ୟବହୃତ ହୋଇଥିବା ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଶ୍ରର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

Comment