ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ଥିବା ସାଂସଦ ତଥା ବିଧାୟକ କାହା ନାଁରେ କେତେ ଫୌଜଦାରୀ ମକଦ୍ଦମା ବକେୟା ପଡ଼ି ରହିଛି ତାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ। ରାଜ୍ୟ ସରକାରଙ୍କୁ ଏନେଇ ଏକ ନୋଟିସ ଜାରି କରାଯାଇଛି। ତଳ କୋର୍ଟ, ଉପର କୋର୍ଟ ଯେଉଁଠି ଯେତେ ମାମଲା ରହିଛି ସେହି ବିବରଣୀ ସରକାରଙ୍କୁ ଏବେ ଦେବାକୁ ହେବ।

ହାଇକୋର୍ଟ ନିଜ ଆଡୁ ରେଜିଷ୍ଟ୍ରାରଙ୍କ ଜରିଆରେ ଏହି ବିବରଣୀ ପ୍ରଦାନ କରିବା ପାଇଁ କହିଛନ୍ତି। ଚଳିତ ୧୭ ତାରିଖରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଏବଂ ସେଥିରେ କୁହାଯାଇଥିଲା ଯେ, ଏମପି ଓ ଏମଏଲଏଙ୍କ ବିରୁଦ୍ଧରେ ଥିବା ମାମଲା ଗୁଡ଼ିକର ତ୍ୱରିତ ବିଚାର କରାଯିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ନୋଟିସକୁ ଗ୍ରହଣ କରିଛନ୍ତି। ବିଭିନ୍ନ ଜିଲ୍ଲା କୋର୍ଟରେ ଥିବା ମାମଲାର ବିବରଣୀ ସରକାରଙ୍କଠାରୁ ସଂଗ୍ରହ କରି ଯଥାଶୀଘ୍ର ତାହାକୁ ଦାଖଲ କରିବା ପାଇଁ ଆଡଭୋକେଟ ଜେନେରାଲଙ୍କୁ କୁହାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରଲଙ୍କୁ ନିର୍ଦ୍ଦେଶ ଦେଇ ଫୌଜଦାରୀ ମାମଲାର ତୁରନ୍ତ ବିଚାର ବା ଫାଷ୍ଟ ଟ୍ରାକିଙ୍ଗ ପାଇଁ ଅଫିସ, କର୍ମଚାରୀ ଆସବାବପତ୍ର ଆଦି କେତେ ଭିତ୍ତିଭୂମି ସୁବିଧା ରହିଛି ତାର ଖବର ନେବା ପାଇଁ ମଧ୍ୟ କହିଛନ୍ତି।

ରାଜ୍ୟ ସରକାରଙ୍କ ବିବରଣୀ ସହିତ ଏ ସଂପର୍କରେ ସମସ୍ତ ବିଷୟ କୋର୍ଟରେ ଉପସ୍ଥାପନ କରିବା ପାଇଁ ରେଜିଷ୍ଟ୍ରାର ଜେନେରଲଙ୍କୁ କୁହାଯାଇଛି। ଅକ୍ଟୋବର ୧୯ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।ଉଲ୍ଲେଖଯୋଗ୍ୟ ଯେ ଦେଶର ବିଭିନ୍ନ କୋର୍ଟରେ ପ୍ରାୟ ୪୦୦୦ ରାଜନୈତିକ ମାମଲା ବିଚାର ନହୋଇ ପଡ଼ିଥିବାରୁ  ସୁପ୍ରିମକୋର୍ଟ ତାଙ୍କର ସେପ୍ଟେମ୍ବର ୧୭ ତାରିଖ ପତ୍ରରେ ଉଦବେଗ ପ୍ରକାଶ କରିଥିଲେ ଏବଂ ଶୀଘ୍ର ଏଗୁଡ଼ିକୁ ତୁଟାଇବାକୁ କହିଥିଲେ।

Comment