ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ବା ନଜାଣେ। ଦେଶକୁ ସ୍ୱାଧୀନତା ଦେବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେଥିପାଇଁ ଆଜି ତାଙ୍କ ଜୀବନୀ ସହିତ ଦେଶର ପ୍ରତିଟି ନାଗରିକ ପରିଚିତ। ହେଲେ କେବେ ଭାବିଛନ୍ତି ବାପୁଜୀ ପିଲାବେଳେ କେମିତି ଥିଲେ?

୧୮୬୯, ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ଜନ୍ମ ହୋଇଥିଲେ ବାପୁଜୀ। ଏହିଠାରେ ହିଁ ତାଙ୍କର ପିଲାବେଳ କଟିଥିଲା। ସେତେବେଳେ ସବୁ ସ୍କୁଲରେ ପିଲାମାନଙ୍କ ପାଇଁ ଖେଳକୁଦରେ ଭାଗ ନେବା ଜରୁରୀ ଥିଲା। ରାଜକୋଟର ସେହି ସ୍କୁଲରେ ମଧ୍ୟ ଏହି ନିୟମ ଥିଲା ଯେଉଁଠି ଗାନ୍ଧୀଜୀ ପାଠ ପଢ଼ୁଥିଲେ। ହେଲେ ଗାନ୍ଧୀଜୀଙ୍କ ଖେଳକୁଦରେ ଆଦୌ ରୁଚି ନଥିଲା। କିନ୍ତୁ ସ୍କୁଲର ନିୟମ ପାଳନ କରିବା ପାଇଁ ଏବଂ ଦଣ୍ଡିତ ନହେବା ପାଇଁ ଗାନ୍ଧୀଜୀ ଖେଳକୁଦରେ ବାଧ୍ୟ ହୋଇ ଭାଗ ନେଉଥିଲେ।

ଦିନକର ଘଟଣା। ସେଦିନ ଶନିବାର ଥିଲା। ସକାଳ ସମୟରେ ସ୍କୁଲ ଥିଲା। ହେଲେ ଖେଳ ସମୟ ୪ଟା ଥିଲା। ସେତେବେଳେ ଗାନ୍ଧୀଜୀଙ୍କ ପାଖରେ ଘଣ୍ଟା ନଥିଲା। ପାଗ ମଧ୍ୟ ମେଘୁଆ ଥିଲା। ସେଥିପାଇଁ ଗାନ୍ଧୀଜୀ ସମୟ ଜାଣି ପାରନଥିଲେ। ସମୟ ନଜାଣି ପାରିବାରୁ ଠିକ୍‌ ସମୟରେ ପହଞ୍ଚିନଥିଲେ। ଫଳରେ ପ୍ରଧାନଶିକ୍ଷକ ତାଙ୍କୁ କ’ଣ ପାଇଁ ବିଳମ୍ବ ହେଲା ପଚାରିଲେ। ଉତ୍ତରେ ଗାନ୍ଧୀଜୀ କହିଥିଲେ ‘‘ସମୟ ଜାଣିପାରିଲିନି। ସେଥିପାଇଁ ବିଳମ୍ବ ହେଲା ସାର୍‌‘‘।

ମାତ୍ର ପ୍ରଧାନଶିକ୍ଷକ ଗାନ୍ଧୀଜୀଙ୍କ କଥାକୁ ବିଶ୍ୱାସ କରିନଥିଲେ। ଗାନ୍ଧୀଜୀଙ୍କୁ ଦଣ୍ଡିତ କରି ଫାଇନ ଦେବାକୁ କହିଥିଲେ।  ତା’ ପରେ ଗାନ୍ଧୀଜୀ କାନ୍ଦିବାକୁ ଲାଗିଲେ। ସେତେବେଳେ ଗାନ୍ଧୀଜୀଙ୍କ ଜଣେ ସାଙ୍ଗ କହିଲେ, ‘‘ ତୁମେ କାନ୍ଦୁଛ କ’ଣ ପାଇଁ? ତୁମ ବାପାଙ୍କ ପାଖରେ ତ ଧନ ଅଛି, ତୁମେ ଫାଇନ ଦେଇ ଦେବ।’’

ଗାନ୍ଧଜୀ କହିଥିଲେ, ‘‘ମୁଁ ଏଥିପାଇଁ କାନ୍ଦୁନାହିଁ ଶିକ୍ଷକ ମତେ ଫାଇନ ଦେବାକୁ କହିଛନ୍ତି, ବରଂ ଏଥିପାଇଁ କାନ୍ଦୁଛି ଶିକ୍ଷକ ମତେ ବିଶ୍ୱାସ କଲେନି। ମୁଁ ମିଛ କହୁଛି ବୋଲି ଭାବିଲେ।’’

ଗାନ୍ଧୀଜୀ ପିଲାବେଳୁ ହିଁ ସତ କହୁଥିଲେ। ସତ୍ୟ ଓ ଅହିଂସା ହିଁ ତାଙ୍କର ଆହ୍ୱାନ ଥିଲା।

Comment