ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଅଳ୍ପ କିଛିଦିନ ପରେ ଦଶହରା। କିନ୍ତୁ ଏଯାଏଁ ମୂର୍ତ୍ତି ନିର୍ମାଣ ବିବାଦର ସମାଧାନ ପନ୍ଥା ବାହାରି ପାରିନାହିଁ। ୭ଫୁଟ୍ ଉଚ୍ଚତାର ମୂର୍ତ୍ତିକୁ ଅନୁମତି ମିଳିବ ନା ୪ଫୁଟ୍‌ର ମୂର୍ତ୍ତିକୁ। ଯେଉଁମାନେ ୭ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବେ କ’ଣ ହେବ ସେମାନଙ୍କର ଭାଗ୍ୟ। ବୁଧବାର ମଧ୍ୟ ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ମାମଲାରେ କୌଣସି ସମାଧାନର ପନ୍ଥା ବାହାରି ପାରିନଥିଲାବେଳେ ଆଶା ଆଉ ଆଶଙ୍କାରେ ପଡ଼ି ଯାଇଛନ୍ତି କଟକ ସହରର ବିଭିନ୍ନ ପୂଜା କମିଟି।

ବୁଧବାର ମୂର୍ତ୍ତି ନିର୍ମାଣ ମାମଲାର ଶୁଣାଣି ହୋଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ କମିସନର ସତ୍ୟପାଠ ଜରିଆରେ ଜବାବ ରଖିଥିଲେ। ଏଥିସହ ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ ଲାଗି ଅଦାଲତଙ୍କଠାରୁ ସମୟ ଲୋଡିଥିଲେ। ହାଇକୋର୍ଟ ଆସନ୍ତା ୭ ତାରିଖ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ବାଲୁ ବଜାର ପୂଜା କମିଟି, ଉପର ତେଲେଙ୍ଗା ବଜାର ଏବଂ ଫିରିଙ୍ଗି ବଜାର ପୂଜା କମିଟି ପକ୍ଷରୁ ମିଳିତ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବାଲୁବଜାର ପୂଜା କମିଟି ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ଏକ ପିଟିସନ୍ ଦାଖଲ କରି ଦର୍ଶାଇଥିଲେ ଯେ, ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ପୋଲିସ୍ କମିସନରଙ୍କୁ ପୂଜା ମଣ୍ଡପ ଯାଞ୍ଚ କରି ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ କହିଥିଲେ। ଯେଉଁ ମଣ୍ଡପ ଯେତିକି ଉଚ୍ଚତାର ମୂର୍ତ୍ତି କରିଥିବେ ସେମାନଙ୍କୁ ସେତିକି ଉଚ୍ଚତାର ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳିବ। କିନ୍ତୁ ଏହା ପରଦିନ ପୋଲିସ୍ କମିସନର କୌଣସି ମୂର୍ତ୍ତି ୪ଫୁଟ୍‌ରୁ ଅଧିକ ଉଚ୍ଚତାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନଙ୍କର ଏହାଠାରୁ ଅଧିକ ଉଚ୍ଚତାର ମୂର୍ତ୍ତି ହୋଇଥିବ ସେମାନଙ୍କର ମୂର୍ତ୍ତିକୁ ଭାଙ୍ଗି ଦିଆଯିବ ବୋଲି କହିଥିଲେ। ଏହି ନିର୍ଦ୍ଦେଶକୁ ରଦ୍ଧ ପାଇଁ ସେ ଅଦାଲତରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ପୋଲିସ୍ କମିସନରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ପୋଲିସ୍ କମିସନର ଜବାବ ରଖିଥିବାବେଳେ ରାଜ୍ୟ ସରକାର ଜବାବ ଦାଖଲ ଲାଗି ସମୟ ଲୋଡିଛନ୍ତି।

Comment