ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ)ର ୩୯ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର କରୋନା ପାଇଁ ଏହି ବୈଠକକୁ ଭୁବନେଶ୍ୱରଠାରେ ଏକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜନ କରାଯାଇଥିଲା।
“୨୦୧୯-୨୦ ଆର୍ଥିକ ବର୍ଷ ନାଲକୋ ପାଇଁ ମିଶ୍ରିତ ଫଳାଫଳର ବର୍ଷ ଥିଲା। ଦର ହ୍ରାସ ତଥା ବର୍ଷର ଶେଷ ତ୍ରୈମାସରେ କୋଭିଡ୍-୧୯ ମହାମାରୀର ପ୍ରଭାବ ସହିତ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ପ୍ଲାଣ୍ଟରେ ଉତ୍ପାଦନ, ଉତ୍ପାଦକତା ଏବଂ ଲୋକଙ୍କ ପ୍ରତି ବିଶେଷ ଧ୍ୟାନ କେନ୍ଦ୍ରୀତ କରାଯାଇଥିଲା। ନିରନ୍ତର ସ୍ଥାୟିତ୍ୱ ନାଲକୋରେ ମୁଖ୍ୟ ବ୍ୟବସାୟିକ ପ୍ରକ୍ରିୟାର ଏକ ଅଙ୍ଗ ଅଟେ। ଏହି ବର୍ଷ ନାଲକୋ ଔଦ୍ୟୋଗିକ ନେତୃତ୍ୱ ନେବା ସହିତ ପ୍ରଗତିର ସାଥୀ ଭାବେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି”, କହିଛନ୍ତି ନାଲକୋର ସି.ଏମ୍.ଡି. ଶ୍ରୀଧର ପାତ୍ର।
ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ନାଲକୋ ଦ୍ଵାରା ପଞ୍ଚପଟମାଳି ବକ୍ସାଇଟ୍ ମାଇନ୍ସରୁ ୭୩.୦୨ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ହୋଇଅଛି। ଯାହାକି ଏକ ସର୍ବକାଳୀନ ରେକର୍ଡ ଅଟେ। ସେହିପରି ଦାମନଯୋଡ଼ିର ଆଲୁମିନା ରିଫାଇନେରୀର ନିର୍ଦ୍ଧାରିତ ଉତ୍ପାଦନ କ୍ଷମତା୨୧ ଲକ୍ଷ ଟନ୍ ରହିଥିବା ବେଳେ ଏ ବର୍ଷ ୧୦୨.୯ ପ୍ରତିଶତ କ୍ଷମତା ଉପଯୋଗକରି ୨୧.୬୧ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରାଯାଇଛି।
ଅନ୍ୟପଟେ କମ୍ପାନି ଦ୍ଵାରା ଆଲୁମିନିୟମ୍ ସେଲ୍ଟର ପ୍ଲାଣ୍ଟରେ ସର୍ବନିମ୍ନ ୧୩,୩୬୭ KWhr/Tonne ଡି.ସି. ବିଦ୍ୟୁତ ଶକ୍ତି ବ୍ୟବହାର କରିବା ସହ ସର୍ବନିମ୍ନ ୪୨୨.୮ Kg/Tonne କାର୍ବନ୍ ବ୍ୟବହାର କରାଯାଇଅଛି। ସେହିପରି ଉଡ୍ ମାକେଞ୍ଜି ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ନାଲକୋ ବିଶ୍ୱରେ ସବୁଠାରୁ କମ୍ ଖର୍ଚ୍ଚ ବିଶିଷ୍ଟ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ ଉଦ୍ୟୋଗ ଭାବେ ବିବେଚିତ ହୋଇଅଛି।

















