ଭାସ୍କର ପରିଚ୍ଛା

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର ସିଦ୍ଧାନ୍ତଗୁଡ଼ିକ କେବଳ ଆଦର୍ଶବାଦୀ ଥିଲା ତାହା ନୁହେଁ ସେଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସକ୍ଷମ ହୋଇ ପାରୁଥିଲେ। ଗାନ୍ଧୀ ପ୍ରଚଳିତ ମିଡ଼ିଆ, ବିଶେଷ କରି ପତ୍ର ପତ୍ରିକାକୁ, ଜନସଭା କାର୍ଯ୍ୟରେ ନିୟୋଜିତ କରୁଥିଲେ। ଗାନ୍ଧିଜୀଙ୍କ ଏକ ବଡ଼ ବିଶିଷ୍ଟତା ଥିଲା ଯେ ସେ ନିଜ ଅବଧାରଣା ଉପରେ ଗଭୀର ବିଶ୍ୱାସ ରଖୁଥିଲେ ଓ ନିଜ ଦର୍ଶନକୁ କୁଶଳତାର ସହ ବ୍ୟକ୍ତ କରିବା ପୂର୍ବରୁ ସେ ସବୁର ପ୍ରୟୋଗ ବି କରୁଥିଲେ। ନିଜ ବିଚାରକୁ ବ୍ୟକ୍ତିଗତ ଜୀବନରେ ପ୍ରୟୋଗ କରି ସେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଥିଲେ।
ଦ ଇଣ୍ଡିଆନ ଓପିନିୟନ
ଗାନ୍ଧିଜୀ ଏକଥା କହୁଥିଲେ ଓ ଏହା ଉପରେ ଗୁରୁତ୍ଵ ମଧ୍ୟ ପ୍ରଦାନ କରୁଥିଲେ ଯେ ଜନମତ ସୃଷ୍ଟି କରିବା ଏବଂ ଜନ ସମର୍ଥନ ପାଇବା ପଛରେ ‘କୌଶଳପୂର୍ଣ୍ଣ ସଂଚାର’ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ହିଁ ହେଉଛି ସବୁଠାରୁ ଲୋକପ୍ରିୟ ମାଧ୍ୟମ। ଯଦି ଦେଶ ତମାମ ଗାନ୍ଧିଜୀଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିଲା ତା’ପଛରେ ବଡ଼ କାରଣ ଥିଲା ତାଙ୍କର ଅଭିବ୍ୟକ୍ତିର କୌଶଳ। ଏହି କୌଶଳର ପରିପ୍ରକାଶ ଘଟିଥିଲା ଯେତେବେଳେ ସେ ୧୯୦୩ରେ ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ କରିଥିଲେ। ଦ ଇଣ୍ଡିଆନ ଓପିନିୟନରୁ ହିଁ ଗାନ୍ଧୀଙ୍କ ସାମ୍ବାଦିକତା ଆରମ୍ଭ ହୁଏ। ଏହା ସେହି ସମୟର ପତ୍ରିକା ଯେତେବେଳେ ଆଧୁନିକ ଗଣମାଧ୍ୟମର କୌଣସି ଉପକରଣ ବା ଉପଚାର ଉପଲବ୍ଧ ନଥିଲା।
ମିଡ଼ିଆର ସଫଳ ପ୍ରୟୋଗ
ଜାନୁଆରୀ ୯,୧୯୧୩ରେ ସ୍ଵଦେଶ ଫେରିବା ପରେ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବାପୁଜୀ ରାଷ୍ଟ୍ରବାଦୀ ପ୍ରେସ ଓ ନିଜର ମୁଖପତ୍ର ୟଙ୍ଗ ଇଣ୍ଡିଆ, ନବଜୀବନ ଓ ଅନ୍ୟ ପତ୍ର ପତ୍ରିକାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ୟମ କରିଥିଲେ। ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେବା, ନେତୃତ୍ୱକୁ ଜାତୀୟ ପରିପ୍ରେକ୍ଷୀରେ ପ୍ରସ୍ତୁତ କରିବା ତଥା ଅହିଂସା, ସତ୍ୟାଗ୍ରହ ଏବଂ ସତ୍ୟନିଷ୍ଠାର ମନ୍ତ୍ର ଜରିଆରେ ସ୍ୱାଧୀନତା ହାସଲ କରିବାର ଲକ୍ଷ୍ୟ ଥିଲା ଗାନ୍ଧୀଙ୍କର। ବସ୍ତୁତଃ, ଗାନ୍ଧିଜୀ ସମସ୍ତ ପ୍ରକାର ମାଧ୍ୟମର ପ୍ରୟୋଗ କରିଥିଲେ।
ଗାନ୍ଧିଜୀ କୌଣସି ସମୟରେ ବି ଖବରକାଗଜର ମହତ୍ତ୍ୱକୁ କମ କରି ଦେଖୁନଥିଲେ। ସେ ସମସ୍ତ ପ୍ରକାର ଖବର କାଗଜ ପଢୁଥିଲେ ଓ ଯଦି କୌଣସି ଖବର ତ୍ରୁଟିପୂର୍ଣ୍ଣ ଥିଲା ଅଥବା ଭୁଲ ଢ଼ଙ୍ଗରେ ପରିବେଷିତ ହେଉଥିଲା ତେବେ ସେ ତାହାର ଉପଯୁକ୍ତ ଉତ୍ତର ବି  ରଖୁଥିଲେ। ତାତ୍ପର୍ଯ୍ୟର ବିଷୟ ଏହି ଯେ ଉଭୟ ପାରମ୍ପରିକ ଓ ଆଧୁନିକ ଗଣ ମାଧ୍ୟମକୁ ସେ ସୂଚାରୁ ରୂପେ ଓ ପ୍ରଭାବଶାଳୀ ଢ଼ଙ୍ଗରେ ବ୍ୟବହାର କରୁଥିଲେ।
ଅନୁକରଣ ଶୈଳୀ
ଗାନ୍ଧିଜୀ ୟଙ୍ଗ ଇଣ୍ଡିଆ ଏବଂ ଅନ୍ୟ ପତ୍ରିକା ଜରିଆରେ ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ପରିବର୍ତ୍ତନର ପ୍ରଭାବ ମୂଳରୁ ହିଁ ଦେଖିବାକୁ ମିଳିଥିଲା। ପତ୍ର ପତ୍ରିକାକୁ ବ୍ୟବହାର କରି ନିଜ ବିଚାରକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବାର ଯେଉଁ ଉଦ୍ୟମ କରିଥିଲେ ତାହା ଅତ୍ୟନ୍ତ ଫଳବତୀ ହୋଇଥିଲା। ଏହାର ଦୃଷ୍ଟାନ୍ତ ହେଉଛି ୟଙ୍ଗ ଇଣ୍ଡିଆ ପତ୍ରିକା ବହୁଳ ସଂଖ୍ୟାରେ ବିକ୍ରି ହେବାକୁ ଲାଗିଲା। ଗୋଟିଏ ସମୟରେ ଦେଶର ସବୁ ପତ୍ର ପତ୍ରିକାର ମୋଟ ପ୍ରସାରଣ ସଂଖ୍ୟା ଯେତେ ଥିଲା ୟଙ୍ଗ ଇଣ୍ଡିଆ ତାହାଠାରୁ ଅଧିକ ବିକ୍ରି ହେଉଥିଲା।
ବିଜ୍ଞାପନକୁ ମନା
ୟଙ୍ଗ ଇଣ୍ଡିଆ ପତ୍ରିକାରେ ଗାନ୍ଧିଜୀ ଯେଉଁ ସବୁ ବିଚାର ଉପସ୍ଥାପନ କରୁଥିଲେ ତାହାକୁ ସରଳ ଭାଷାରେ ଓ ବୁଖିବା ଭଳି ଶୈଳୀରେ ଲେଖା ଯାଉଥିଲା। ଏହାଦ୍ୱାରା ଗାନ୍ଧିଜୀ  ଗୁଣାତ୍ମକ ସାମ୍ବାଦିକତାର ମୂଳଦୁଆ ପକାଇଥିଲେ। ଗାନ୍ଧୀଜୀଙ୍କ ସାମ୍ବାଦିକତାର ଗୋଟିଏ ଉଲ୍ଲେଖଯୋଗ୍ୟ ଦିଗ ହେଉଛି ଯେ ସେ ପତ୍ର ପତ୍ରିକା ପାଇଁ ବିଜ୍ଞାପନ ଗ୍ରହଣ କରିବାକୁ ମନା କରି ଦେଉଥିଲେ। ନିଜ ପତ୍ରିକାରେ ପ୍ରକାଶିତ ଲେଖାକୁ ଅନ୍ୟ ପତ୍ର ପତ୍ରିକାରେ ପ୍ରକାଶ ପାଇଁ ସେ ଅକୁଣ୍ଠଚିତ୍ତରେ ଅନୁମତି ପ୍ରଦାନ କରୁଥିଲେ। ଏହା ଦ୍ୱାରା ଗାନ୍ଧିଜୀଙ୍କ ବିଚାରଧାରା ଦେଶ ଓ ବିଦେଶର ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହେଉଥିଲା।
ନବଜୀବନ
ଦୀର୍ଘ ତିରିଶି ବର୍ଷ ଧରି ଗାନ୍ଧିଜୀ ବିନା ବିଜ୍ଞାପନରେ ତାଙ୍କର ପ୍ରକାଶନ ସବୁକୁ ଜାରି ରଖିଥିଲେ। ଵିଜ୍ଞାପନ ସମ୍ପର୍କରେ ଗାନ୍ଧୀଙ୍କ ମତ ଥିଲା ଯେ ସବୁ ରାଜ୍ୟରେ ବିଜ୍ଞାପନର ଗୋଟିଏ ମାତ୍ର ବ୍ୟବସ୍ଥା ବା ପ୍ରଣାଳୀ ରହିବା ଦରକାର। ତଦ୍‌ବ୍ୟତୀତ ବିଜ୍ଞାପନରେ ଏଭଳି ସାମଗ୍ରୀ ସ୍ଥାନ ପାଇବା ଦରକାର ଯାହା ସମୂହ ଲୋକଙ୍କ କାମରେ ଆସିପାରିବ। ୟଙ୍ଗ ଇଣ୍ଡିଆର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଗାନ୍ଧିଜୀ ଏକ ଗୁଜୁରାଟୀ ଖବରକାଗଜ ପ୍ରକାଶ କରିବା ପାଇଁ ମନ ବଳାଇଥିଲେ। ଇଂରେଜୀରେ ପତ୍ର ପତ୍ରିକା ପ୍ରକାଶନ ପାଇଁ ତାଙ୍କର ବିଶେଷ ଆଗ୍ରହ ନଥିଲା। ସୁତରାଂ ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ‘ନବ ଜୀବନ’ ପ୍ରକାଶ ପାଇବାକୁ ଆରମ୍ଭ କଲା। ‘ନବ ଜୀବନ’ରେ ମହାତ୍ମା ଗାନ୍ଧୀ ଦୈନନ୍ଦିନ ଲେଖୁଥିଲେ। ନବଜୀବନର ପାଠକ କିଷାନ ଓ ମଜଦୁରଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।
ନବ ଜୀବନ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଗାନ୍ଧିଜୀଙ୍କ କାର୍ଯ୍ୟ ଭାର ଅନେକ ବଢି ଯାଇଥିଲା। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲେଖୁଥିଲେ ଓ ବେଳେ ବେଳେ ସକାଳ ଯାଏଁ ତାଙ୍କ ଲେଖା ଅସମ୍ପୂର୍ଣ୍ଣ ରହି ଯାଉଥିଲା। ଚଳନ୍ତା ଟ୍ରେନରେ ବି ସେ ଲେଖୁଥିଲେ। ଯେତେବେଳେ ଡାହାଣ ହାତ ବିନ୍ଧୁଥିଲା ସେ ବାମ ହାତରେ ଲେଖିବା ଆରମ୍ଭ କରୁଥିଲେ। କୁହାଯାଏ ଗାନ୍ଧିଜୀ ଦୈନିକ ତିନିରୁ ଚାରୋଟି ଲେଖା ଲେଖୁଥିଲେ।
ହରିଜନ
ଗାନ୍ଧିଜୀ ଜେଲରେ ଥିବା ବେଳେ ‘ହରିଜନ’ ନାମକ ଅନ୍ୟ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ। ୟଙ୍ଗ ଇଣ୍ଡିଆ ଭଳି ଏହାର ଦାମ ବି ମାତ୍ର ଏକ ଅଣା ରଖା ଯାଇଥିଲା। ଏହି ପତ୍ରିକା କେବଳ ଅସ୍ପୃଶ୍ୟଙ୍କ ପାଇଁ ସମର୍ପିତ ଥିଲା। ବହୁ ବର୍ଷ ଧରି ଏଥିରେ କୌଣସି ରାଜନୈତିକ ଲେଖା ପ୍ରକାଶ ପାଇନଥିଲା। ‘ହରିଜନ’ ପତ୍ରିକା ଗୋଟିଏ ସମୟରେ ଏତେ ଲୋକପ୍ରିୟ ଥିଲା ଯେ ଏହା  ଓଡ଼ିଆ ସମେତ ଆଠଟି ଭାରତୀୟ ଭାଷାରେ ପ୍ରକାଶିତ ହେଉଥିଲା। ଗାନ୍ଧିଜୀ ତାଙ୍କ ଲେଖା ଗୁଡ଼ିକୁ ହିନ୍ଦୀ,ଇଂରେଜୀ,ଗୁଜୁରାଟୀ ଓ ଉର୍ଦ୍ଦୁ ଭାଷାରେ ଲେଖୁଥିଲେ।
ଗାନ୍ଧିଜୀଙ୍କ ସମ୍ପାଦିତ ପତ୍ର ପତ୍ରିକାରେ ଚାଂଚଲ୍ୟକର ଖବରର ଆଦୌ ସ୍ଥାନ ନଥିଲା। ନିରନ୍ତର ଲେଖିବା ସତ୍ତ୍ୱେ ଗାନ୍ଧିଜୀ  ଥକି ଯାଇନଥିଲେ। ସତ୍ୟାଗ୍ରହ, ଅହିଂସା, ଖାଦ୍ୟପେୟ, ପ୍ରାକୃତିକ ଚିକିତ୍ସା, ହିନ୍ଦୁ-ମୁସଲିମ ଏକତା, ଛୁଆଁ ଛୁଇଁ ଭାବ, ସୂତା କଟା, ଖଦି, ସ୍ବଦେଶୀ, ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ଗାନ୍ଧିଜୀଙ୍କ ଲେଖା ସବୁ ପର୍ଯ୍ୟବସିତ ଥିଲା। ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଖାଦ୍ୟପେୟ ପ୍ରଣାଳୀ ଉପରେ ସେ ବିଶେଷ ଗୁରୁତ୍ୱ ଦେଉଥିଲେ।
ଟାସ୍କମାଷ୍ଟର
ଗାନ୍ଧିଜୀ ଜଣେ କଠୋର ଟାସ୍କମାଷ୍ଟର ଥିଲେ। ତାଙ୍କ ସଚିବ ମହାଦେବ ଦେଶାଇଙ୍କୁ ଅଗତ୍ୟା ଟ୍ରେନର ଶୌଚାଳୟ ଭିତରେ ବସି ଲେଖିବାକୁ ପଡ଼ୁଥିଲା ଯାହା ଫଳରେ କିନିର୍ଦ୍ଧାରିତ ସମୟ ମଧ୍ୟରେ ପତ୍ରିକା ପ୍ରକାଶ ପାଇପାରିବ। ଏପରିକି ଗାନ୍ଧିଜୀଙ୍କ ସହଯୋଗୀମାନଙ୍କୁ ଏକଥା ବି ଜଣାଥିଲା କେଉଁ ଷ୍ଟେସନରେ ଗାଡ଼ି କେତେବେଳେ ପହଞ୍ଚେ ଓ ପୋଷ୍ଟାଲ ଚିଠି କେତେବେଳେ ସେହି ଷ୍ଟେସନରୁ ପଠା ଯାଇଥାଏ। ଏହି ସୂଚନାକୁ ଭିତ୍ତି କରି ପତ୍ର ପତ୍ରିକା ସବୁ ପାଠକଙ୍କ ପାଖରେ ପହଂଚୁଥିଲା।

ପତ୍ରିକା ପାଇଁ ଜେଲ
‘ୟଙ୍ଗ ଇଣ୍ଡିଆ’ରେ ଆକ୍ରମଣାତ୍ମକ ଲେଖା ଲେଖିବା ଫଳରେ ଗାନ୍ଧୀଜୀଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଗାନ୍ଧିଜୀ ସରକାରଙ୍କ କୌଣସି କଟକଣାକୁ ଖାତିର କରୁନଥିଲେ। ଯେତେବେଳେ ତାଙ୍କ ବିଚାର ଧାରାର ପରିପ୍ରକାଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା,ଗାନ୍ଧୀ ଲେଖିବା ହିଁ ବନ୍ଦ କରି ଦେଉଥିଲେ। ଗାନ୍ଧିଜୀ ଏକଥା ଭଲ ଭାବରେ ଜାଣିଥିଲେ ଯେ ତାଙ୍କ ଚିନ୍ତାଧାରା ଗୁଡିକୁ ଦମନ କରିଦିଆ ଯାଇପାରେ। କିନ୍ତୁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ଚିନ୍ତା କରିବା ଶକ୍ତିକୁ କେହି ଦମନ କରି ପାରିବେ ନାହିଁ।
ଅହିଂସାର ପଥ ପ୍ରଦର୍ଶକ, ସତ୍ୟନିଷ୍ଠ ସମାଜ ସୁଧାରକ ଓ ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରଥମେ ଥିଲେ ଜଣେ ସାମ୍ବାଦିକ ଓ ପରେ ଅନ୍ୟ ସବୁ। ଗାନ୍ଧିଜୀଙ୍କ ଦୃଷ୍ଟିରେ ସାମ୍ବାଦିକତାର ଉଦ୍ଦେଶ୍ୟ ଜାତୀୟତା ଓ ଜନ ଜାଗରଣ। ପତ୍ର ପତ୍ରିକାରେ ଜନ ମାନସକୁ ଏବଂ ଲୋକଙ୍କ ସମସ୍ୟାକୁ ସର୍ବାଗ୍ରେ ରଖିବା ପାଇଁ ଗାନ୍ଧୀଜୀ ପ୍ରତିଶ୍ରୁତିବଦ୍ଧ ଥିଲେ। ସାମ୍ବାଦିକତା ଗାନ୍ଧିଜୀଙ୍କ ପାଇଁ ନଥିଲା ବ୍ୟବସାୟ, ଏହା ଥିଲା ଜନମତକୁ ପ୍ରଭାବିତ କରିବା ଭଳି ଏକ ପ୍ରଭାବୀ ମାଧ୍ୟମ।ସ୍ଵର୍ଣ୍ଣିମ ଯୁଗ
ଗାନ୍ଧିଜୀ ତାଙ୍କ ସର୍ବସାଧାରଣ ଜୀବନ ସମ୍ବାଦିକତାରୁ ହିଁ ଆରମ୍ଭ କରିଥିଲେ। ବିଂଶ ଶତାବ୍ଦୀର ଆରମ୍ଭରୁ ସ୍ୱରାଜ ହାସଲ ପର୍ଯ୍ୟନ୍ତ ଗାନ୍ଧୀଙ୍କ ଯୁଗକୁ ଭାରତରେ ସାମ୍ବାଦିକତାର ସ୍ଵର୍ଣ୍ଣିମ ଯୁଗ ବୋଲି ଧରାଯାଏ। ଏହି କେତେ ଦଶନ୍ଧିର ସାମ୍ବାଦିକତା କ୍ଷେତ୍ରରେ ଗାନ୍ଧିଜୀଙ୍କ ପ୍ରଭାବ ଥିଲା ଅତୁଳନୀୟ।
ବାସ୍ତବରେ ଗାନ୍ଧିଜୀ ଏକ ନୂଆ ତତ୍ତ୍ୱ ନେଇ ଆସିଥିଲେ ଯାହା ଦ୍ୱାରା ସାମ୍ବାଦିକତା କ୍ଷେତ୍ରରେ ଏକ ମୁକ୍ତ ଜୀବନ ଓ ଚିନ୍ତାର ପରମ୍ପରା ଆରମ୍ଭ ହୋଇଥିଲା। ଜଣେ ପ୍ରଭାଵକାରୀ ପ୍ରଚାରକ ହେବା ଭିତରେ ଗାନ୍ଧିଜୀଙ୍କ ଶବ୍ଦ ପ୍ରୟୋଗ ଥିଲା ମୁକ୍ତ ଓ ସ୍ଵଛ। ସେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଅତି ସହଜରେ ପହଂଚି ପାରୁଥିଲେ। ସେ ଥିଲେ ଜଣେ ଯୁଗ ପ୍ରବର୍ତ୍ତକ। ତାଙ୍କ ଦ୍ୱାରା ପ୍ରକାଶିତ ପତ୍ର ପତ୍ରିକା ଗୁଡ଼ିକ ସମ୍ଭବତଃ ସେହି ସମୟର ଗୁରୁତ୍ୱପୂର୍ଣ୍ଣ ସାପ୍ତାହିକ ପତ୍ରିକା ଥିଲା।ସଂକ୍ଷେପରେ, ଗାନ୍ଧିଜୀଙ୍କ ସାମ୍ବାଦିକତାର ତିନୋଟି ସଂଜ୍ଞା ଥିଲା। ପ୍ରଥମ, ଖବରକାଗଜ ଲୋକପ୍ରିୟ ଭାବନାକୁ ବୁଝିବ ଓ ସେସବୁର ଅଭିବ୍ୟକ୍ତ କରିବ। ଦ୍ଵିତୀୟ, ଲୋକଙ୍କ ମନରେ ବାଂଛିତ ସମ୍ବେଦନାକୁ ସୃଷ୍ଟି କରିବ ଓ ତୃତୀୟ, ସମାଜର ବିକୃତି ଗୁଡ଼ିକୁ ନିର୍ଭୀକ ଭାବରେ ଉଜାଗର କରିବ।

Comment