ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦ ହେବନି ଏମ୍‌ଏସ୍‌ପି। ବଜାର ସହ ସିଧାସଳଖ ଯୋଡ଼ି ହେବେ ଚାଷୀ। ଚାଷ କେବଳ ଜୀବନ ଜୀବିକା ହୋଇ ରହିବ ନାହିଁ। ଚାଷୀଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବ ନୂଆ କୃଷି ନୀତି। ଶନିବାର ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ କୃଷି ନୀତିର ଏଭଳି ବ୍ୟାଖ୍ୟା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱରଠାରେ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଶନିବାର ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନୋଟି କୃଷି ବିଲ୍ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନେତୃତ୍ୱରେ କୃଷିନୀତିରେ ଅଣାଯାଇଥିବା ସଂସ୍କାର ଉପରେ ଧର୍ମେନ୍ଦ୍ର ନିମ୍ନ ପ୍ରକାରେ ବିସ୍ତୃତ ତଥ୍ୟ ରଖିଛନ୍ତି।

ମୋଦୀ ସରକାର ଥିବା ଯାଏ ବନ୍ଦ ହେବନି ଏମ୍‌ଏସ୍‌ପି

ମୋଦି ସରକାରରେ ଅଣାଯାଇଥିବା ତିନୋଟି ବିଲ୍ କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍, ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତିଭିତ୍ତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି।

ଏହି ବିଲ୍ ଦ୍ୱାରା ଏମ୍‌ଏସ୍‌ପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏମ୍‌ଏସ୍‌ପି ପୂର୍ବ ଭଳି ଅପରିବର୍ତ୍ତିତ ରହିବ। ଭାରତବର୍ଷରେ ମୋଦି ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ଦୋହରାଇଥିଲେ।

ଧାନ, ଡାଲି, ତୈଳଜାତ ଶସ୍ୟର ସହାୟକ ମୂଲ୍ୟ ବଢ଼ିଛି

ରାଜ୍ୟର ଚାଷୀମାନଙ୍କ ପାଖରୁ ୨୦୦୯ରୁ ୨୦୧୪ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ୍ ଧାନ କିଣାଯାଇଥିଲା। ମାତ୍ର ମୋଦି ସରକାରରେ ୨୦୧୪ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିୟନ ମେଟ୍ରିକ ଟନ୍‌ର ଧାନ କିଣାଯାଇଛି। ସେହିପରି ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୧୩୧୦ ଟଙ୍କା ଥିଲା। ତେବେ ମୋଦୀ ସରକାରରେ ୨୦୨୦-୨୧ରେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୨୦୧୪-୨୧ ଅଗଷ୍ଟ ସୁଦ୍ଧା ୨୦,୨୭୨.୩୩ ଟନ୍ ଡାଲି କିଣାଯାଇଛି। ଏହାର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶା ଚାଷୀଙ୍କଠାରୁ ୧୨,୯୫୭.୬୩ ଟନ୍ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଧର୍ମେନ୍ଦ୍ର କହିଥିଲେ।

ବଜାର ସହ ସିଧାସଳଖ ଯୋଡ଼ିହେବେ ଚାଷୀ

ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି (ଏପିଏମ୍‌ସି) ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ଏବେକାର ଆଇନ ଚାଷୀଙ୍କୁ ଏପିଏମ୍‌ସି ସହିତ ଏହାର ବାହାରେ ମଧ୍ୟ ମୁକ୍ତ ବଜାରରେ ନିଜର ସାମଗ୍ରୀ ବିକିବାର ସୁଯୋଗ ଦେବ।

ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥ ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି। ଫଳରେ ଦେଶର ଯେକୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସମର୍ଥ ହେବେ। କୃଷିଜାତ ସାମଗ୍ରୀର ସଂରକ୍ଷଣ, ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦନ ସଂସ୍ଥା (ଏଫ୍‌ପିଓ) ଗଠନ ପାଇଁ ଯୋଜନା ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।

ଖାଲି ଜୀବନଜୀବିକା ନୁହେଁ, ଚାଷୀଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବ ଏହି ବିଲ୍

ଉଭୟ ଓଡ଼ିଶା ଓ ଭାରତର ଚାଷୀ ଏହି ବିଲ୍‌ରୁ ଲାଭ ପାଇବେ। ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ। କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦିତ ଫସଲ କିଣିହେବ। ଭାରତର ଜିଡିପିରେ କୃଷିକ୍ଷେତ୍ର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରଖିଛି। ତେଣୁ ଭାରତର ମୂଳ ଆଧାର କୃଷିକ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍ ଅଣାଯାଇଥିଲା।

ଏହି ବିଧେୟକ ଚାଷଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବ ଓ ଉପଭୋକ୍ତାଙ୍କୁ ମଧ୍ୟ ସଠିକ୍ ମୂଲ୍ୟରେ ସାମଗ୍ରୀ ମିଳିପାରିବ। ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ। ମାତ୍ର ଏହି ନୂଆ କୃଷି ନୀତି ଦ୍ୱାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିପାରିବେ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ।

Comment