ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ ହୋଇଛି। ଶୁକ୍ରବାର କଟକ ତୁଳସୀପୁରସ୍ଥିତ ବାସଭବନରେ ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ସେ ପ୍ରାଣ ହରାଇଥିବା ନେଇ ଡାକ୍ତର ଦେଙ୍କ ପରିବାର ସୂଚନା ଦେଇଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଗତ ଦେଢବର୍ଷ ଧରି ଅସୁସ୍ଥତା ହେତୁ ସେ ଘରେ ଶଯ୍ୟାଶାୟୀ ଥିଲେ। ତାଙ୍କ ପରଲୋକ ଖବର ପାଇ ପ୍ରଫେସର ଡାକ୍ତର ହର ପଟ୍ଟନାୟକ, ଡାକ୍ତର ପିଏଲ ସାଇ, ଡାକ୍ତର ସିନ୍ଧୂ ତ୍ରିପାଠୀ, ଡାକ୍ତର ରାଜକୁମାର ସନ୍ତୁକାର, ଡାକ୍ତର ଶରତ ମହାପାତ୍ର ପ୍ରମୁଖ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।ଅନ୍ତିମ ଶଯ୍ୟା ନିକଟରେ ପୁଅ ବଲିଉଡ୍ ଫିଲ୍ମ ଡାଇରେକ୍ଟର ଦେବଲଏ ଦେ, ଝିଅ ଶିକ୍ଷୟିତ୍ରୀ ବର୍ଣ୍ଣାଳି ସାହୁ, ଜ୍ଵାଇଁ କ୍ରୀଡାବିତ୍ ସୋମନାଥ ସାହୁ, ନାତି ଋତୁରାଜ ସାହୁ, ନାତୁଣୀ ବୋହୂ ସୀମା ମଲ୍ଲିକ, ନାତି ଶର୍ମନ ଦେ ପ୍ରମୁଖ ଉପସ୍ଥିତ ଥିଲେ।

୧୯୩୨ ଡିସେମ୍ବର ୧୨ରେ ଡାକ୍ତର ଦେ କଲିକତାରେ ଜନ୍ମ ହୋଇଥିଲେ। ପ୍ରଥମେ କଲିକତା ଆର ଜି କର ମେଡିକାଲ କଲେଜରୁ ମେଡିକାଲ ଶିକ୍ଷା ଗ୍ରହଣ କରି ସେ ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଡାକ୍ତରି ପଢ଼ିବାକୁ ଯାଇଥିଲେ। ପରେ ଭାରତ ଫେରି ବୁର୍ଲା, ବ୍ରହ୍ମପୁର ମେଡ଼ିକାଲ କଲେଜରେ ଡାକ୍ତର ରୂପେ ଦାୟିତ୍ଵ ତୁଲାଇଥିଲେ। ଏହାପରେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇ ୧୯୯୦ରେ ଅବସର ନେଇଥିଲେ।

Comment