ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଝିଅ।

ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମାମଲା ଲଢିବେ ସୀମା କୁଶବାହ। ଖୁବଶୀଘ୍ର ଏହି ଗଣଦୁଷ୍କର୍ମ ମାମଲାକୁ ସେ ସୁପ୍ରିମକୋର୍ଟକୁ ନେବା ସହିତ ନିଜେ ଏହାକୁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ସୀମା କୁଶବାହ ନିର୍ଭୟା ଗଣଦୁଷ୍କର୍ମ ପୀଡ଼ିତାଙ୍କ ମକଦ୍ଦମା ଲଢ଼ି ସଫଳ ହୋଇଥିଲେ। ତାଙ୍କରି ପ୍ରୟାସ ଯୋଗୁଁ ହିଁ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିଥିଲା। ଦୋଷୀମାନଙ୍କୁ ଫାଶୀ ମିଳିବା ପରେ ସୀମାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ସେ ପୁଣିଥରେ ଉତ୍ତରପ୍ରଦେଶର ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ଲଢ଼ିବାକୁ ଯାଉଥିବା ସୂଚନା ରହିଛି।ଏନେଇ ସେ ହାଥରସ୍ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ମକଦ୍ଦମା ଲଢ଼ିବା ପାଇଁ ସମସ୍ତ ପ୍ରକାର କାଗଜପତ୍ର ମଧ୍ୟ ସେ ପ୍ରସ୍ତୁତ କରୁଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥିବା ଏସଆଇଟିର ରିପୋର୍ଟ ମିଳିବା ପରେ ସେ ଏନେଇ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।

ଉତ୍ତରପ୍ରଦେଶ ସରକାର ହାଥରସ୍ ଗଣଦୁଷ୍କର୍ମ ମାମଲାର ବିଚାର କରିବା ପାଇଁ ଏକ ଏସଆଇଟି ଗଠନ କରିଛନ୍ତି। ଆସନ୍ତା ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏସଆଇଟି ନିଜର ରିପୋର୍ଟ ଦେବ। ଯଦି ଏହି ରିପୋର୍ଟ ସନ୍ତୋଷଜନକ ନହୁଏ ତେବେ ସୀମା କୁଶବାହ ଏନେଇ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି। ପ୍ରଥମେ ଏହାକୁ ନେଇ ସେ ଆଲ୍ହାବାଦ ହାଇକୋର୍ଟର ଦ୍ୱାରସ୍ଥ ହେବେ ଏହାପରେ ଏହି ମାମଲାକୁ ସୁପ୍ରିମକୋର୍ଟ ନେବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।ଉତ୍ତରପ୍ରଦେଶର ହାଥରସରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ କିଛି ଯୁବକ ମୁମୂର୍ଷ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ଏହାପରେ ପୀଡ଼ିତା ଜଣକ ୧୫ ଦିନ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିଥିଲା। ହେଲେ ଶେଷରେ ପୀଡ଼ିତା ଜଣକ ନିଜର ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି। ଏହାକୁ ଆଉ ଏକ ନିର୍ଭୟା ଗଣଦୁଷ୍କର୍ମ ବୋଲି ଅନେକ ସାମାଜିକ କର୍ମୀ ଆଖ୍ୟା ଦେଇଛନ୍ତି।

Comment