ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନ୍‌ରେ ଗେମ୍ ଖେଳି ଟଙ୍କା ହାରିଗଲେ। ଏହି କଥା ବାପା ଜାଣିବା ପରେ ପୁଅକୁ ତାଗିଦ କଲେ। ହେଲେ ବାପାଙ୍କ ତାଗିଦ୍‌କୁ ସହି ପାରିଲାନି ପୁଅ। ଶେଷରେ ବେକରେ ଲୁଗା ଦେଇ ଜୀବନ ହାରିଦେଲା ୧୩ ବର୍ଷର ପୁଅ।

କେନ୍ଦୁଝର ଜିଲ୍ଲା ଜୋଡ଼ା ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଅମିତାଂଶୁ ଆପଟ୍ଟ। କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠ ପଢୁଥିଲେ ଅମିତାଂଶୁ। ହେଲେ ପାଠପଢ଼ା ସହ ଅନଲାଇନ୍ ଗେମ୍ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ ଅମିତାଂଶୁ। ଏଣୁ ପ୍ରାୟ ସମୟ ଫ୍ରି-ଫାୟାର ଗେମ୍‌ ଖେଳି ହିଁ ସମୟ କାଟୁଥିଲେ।

ଏମିତି ଅନଲାଇନ୍ ଗେମ୍‌ ଖେଳୁ ଖେଳୁ ବାପାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ମଧ୍ୟ ବାଜି ଲଗାଇଦେଇଥିଲେ ଅମିତାଂଶୁ। କିଛିଦିନ ତଳେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟିଯାଇଥିଲା। ବାପା, ମା ବ୍ୟାଙ୍କ ଶାଖାକୁ ଯାଇ ବୁଝିବାରୁ ଅନଲାଇନ୍ ଗେମ୍ ଖେଳିବା ଯୋଗୁଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ।

ଏହି ଘଟଣା ଜାଣିବା ପରେ ପୁଅକୁ ତାଗିଦ କରିଥିଲେ ବାପା। ବାପାଙ୍କ ଏହି ତାଗିଦରେ ଭାଙ୍ଗି ପଡ଼ିଥିଲେ ଅମିତାଂଶୁ। ଗୁରୁବାର ସକାଳୁ ଶୌଚ ହେବାକୁ ଯାଇ ପାଇଖାନା ଭିତରେ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ୍ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜୋଡ଼ା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comment