ଓଡ଼ିଶାଲାଇଭ୍ ବ୍ୟୁରୋ

ମଞ୍ଚେଶ୍ୱର ଠାରେ ଥିବା ପୂର୍ବତଟ ରେଳ ହସ୍ପିଟାଲ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ରୋବଟକୁ ନିୟୋଜିତ କରାଯାଇଛି। ଏହି ରୋବଟର ନାମ MeD Robo। ଏହି ରୋବଟ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବ। ରୋଗୀଙ୍କୁ ଖାଦ୍ୟ ଯୋଗାଣ କାର୍ଯ୍ୟ ମଧ୍ୟ ଏହି ରୋବଟ ଦ୍ୱାରା କରାଯିବ।

ୱାଇ ଫାଇ ଦ୍ୱାରା ପରିଚାଳିତ ଏହି ରୋବଟ ପାଇଁ ଏକ ଆପ ତିଆରି ହୋଇଛି। ରୋବଟରେ ଥିବା ସେନ୍ସର ରୋଗୀଙ୍କ ତାପମାତ୍ରା ରେକର୍ଡ଼ କରିପାରିବ ଓ ଏଥିପାଇଁ ଉଦ୍ଦିଷ୍ଟ ମୋବାଇଲ ଫୋନକୁ ସେହି ବିବରଣୀ ପଠାଇ ପାରିବ। ଯଦି କୌଣସି ରୋଗୀଙ୍କ ଦେହରେ ତାପମାତ୍ରା ବଢ଼େ ରୋବଟରେ ଥିବା ଏକ ଆଲାରାମ ବାଜିବ ଯାହା ଫଳରେ କି ନର୍ସିଙ୍ଗ କର୍ମଚାରୀ ତୁରନ୍ତ ରୋଗୀ ପାଖକୁ ଯାଇ ପାରିବେ।

ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଏହି ରୋବଟ ପ୍ରସ୍ତୁତ କରାଯାଇଛି। କେନ୍ଦ୍ରୀୟ ରେଳବାଇ ହସ୍ପିଟାଲରେ ଏହି ରୋବଟର ବିଭିନ୍ନ ଟ୍ରାଏଲ କରାଯାଇଥିଲା।

ରୋବଟରେ ରିମୋଟ କଣ୍ଟ୍ରୋଲ ଡ୍ରାଇଭିଂ ୟୁନିଟ, ନାଇଟ ଭିଜନ କ୍ୟାମେରା ଓ ଦୁଇଟି ସ୍ପିକର, ହାତ ଧୋଇବା ପାଇଁ ସେନ୍ସର ଭିତ୍ତିକ ସର୍କିଟ, ଷ୍ଟେନଲେସ ଷ୍ଟିଲ ଟ୍ରେ, ଟାଇମର ଭିତ୍ତିକ ୟୁଭିସି ସାନିଟାଇଜର, ଥର୍ମାଲ ସ୍କାନର ଓ ଏକ କେଭି ଆମ୍ପିଅର ବିଶିଷ୍ଟ ବ୍ୟାକଅପ୍‌ ଆଦି ଲାଗିଛି।ରୋବଟଟି ୧୫ କେଜି ପର୍ଯ୍ୟନ୍ତ ଜିନିଷ ବୋହି ପାରିବ ଓ ୪୦ ଫୁଟ ଦୂରରୁ ଏହାକୁ କଣ୍ଟ୍ରୋଲ କରାଯାଇପାରିବ। ରୋବଟରେ ଥିବା କ୍ୟାମେରାରେ ସ୍ପିକର ଲାଗିଥିବାରୁ ଡାକ୍ତରମାନେ ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇ ପାରିବେ।

Comment