ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଖାକିବାହିନୀର ଜଣଙ୍କ ପରେ ଜଣେ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହେଉଛି। କରୋନା ସହ ଲଢ଼ିଲଢ଼ି ଶେଷରେ ଆଖି ବୁଜିଛନ୍ତି କଟକ ଜିଲ୍ଲାର ଆଉ ୨ ଜଣ ପୋଲିସ ଅଫିସର। ମୃତ କରୋନା ଯୋଦ୍ଧାମାନେ ହେଲେ କଟକ ଜିଲ୍ଲାର ଟାଙ୍ଗୀ ଥାନାରେ କାର୍ଯ୍ୟରତ ଏସ୍‌ଆଇ ନିମାଇଁ ଚରଣ ମହାପାତ୍ର (୫୯) ଓ ନରସିଂହପୁର ଥାନାର ଏଏସ୍‌ଆଇ ମଦନ ମୋହନ କାର୍ଜି (୪୪)।

କରୋନା ଯୋଦ୍ଧା ଏସ୍‌ଆଇ ଶ୍ରୀ ମହାପାତ୍ର ଓ ଏଏସ୍‌ଆଇ ଶ୍ରୀ କାର୍ଜିଙ୍କୁ କଟକ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। କଟକ ସତୀଚଉରା ଶ୍ମଶାନରେ ଜିଲ୍ଲା ପୋଲିସ ପକ୍ଷରୁ ଏସ୍‌ପି ବି. ଜୁଗଳ କିଶୋର, ଅତିରିକ୍ତ ଏସ୍‌ପି ପି. କେ. ଜେନାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଗାର୍ଡ ଅଫ୍ ଅନର ପ୍ରଦାନ କରିବା ସହ ଦୁଇ କରୋନା ଯୋଦ୍ଧାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୃତ କରୋନା ଯୋଦ୍ଧାଙ୍କ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଉପସ୍ଥିତ ପୋଲିସବାହିନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଦୁଇ ମାସ ତଳେ ଟାଙ୍ଗୀ ଥାନାରେ ଏସ୍‌ଆଇ ଭାବେ ଯୋଗେଦେଇଥିଲେ ନିମାଇଁ ଚରଣ ମହାପାତ୍ର। ୧୮ ଦିନ ତଳେ ତାଙ୍କର କରୋନା ପଜିଟିଭ୍ ବାହାରିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିବାରୁ ତାଙ୍କୁ କଟକର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନ ଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ମହାପାତ୍ରଙ୍କ ନିଜ ଘର କଟକ ଜିଲ୍ଲା ନିଆଳି ଥାନା ଏରଞ୍ଚ ଅଞ୍ଚଳରେ ବୋଲି ସୂଚନା ମିଳିଛି।ସେହିପରି ନରସିଂହପୁର ଥାନାରେ କାର୍ଯ୍ୟରତ ଥିବା ମଦନ ମୋହନ କାର୍ଜିଙ୍କ ଘର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଡ଼ଦେଉଳି ଅଞ୍ଚଳରେ। ନରସିଂହପୁର ଥାନାରେ ଡ୍ୟୁଟିରେ ଥିବା ବେଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଜ୍ୱର ସମେତ ଅନ୍ୟାନ୍ୟ ସମସ୍ୟା ଲାଗି ରହିଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଉକ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ସହ ଲଢିଲଢି ଶେଷରେ ଗତକାଲି ସେ ପ୍ରାଣ ହରାଇଛନ୍ତି।

ଏହାପୂର୍ବରୁ କଟକରେ କମିସନରେଟ୍ ପୋଲିସର ୨ ଜଣ କରୋନା ଯୋଦ୍ଧା ଏବଂ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ପୋଲିସ ଡ୍ରାଇଭର କରୋନାରେ ମୃତ୍ୟୁବରଣ କରିଥିଲେ।

Comment