ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ ସରକାରଙ୍କ ଦୃଢ୍ ଯୁକ୍ତି ଉପସ୍ଥାପନ
  • କଟକ ସମେତ ସାରା ରାଜ୍ୟ ପାଇଁ ଲାଗୁ
  • ଲକ୍ଷ୍ମୀ ପୂଜା,କାଳୀ ପୂଜା ପାଇଁ ବି’ ଲାଗୁ ହେବ ଏହି ନିୟମ

କଟକ: ଆସନ୍ତା ୨୧ ତାରିଖରେ ଦଶହରା ପୂଜା ଆରମ୍ଭ ହେବାକୁ ଥିବାବେଳେ ଗତକାଲି ମଧ୍ୟ ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇପାରି ନାହିଁ। ଏହି ମାମଲାକୁ ପୁଣି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ରାଜ୍ୟ ସରକାର ୭ ଫୁଟ୍ ମୂର୍ତ୍ତି ନିର୍ମାଣ ବିପକ୍ଷରେ ଥିବା ବେଳେ ୪ ଫୁଟ୍ ମୂର୍ତ୍ତି ନିର୍ମାଣ ହେବା ସପକ୍ଷରେ ସତ୍ୟପାଠ ଜରିଆରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି।

୪ ଫୁଟ୍ ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କେବଳ କଟକ ପାଇଁ ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ଲାଗୁ ବୋଲି କୁହାଯାଇଛି। ଏପରିକି ଏହି ନିୟମ ଦୁର୍ଗା ପୂଜା ସମେତ ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ମଧ୍ୟ ଲାଗୁ ହେବ ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଛି।

ରାଜ୍ୟ ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତା ୧୩ ତାରିଖ ମଙ୍ଗଳବାରକୁ ଘୁଞ୍ଚାଇ ଦେଇଛନ୍ତି। ସେହିଦିନ ଏହି ଜବାବ ଉପରେ ଆବେଦନକାରୀ ତଥା ବିଭିନ୍ନ ପୂଜା କମିଟି ସେମାନଙ୍କ ପ୍ରତିଜବାବ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି।ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ବିଭାଗର ଅନୁସଚିବ ଦଶମତ ମାରାଣ୍ଡି ସତ୍ୟପାଠରେ ୪ ଫୁଟ୍ ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଅନେକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। କଟକରେ ଯଦି ୪ ଫୁଟ୍‌ର ମୂର୍ତ୍ତି ନିର୍ମାଣ ହୁଏ ତାହେଲେ ଏହି ମୂର୍ତ୍ତି ଟ୍ରଲି କିମ୍ବା ଅଟୋରିକ୍ସା ସାହାଯ୍ୟରେ ୫ ଜଣ କିମ୍ବା ଏହାଠାରୁ କମ୍ ଲୋକଙ୍କୁ ନେଇ ବିସର୍ଜନ କରାଯାଇ ପାରିବ। କିନ୍ତୁ ଯଦି ଚେସିସ୍ କିମ୍ବା ଟ୍ରାକ୍ଟରରେ ମା’ଙ୍କ ମୂର୍ତ୍ତି ବିସର୍ଜନ ହେବାକୁ ଯାଏ ତାହେଲେ ଏହାକୁ ଦେଖିବାକୁ ଭିଡ଼ ହେବାର ଆଶଙ୍କା ରହିଛି।

ଏହି ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମାସ ୧୬ ତାରିଖରେ ପୋଲିସ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି କେଉଁଠି ୭ ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହୋଇଛି ତାହା ଯାଞ୍ଚ୍ କରିଥିଲା। ଏହି ଯାଞ୍ଚ୍  ବେଳେ ଆବେଦନକାରୀଙ୍କ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ଶେଷ ହୋଇନଥିବା ଦେଖିବାକୁ ମିଳିଥିଲା। ତେଣୁ ଆବେଦନକାରୀ ଅଦାଲତକୁ ସଫା ହାତରେ ଆସିନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଅଭିଯୋଗ କରାଯାଇଛି।

ରାଜ୍ୟ ସରକାର ମୂର୍ତ୍ତିର ଉଚ୍ଚତାକୁ ନେଇ ଯେଉଁ ଗାଇଡ୍‌ଲାଇନ୍ କରିଛନ୍ତି ତାହା କେବଳ ଦୁର୍ଗା ପୂଜା ପାଇଁ ପ୍ରଯୁଜ୍ୟ ନୁହେଁ। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ପଡ଼ୁଥିବା ଲକ୍ଷ୍ମୀ ପୂଜା, କାଳୀ ପୂଜା ଏବଂ ଅନ୍ୟାନ୍ୟ ସମସ୍ତ ପୂଜା ଲାଗି ଏହି ନିୟମ ଲାଗୁ ହେବ ବୋଲି ସତ୍ୟପାଠରେ ସ୍ପଷ୍ଟ କରାଯାଇଛି। ଏପରିକି ଏହି ନିୟମ କେବଳ କଟକ ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଲାଗୁ ହେବ।ଯଦି ଅଦାଲତ ଦଶହରାରେ ମୂର୍ତ୍ତି ନିର୍ମାଣ ପାଇଁ ନିୟମରେ କୋହଳ କରନ୍ତି ତାହେଲେ ସମଗ୍ର ରାଜ୍ୟର ବିଭିନ୍ନ ପୂଜା କମିଟି ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି ଲାଗି ନିୟମ କୋହଳ ପାଇଁ ଲମ୍ବା ଲାଇନ୍ ଲଗାଇବେ। ତେଣୁ ହାଇକୋର୍ଟ ୭ ଫୁଟ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ନଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ପ୍ରାର୍ଥନା କରାଯାଇଛି।

ଆହୁରି ମଧ୍ୟ ଏହି ସତ୍ୟପାଠ ଜରିଆରେ ପୋଲିସ କମିସନର ଗତ ମାସ ୧୭ ତାରିଖର ଜାରି କରିଥିବା ନିର୍ଦ୍ଦେଶନାମା ପାଇଁ ଅଦାଲତରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଗତକାଲି ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟ ସରକାର ପୋଲିସ କମିସନରଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ପୋଲିସ କମିସନର କେପୋଳକଳ୍ପିତ ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ଯେଉଁ ଅଭିଯୋଗ ହୋଇଛି ତାହାକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି।

ଗତ ମାସ ୧୬ ତାରିଖରେ ପୋଲିସ ପକ୍ଷରୁ ୧୬୨ଟି ପୂଜା ମଣ୍ଡପ ଯାଞ୍ଚ୍ କରାଯିବା ପରେ ୧୪୨ଟି ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇନଥିଲା ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି। ୯ଟି ପୂଜା କମିଟି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଆଧାରରେ ମୂର୍ତ୍ତି ନିର୍ମାଣ କରିଛନ୍ତି। ବାଲୁ ବଜାର ପୂଜା କମିଟି ସମେତ ୭ଟି ପୂଜା କମିଟି ୫ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ତିଆରି କରିଛନ୍ତି।୨ଟି ପୂଜା କମିଟି ଫିରିଙ୍ଗି ବଜାର ପୂଜା କମିଟି ଏବଂ ଉପର ତେଲେଙ୍ଗା ବଜାର ପୂଜା କମିଟିର ୮ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇଛି। ଗତ ଅଗଷ୍ଟ ୨୮ ତାରିଖରେ ବିଭିନ୍ନ ପୂଜା କମିଟି ଏବଂ ପୋଲିସ ମଧ୍ୟରେ ମୂର୍ତ୍ତି ନିର୍ମାଣକୁ ନେଇ ହୋଇଥିବା ବୈଠକ ଆଧାରରେ  ଅଧିକାଂଶ ପୂଜା କମିଟି ୪ ଫୁଟ୍‌ର ମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିଛନ୍ତି।

Comment