ଘାସିରାମ ପଣ୍ଡା
୨୦୧୧ ଡିସେମ୍ବର ୧୯ ଦିନ ମିଳିତ ଜାତିସଙ୍ଘର ସାଧାରଣ ପରିଷଦରେ ଅକ୍ଟୋବର ୧୧କୁ ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ଅବସରରେ ଏକ ବିଶେଷ ବିଷୟକୁ ଆଲୋଚନା ଓ ଅଭିଯାନ ପାଇଁ ବଛା ଯାଇଥାଏ। ଏ ବର୍ଷର ଆଲୋଚ୍ୟ ବିଷୟ ‘ମୋର ସ୍ୱର – ଆମର ସମାନ ଭବିଷ୍ୟତ’।
୨୫ ବର୍ଷ ପୂର୍ବେ ୧୯୯୫ରେ ୨୦୦ ଦେଶରୁ ପ୍ରାୟ ତିରିଶ ହଜାରରୁ ଅଧିକ ମହିଳା ଓ ପୁରୁଷ ଚୀନର ବେଜିଂ ସହରରେ ସମବେତ ହୋଇ ମହିଳାଙ୍କ ଅଧିକାର ବି, ମାନବ ଅଧିକାରର ଦାବିକୁ ସାଣିତ କରିଥିଲେ। ଏତେବର୍ଷ ପରେ ଆଜି ପୁଣିଥରେ ସମାନ ଭବିଷ୍ୟତ ପାଇଁ କିଶୋରୀଙ୍କ ସ୍ୱର ତା’ର ଏକ ପ୍ରତିଧ୍ୱନି ହୋଇ ଫେରିଛି।
ଅସୁମାରି ସ୍ୱପ୍ନରେ ଭରପୂର କିଶୋରୀ ମନ ପରିପୂର୍ଣ୍ଣତାର ରାହା ଖୋଜୁଥାଏ। ହେଲେ ଏମାନଙ୍କ ଭିତରେ ଅଦ୍ୱିତୀୟା ହେବାର ସାମର୍ଥ୍ୟ ଥାଇ ବି ସୁଯୋଗ ଓ ସରାଗର ଅଭାବରେ ଅନେକ ଅଧାବାଟରେ ରହିଯାଆନ୍ତି। ପୁରୁଷତନ୍ତ୍ରର ବେଡ଼ିରେ ବନ୍ଧା ଝିଅର ଜୀବନ ମାଲିକର ଖୁଣ୍ଟରେ ବନ୍ଧା ଗାଈ ଭଳି ହୋଇଯାଇଛି। ଯେତେ ଲମ୍ବା ସେ ଦଉଡି ହେବ, ସେତିକି ବାଟ ହିଁ ସେ ଯାଇପାରିବ। ଘର, ସମାଜ ଏପରିକି ରାଷ୍ଟ୍ରଦ୍ୱାରା ପ୍ରଣୀତ ନୀତି ନିୟମରେ ବି ଏମାନେ ଭେଦଭାବର ଶିକାର ହେଉଛନ୍ତି।
ଶେଷ ଜାତୀୟ ପରିବାର ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୮୪.୩ ଭାଗ ପୁରୁଷଙ୍କ ତୁଳନାରେ ୬୭.୪ ଭାଗ ମହିଳା ସାକ୍ଷର ଅଛନ୍ତି। ଚିନ୍ତାଜନକ ବିଷୟ ହେଲା ମାତ୍ର ୨୬.୭ ଭାଗ ମହିଳା ଦଶମ ବା ତଦୁର୍ଦ୍ଧ ପଢ଼ିପାରିଛନ୍ତି। ଏହି ପରିସଂଖ୍ୟନ ଆମର ଅସମାନତାର ସ୍ଥିତିକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରୁଛି। ଏହା ପରବର୍ତ୍ତିତ ସମୟରେ ସେମାନଙ୍କୁ ଅଧିକ ବିପଦସଙ୍କୁଳ କରୁଛି। ଏହିସର୍ଭେ ଅନୁସାରେ ପ୍ରାୟ ୩୫ ଭାଗ ମହିଳା ନିଜ ସ୍ୱାମୀଙ୍କ ଦ୍ୱାରା ହିଂସାର ଶିକାର ହୁଅନ୍ତି। ୨୧.୩ ଭାଗ ଝିଅ ବାଲ୍ୟବିବାହର ଶିକାର ହୁଅନ୍ତି। ସେହିପରି ୨୮.୪ ଭାଗ ପୁରୁଷଙ୍କ ତୁଳନାରେ ୫୧ ଭାଗ ମହିଳା ରକ୍ତହୀନତାର ଶିକାର ହୁଅନ୍ତି।
ସମାଜରେ ପ୍ରଚଳିତ ନିୟମ ଓ ଝିଅଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଏମାନଙ୍କ ପ୍ରଗତିରେ ବାଧକ ସାଜୁଛି। କନ୍ୟାଭୃଣ ହତ୍ୟା, ବାଲ୍ୟବିବାହ ଭଳି ଚଳଣି ଝିଅଙ୍କୁ ସବୁ ପ୍ରକାରର ଅଧିକାରରୁ ବଂଚିତ କରୁଛି। କମ ବୟସରେ ବିବାହ ମାନବ ଅଧିକାର ଉଲଂଘନର ଏକ ନଗ୍ନ ରୂପ। ଏହାଦ୍ୱାରା ବାଳିକାଟିର ପାଠପଢା ତ ଅଧାରୁ ବନ୍ଦ ହୁଏ, ତା’ପ୍ରତି ହିଂସା ବି ବୃଦ୍ଧି ପାଏ। ୧୮ ବର୍ଷରୁ କମ ବୟସର ଝିଅ ସହିତ ଶାରିରୀକ ସମ୍ପର୍କକୁ ଧର୍ଷଣ ଭାବରେ ଆଇନରେ ଉଲ୍ଲେଖ କରାଯାଇଥିଲେ ବି ସାମାଜିକ ସ୍ୱୀକୃତି ଭିତରେ ପିଲାଟିଏ ସବୁ ସହିବାକୁ ବାଧ୍ୟ ହୁଏ। ସର୍ବେକ୍ଷଣର ତଥ୍ୟ ଅନୁସାରେ ୫୩ଭାଗ ମହିଳା ଋତୁସ୍ରାବ ସମୟରେ ଅସ୍ୱାସ୍ଥ୍ୟକର ପରିବେଶର ସମ୍ମୁଖୀନ ହୁଅନ୍ତି। ସାମାଜିକ ନୀତି ନିୟମ ବାହାନାରେ ସେମାନଙ୍କୁ ଅଛୁଆଁ କରିଦିଆଯାଏ।
ଏହି କାରଣରୁ ଅନେକ କିଶୋରୀ ବିଦ୍ୟାଳୟ ଯିବା ମଧ୍ୟ ବନ୍ଦ କରିଦିଅନ୍ତି। ମହିଳାମାନେ କେମିତି ପିନ୍ଧିବେ, ଚାଲିବେ, ବସିବେ, କଥା କହିବେ ସବୁଥିପାଇଁ ସଣ୍ଠଣା। ସତେ ଯେମିତି ନିଜ ଶରୀର ଉପରେ ବି ସେମାନଙ୍କର ଅଧିକାର ନାହିଁ। ଆଇନ ଥାଇ ବି ରୋଜଗାର ପାଇଁ ଗୋଡକାଢ଼ି ଥିବା ମହିଳା ପୁରୁଷର ଲୋଳୁପ ଦୃଷ୍ଟିରୁ ବାଦ ପଡୁନାହିଁ। ଏଭଳି ପ୍ରତିକୂଳ ପରିବେଶ ଯୋଗୁଁ ଦେଶର ପ୍ରଗତିରେ ସେମାନଙ୍କ ଭାଗିଦାରିତା ଚାହିଁ ମଧ୍ୟ ରହିପାରୁ ନାହିଁ। ଏହି ସ୍ଥିତି ଲାଗି ରହିଲେ ୨୦୩୦ ସୁଦ୍ଧା ବିକାଶ ପ୍ରକ୍ରୟାରେ କେହି ବାଦ ପଡିବେ ନାହିଁ ବୋଲି ବିଶ୍ୱ ସମୁଦାୟ ଦ୍ୱାରା ନିଧାର୍ଯ୍ୟ ସତତ ବିକାଶ ଲକ୍ଷ୍ୟ ପୁରଣ ଅସମ୍ଭବ ହୋଇପଡିବ।
ତେବେ ସମୟ ବଦଳୁଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଆହ୍ୱାନର ସମ୍ମୁଖୀନ ହେବା ସତ୍ତ୍ୱେ ପରାକାଷ୍ଠା ଦେଖାଉଛନ୍ତି। ପରିବର୍ତ୍ତନର ବାହକ ସାଜୁଥିବା ଏପରି ମହିଳା ମୁଷ୍ଟିମେୟ ହେଲେ ବି ଅନେକଙ୍କ ପାଇଁ ପ୍ରେରଣା ସାଜୁଛନ୍ତି। ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଗକୁ ଆସିବାକୁ ଚାହୁଁଥିବା କିଶୋରୀ ଓ ବାଳିକାଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ଅସ୍ତିତ୍ୱ ଓ ପ୍ରତିଭାକୁ ସ୍ୱୀକୃତି ଦିଆଯାଇ ପାରିଲେ ଏକ ଉତ୍କୃଷ୍ଟ ପୃଥିବୀର ପୁନଃପରିକଳ୍ପନା ସମ୍ଭବ ହୋଇ ପାରିବ।
ବର୍ଷାର ଅନିଚ୍ଛା ସତ୍ତ୍ୱେ ବାପା ମା’ ବାହା ଠିକ କରି ଦେଇଥିଲେ। ପଢୁଆ ଝିଅ ବର୍ଷା ଏଥିପାଇଁ କାହାକୁ କୁହାଯିବ ଜାଣିଥିଲା। ସମସ୍ୟାକୁ ଜାଣିଲା ପରେ ଏକ୍ସନଏଡ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତାକୁ ସହାୟତାର ହାତ ବଢାଇଲେ। ଏବେ ପ୍ରଶାସନ ତରଫରୁ ପାଠ ପଢିବା ପାଇଁ ତାକୁ ଆର୍ଥିକ ସହଯାେଗ ଯୋଗେଇ ଦିଆଯାଉଛି। ବର୍ଷା ପାଠ ପଢି ଶିକ୍ଷୟିତ୍ରୀ ହେବ ଓ ବାଳିକା ଶିକ୍ଷାର ବିକାଶ ପାଇଁ କାମ କରିବ ବୋଲି ଲକ୍ଷ୍ୟ ରଖିଛି । ବର୍ଷାଭଳି ଅନେକ ଝିଅ ଯେଉଁମାନେ ବାଲ୍ୟ ବିବାହକୁ ନା ବୋଲି କହିଛନ୍ତି ରାଜ୍ୟରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରି ଆଗକୁ ଆସିଛନ୍ତି।
ସେମାନେ ନିଜ ଅଂଚଳରେ ସଚେତନତା ସୃଷ୍ଟି କରିବା ସହ ନିଜ ପ୍ରଚେଷ୍ଟାରେ ଅନେକ ବାଲ୍ୟବିବାହକୁ ବନ୍ଦ କରିପାରିଛନ୍ତି। ନେତୃତ୍ୱ ନେଇ ପାରୁଥିବା ଏହି କିଶୋରୀମାନଙ୍କୁ ଜୀବନ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ କୌଶଳି କରାଯାଇ ପାରିଲେ ନିଜ ସମସ୍ୟାକୁ ବୁଝିବାକୁ ସେମାନଙ୍କର ସାମର୍ଥ୍ୟ ବଢିବ। ଫଳରେ ନିଜ ଅଧିକାରର ଲଢେଇକୁ ସେମାନେ ନିଜେ ଲଢିବେ, ସମାଜରେ ଦୃଢ ଭାବେ ଠିଆ ହେବାରେ ମନୋବଳକୁ ସୁଦୃଢ କରିପାରିବେ।ପାର୍ବଣର ଆବାହନିରେ ଆଉ କିଛି ଦିନପରେ ଆମେ ମର୍ତ୍ତ୍ୟରେ ଦେବୀଙ୍କୁ ଆବାହନ କରିବା। ବେଦରେ କୁହାଯାଇଛି ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି ସେହିଠାରେ ଦେବତାମାନେ ବିଚରଣ କରନ୍ତି। ଏଣୁ ଆମଘରେ ଥିବା ଦେବୀମାନେ ନାଚାର ଓ ପଛୁଆ ହେଲେ ମଣ୍ଡପର ଦେବୀ ବି ଆଶୀର୍ବାଦ କରିବେ ନାହିଁ। ପ୍ରତ୍ୟେକ କିଶୋରୀ ଆମ ପାଇଁ ମାନବୀରୂପରେ ଦେବୀ। ସମସ୍ତେ ସେମାନଙ୍କର ସମ୍ମାନ କରିବା ସହ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଂଚିବାରେ ସହାୟକ ହେଲେ ସମାନ ଭବିଷ୍ୟତ ପାଇଁ ଉଚ୍ଚାରିତ ସେମାନଙ୍କ ସ୍ୱର ଫଳବତୀ ହେବ।
(ଲେଖକ ଏକ୍ସନଏଡରେ ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ ଭାବେ କାର୍ଯ୍ୟରତ। ଏଠାରେ ଉପସ୍ଥାପିତ ମତାମତ ତାଙ୍କ ନିଜସ୍ୱ)