ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ନେତା ଶରତ କୁମାର କରଙ୍କ ପରଲୋକ ହୋଇଛି। ସୋମବାର ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ ସୁମନ କର ସୂଚନା ଦେଇଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ୧୯୩୯ ମସିହାରେ କଟକ ଜିଲ୍ଲା ମାହାଙ୍ଗାରେ ଜନ୍ମଲାଭ କରିଥିଲେ ଶ୍ରୀ କର। ଆହ୍ଲାବାଦ ବିଶ୍ଵିଦ୍ୟାଳୟରୁ ଅଧ୍ୟୟନ ସାରି ୧୯୬୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୧ରେ ପ୍ରଥମ ଥର ପାଇଁ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଶ୍ରୀ କର। ୧୯୭୭ ମସିହାରେ ସେ କଟକ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ। ଏଥିସହିତ ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଅନେକ ବିଭାଗର ମନ୍ତ୍ରୀ ପଦରେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି।

ବିଶ୍ଵନାଥ ଦାସଙ୍କ ସରକାରରେ ସେ ମନ୍ତ୍ରୀ ଶିକ୍ଷା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ପଦରେ ଦାୟିତ୍ଵ ତୁଲାଇଥିଲେ। ସେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ପଦରେ ମଧ୍ୟ ରହିଥିଲେ।

କେବଳ ଯେ ରାଜନୀତି ତାହା ନୁହେଁ, ସେ ଏକା ଧାରାରେ ଥିଲେ ଜଣେ ଲେଖକ ଏବଂ ସ୍ତମ୍ଭକାର। ଆଜି ତାଙ୍କର ବିୟୋଗ ଓଡ଼ିଶା ପାଇଁ ଏକ ଅପୁରଣୀୟ ସ୍ଥାନ ହୋଇ ରହିବ।

Comment