ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ନାବାଳିକା ଦୁର୍ଷ୍କମ ମାମଲାରେ ବୁଧବାର ଚାଉଳିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚାଉଳିଆଗଞ୍ଜର ସନ୍ତୋଷ ବେହେରା। ଏଥିସହିତ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି। କଟକ ଡିସିପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଜଣକ ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର। ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ନାବାଳିକା ଜଣଙ୍କ କଟକ ପ୍ରଫେସରପଡ଼ାରେ ରହୁଥିବା ନିଜ ଭଉଣୀ ଘରକୁ ଚାଲିଆସିଥିଲେ। ତେବେ ସେମାନଙ୍କ ପାଖରୁ ମଧ୍ୟ ଗାଳିଗୁଲଜ ମିଳିବା ପରେ ନାବାଳିକା ଜଣକ ଘରଛାଡ଼ି ଆସି କଟକ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ।

ଏହି ସମୟରେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ତାଙ୍କୁ ଆଶ୍ରୟ ଦେବାକୁ କହି ଚାଉଳିଆଗଞ୍ଜର ଏକ କୁକୁଡ଼ା ଫାର୍ମକୁ ନେଇଥିଲେ। ସେଠାରେ ସନ୍ତୋଷ ତା ସାଙ୍ଗ ରାକା ସହ ମିଶି ନାବାଳିକାଙ୍କୁ ଦୁର୍ଷ୍କମ କରି ଏହାର ଭିଡ଼ିଓ ରେକର୍ଡ କରିଥିଲେ। ସେ ଯଦି କାହାକୁ ଏହି ବିଷୟରେ କହିବେ ତେବେ ତାଙ୍କ ଭିଡିଓ ଭାଇରାଲ କରିଦେବେ କହି ଦୀର୍ଘ ୨୨ ଦିନଧରି ନାବାଳିକା ଜଣଙ୍କୁ ଉଭୟେ ମିଶି ଦୁର୍ଷ୍କମ କରିଥିଲେ।

ତେବେ ମଙ୍ଗଳବାର ରାତିରେ କୌଣସି ମତେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ହେଲ୍ପଲାଇନ ଜିମା ଦେଇଥିଲେ। ଏହାପରେ ଚାଇଲ୍ଡଲାଇନ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ପୋଲିସ ସଂପୃକ୍ତ ନାବାଳିକାଙ୍କ ବୟାନକୁ ଆଧାର କରି ବୁଧବାର ଅଭିଯୁକ୍ତ ସନ୍ତୋଷ ବେହେରାକୁ ଗିରଫ କରିଛି

Comment